ଭୁବନେଶ୍ୱର: ବିଜୁ ଲିଗାସୀର ନୂଆ ସ୍ଲୋଗାନ ଦେଉଥିବା ଦୁଇ ପୁରୁଣା ନେତା ଅସଲରେ ବେଲୁ ଲିଗାସୀର ସକ୍ରିୟ ସଦସ୍ୟ। ସେମାନଙ୍କ ଭିତରେ ବିଜୁ ପଟ୍ଟନାୟକଙ୍କ ଗୁଣର କୌଣସି ଚିହ୍ନ ବର୍ଣ୍ଣ ନଥିବା ବେଳେ ବରଂ ବେଲୁ ଓ ସେ ସମ୍ପର୍କିତ ଅନ୍ୟ ଖଳନାୟକଙ୍କ ସହିତ ଉଭୟଙ୍କ ସମ୍ପର୍କ ଥିଲା ବେଶ୍ ଗଭୀର ଓ ଅନ୍ତରଙ୍ଗ ବୋଲି ଚର୍ଚ୍ଚା ବଢୁଛି।
ସୁରେନ୍ଦ୍ର କୁମାର ଦାସ ଓରଫ୍ ବେଲୁ, କଟକ ମଦ ମୃତ୍ୟ ମାମଲାର ମୁଖ୍ୟ ଆସାମୀ ଥିଲା । ଆଉ ସେହି ବେଲୁର ଆତ୍ମୀୟ ଥିଲେ ଦୁଇ ରାଜନେତା – ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀ । ଏମିତିକି, ଉଭୟ ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀ କଟକ ମଦ ମୃତ୍ୟୁ ମାମଲାରେ ତଦନ୍ତ କମିଶନ ସାମନାରେ ଅଭିଯୁକ୍ତ ଭାବେ ଜମାନବନ୍ଦୀ ଦେଇଥିଲେ । ଏହାଠାରୁ ଆହୁରି ଭୟଙ୍କର ହେଉଛି ତତ୍କାଳୀନ କେନ୍ଦ୍ରାଞ୍ଚଳ ଡିଆଇଜି ଅନାଦି ସାହୁ, ସେହି କମିଶନ ନିକଟରେ ଦେଇଥିବା ସାକ୍ଷ୍ୟ । ଯେଉଁଥିରେ ସେ ସିଧା ସିଧା ଅଭିଯୋଗ କରିଥିଲେ ବେଲୁ ସହିତ ରାଜ୍ୟର ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ଘନିଷ୍ଠ ସମ୍ପର୍କ ରହିଥିଲା ଓ ସେ ମଦ ମୃତ୍ୟୁ ଘଟଣାର ତଦନ୍ତକୁ ଧୀର କରିବା ପାଇଁ ତାଙ୍କ ଉପରେ ଚାପ ପକାଇ ଥିଲେ।
ଓଡ଼ିଶା ଇତିହାସର ଅନ୍ୟତମ ଭୟାନକ ଘଟଣା ହେଉଛି କଟକ ମଦ ମୃତ୍ୟୁ। ୧୯୯୨ ମସିହା ମଇ ୭ ତାରିଖରେ ବିଷାକ୍ତ ମଦ ପିଇ କଟକର ଶହଶହ ଲୋକ ପ୍ରାଣ ହରାଇଥିଲେ ଓ ହଜାର ହଜାର ବିକଳାଙ୍ଗ ହୋଇ ଯାଇଥିଲେ। ଏମିତି ଏକ ନାରକୀୟ କାଣ୍ଡର ମୁଖ୍ୟ କାର୍ପଟଦାର ଥିଲା ବେଲୁ । ବେଲୁ ସହ ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀଙ୍କ ସହିତ ଘନିଷ୍ଠ ଓ ଅନ୍ତରଙ୍ଗ ସମ୍ପର୍କକୁ ନେଇ ବରାବର ଚର୍ଚ୍ଚା ହୋଇଛି ଓ ପରୋକ୍ଷରେ ପ୍ରମାଣିତ ମଧ୍ୟ ହୋଇଛି।
