ଭୁୁବନେଶ୍ୱର: ଦିନ ଥିଲା ନବୀନ ପଟ୍ଟନାୟକ ହାତ ହଲେଇଦେଲେ ଶଙ୍ଖ ଚିହ୍ନରେ ଭୋଟ ଗଦେଇ ହୋଇପଡୁଥିଲା । ଲୋକଙ୍କ ପାଖରେ ଥରୁଟିଏ ବୁଲି ଆସିଲେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ହେଉଥିଲା । ମାତ୍ର ସେହି ସମୟ ଚାଲିଯାଇଛି । ବାର୍ଦ୍ଧକ୍ୟର ତାଡ଼ନାରୁ ବାହାରି ଲୋକଙ୍କ ପାଖରେ ଭୋଟ ଅଳି କରିଥିବା ନବୀନ ବାବୁଙ୍କୁ ନୂଆପଡ଼ାବାସୀ ମୁହଁମୋଡ଼ି ଦେଇଛନ୍ତି । ଦୁର୍ବଳ ଶରୀରରେ ଦୁଇ ଦୁଇ ଥର ନୂଆପଡ଼ା ଆସି ଘଣ୍ଟା ଘଣ୍ଟା ଧରି ରୋଡ୍ ସୋ’ କରିଥିଲେ ମଧ୍ୟ ଲୋକଙ୍କୁ ପ୍ରଭାବିତ କରିପାରିନାହାନ୍ତି । ମୋଟାମୋଟି ଭାବେ ନବୀନଙ୍କ ଯାଦୁ ଓ ଚମକ ଯେ ଆଉ ନାହିଁ ତାହା ନୂଆପଡ଼ା ଉପନିର୍ବାଚନ ଫଳ ପ୍ରମାଣିତ କରିଛି । ବିଜେଡି ଜିତିବା ଦୂରେ ଦ୍ୱିତୀୟ ସ୍ଥାନରେ ବି ରହିଲାନି ।
କ୍ଷମତାରୁ ଯିବା ପରେ ପ୍ରