ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କର ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ଏହି ବରିଷ୍ଠ ଏବଂ ଅଭିଜ୍ଞ ନେତାଙ୍କ ବିୟୋଗ ସମଗ୍ର ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ଆଣିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ସବୁ ଦଳର ନେତୃମଣ୍ଡଳୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଶ୍ରୀ ଢ଼ୋଲକିଆ ନୂଆପଡ଼ା ଆସନରୁ ୨୦୦୪ ମସିହାରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୯, ୨୦୧୯ ଏବଂ ୨୦୨୪ ରେ ସେ ବିଧାୟକ ହୋଇଥିଲେ । ପୂର୍ବ ବିଜେଡି ସରକାରରେ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ସେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ରେ ଯୋଜନା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଜଣେ ସରଳ, ଅମାୟିକ ରାଜନେତା ଭାବେ ତାଙ୍କର ସୁନାମ ଥିଲା । ଜଣେ ଦରଦୀ ନେତା ଭାବେ ତାଙ୍କ ଅଞ୍ଚଳରେ ବେଶ୍ ଲୋକପ୍ରିୟ ଥିଲେ ।
ଢ଼ୋଲକିଆଙ୍କ ଦେହାନ୍ତ ସହ ବିଧାନସଭାରେ ବିଜେଡିର ଆସନ ସଂଖ୍ୟା ୫୦ କୁ ଖସିଆସିଛି । ବିରୋଧୀ ଦଳ ଭାବେ ବିଜେଡି ପ୍ରଥମ ଉପନିର୍ବାଚନର ସାମନା କରିବାକୁ ଯାଉଛି । ସେହିଭଳି ଚଳିତ ସରକାର ମଧ୍ୟ ପ୍ରଥମ ଉପନିର୍ବାଚନର ସାମନା କରିବେ ।