୧୯୯୨ ମଇ ୭ର କଟକ ମଦ ମୃତ୍ୟୁ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମାମଲାର ପ୍ରାଶାସନିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରାଞ୍ଚଳ ଆରଡିସି ସୁଧାଂଶୁ ମୋହନ ପଟ୍ଟନାୟକ ଏହାର ତଦନ୍ତ କରି କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିଶ କରିଥିଲେ। ସୁଧାଂଶୁ ମୋହନ ପଟ୍ଟନାୟକ ନିଜର ତଦନ୍ତ ରିପୋର୍ଟ ଜୁଲାଇ ୧୩ ତାରିଖ ୧୯୯୨ ମସିହା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ପରେ ଘଟଣାର ଭୟାବହତା ଓ ବିଭୀଷିକାକୁ ଦେଖି ରାଜ୍ୟ ସରକାର ୧୯୯୩ମସିହା ଜୁଲାଇ ୨୦ ତାରିଖରେ କଟକ ମଦ ମୃତ୍ୟୁ ମାମଲାର ବିଚାର ବିଭାଗୀୟ ତଦନ୍ତ ଘୋଷଣା କରିଥିଲେ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବାଳକୃଷ୍ଣ ବେହେରା ଦୁଇ ବର୍ଷରୁ ଅଧିକ ସମୟ ତଦନ୍ତ କରି ୧୯୯୫ମସିହା ଅକ୍ଟୋବର ୩୦ ତାରିଖ ନିଜ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ।
ସେବେ କଟକ ମଦ ମୃତ୍ୟୁ ପରି ଭୟଙ୍କର ଘଟଣା ସମୟରେ ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀଙ୍କ ନାଁ ସାମନାକୁ ଆସିଥିଲା। ଏମିତିକି ବିଚାର ବିଭାଗୀୟ ତଦନ୍ତ ସମୟରେ ଶ୍ରମିକ ନେତା ଦ୍ୱାରିକା ମୋହନ ମିଶ୍ର ଓ ଗାନ୍ଧୀ ସ୍ମାରକ ନିଧିର ପ୍ରହ୍ଲାଦ କୁମାର ସିହ୍ନା ପକ୍ଷଭୁକ୍ତ ହୋଇ ତତ୍କାଳୀନ ମନ୍ତ୍ରୀ ବିଜୟ ମହାପାତ୍ର ଓ ଜନତା ଦଳ ନେତା ପ୍ରଭାତ ତ୍ରିପାଠୀଙ୍କ ସିଧାସଳଖ ସମ୍ପୃକ୍ତି ଅଭିଯୋଗ କରିଥିଲେ। ଫଳରେ ଜଣିକିଆ ତଦନ୍ତ କମିଶନ ତତ୍କାଳୀନ ମନ୍ତ୍ରୀ ବିଜୟ ମହାପାତ୍ର ଓ ଜନତା ଦଳ ନେତା ପ୍ରଭାତ ତ୍ରିପାଠୀଙ୍କ ଠାରୁ ଜମାନ ବନ୍ଦୀ ଗ୍ରହଣ କରିଥିଲେ। ପୂର୍ବତନ କେନ୍ଦ୍ରାଞ୍ଚଳ ଡିଆଇଜି ଅନାଦି ସାହୁ କମିଶନ ନିକଟରେ ସାକ୍ଷ୍ୟ ପ୍ରଦାନ କରି ମଦ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ବେଲୁ ସହିତ ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ସମ୍ପର୍କ ଥିବା ଓ ତଦନ୍ତକୁ ଧୀର କରିବାକୁ ଚାପ ପକାଉଥିବାର ଅଭିଯୁକ୍ତ କରିଥିଲେ। ଅନାଦି ସାହୁଙ୍କ ବୟାନ ସେତେବେଳେ ଓଡ଼ିଶା ରାଜନୀତିରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। କାରଣ ସେ ନିଜେ ସର୍ବ ଭାରତୀୟ ସରକାରୀ ଅଧିକାରୀ ଥିଲେ।
କିନ୍ତୁ ଏତେ ସବୁ ସତ୍ତ୍ଵେ ବିଜୟ ମହାପାତ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ନଥିଲେ ବରଂ ବିଜୁ ପଟ୍ଟନାୟକଙ୍କୁ ବଦନାମ କରିବା ପାଇଁ ବାଟ ଫିଟାଇଥିଲେ। କଟକ ମଦ ମୃତ୍ୟୁ ସମୟରେ ବିଜୟ ମହାପାତ୍ରଙ୍କ ଜମାନବନ୍ଦୀ ଥାଇ ମଧ୍ୟ କ୍ଷମତା ଉପଭୋଗ କରିଥିଲେ। ମାତ୍ର ତତ୍କାଳୀନ ଅବକାରୀ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ, ହେଲେ ମୁଖ୍ୟମନ୍ତ୍ରୀ ତାହା ଗ୍ରହଣ କରି ନଥିଲେ।
ଭୁବନେଶ୍ୱରରେ ବିଜୟ ମହାପାତ୍ର ଓ ବାଙ୍କୀରେ ପ୍ରଭାତ ତ୍ରିପାଠୀ ଗଲା କିଛି ଦିନ ଧରି ବିଜୁ ଲିଗାସୀ ନେଇ ଗଳା ଫଟା ଚିତ୍କାର କରୁଛନ୍ତି। ବିଜୁ ପଟ୍ଟନାୟକଙ୍କ ଆଦର୍ଶ କଥା କହୁଛନ୍ତି। କିନ୍ତୁ କଟକ ମଦ ମୃତ୍ୟୁ ମାମଲାରେ ବେହେରା କମିଶନ ଓ ଅନାଦି ସାହୁଙ୍କ ମନ୍ତବ୍ୟ ଓ ଅନ୍ୟ ଦୁଇ ଜଣଙ୍କ ପକ୍ଷଭୁକ୍ତ ହୋଇ ଦେଇଥିବା ବୟାନ ଉଭୟଙ୍କ ରାଜନୈତିକ ଦିଗକୁ ପ୍ରମାଣିତ କରେ କେବଳ।
କଟକ ପରି ଭାଇଚାରାର ସହରରେ ମଦ ମୃତ୍ୟୁ ସେତେବେଳେ ବିଭୀଷିକା ସୃଷ୍ଟି କରିଥିଲା। ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀ ସେହି ବେଲୁ ଲିଗାସୀ ସହ ଘନିଷ୍ଠ ଭାବେ ଜଡ଼ିତ ଥିଲେ। ଲୋକଙ୍କ ମୃତ ଦେହ ଉପରେ ରାଜନୀତି କରିଥିବା ଓ କ୍ଷମତା ଛାଡ଼ି ନଥିବା ବିଜୟ ମହାପାତ୍ର ଏବେ ବଡ଼ ବଡ଼ କଥା କହି ଭାଷଣ ଦେବା ତାଙ୍କର ଅପକର୍ମକୁ କେବେ ଲୁଚାଇବ ନାହିଁ ବୋଲି ଅନେକ ମତ ଦେଉଛନ୍ତି।
କାରଣ ମାତ୍ର ୩୪ବର୍ଷ ତଳର ଲିଖିତ ଇତିହାସ ତ କଟକ ମଦ ମୃତ୍ୟୁ। ଯେଉଁଥିରେ ହଜାର ହଜାର ପରିବାର ସବୁଦିନ ପାଇଁ ଛାରଖାର ହୋଇଥିଲେ। ଆଉ ବେଲୁ ଲିଗାସୀ ସହ ଜଡ଼ିତ ଥାଇ ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀ ଏବେ ବିଜୁ ଲିଗାସୀର ବାନା ଉଡ଼ାଇବା ଆରମ୍ଭ କରିଛନ୍ତି। କାନ୍ଧରେ ଓ ମୁଣ୍ଡରେ ଗାମୁଛା ପକାଇ ଯେତେ ଭାଷଣ ଦେଲେ ବି ଲିଖିତ ଇତିହାସ କି ପୋଛି ହୋଇଯିବ ? ନା ଉଭୟ ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀ ତାକୁ ପୋଛିବାରେ କେବେ ସକ୍ଷମ ହେବେ ?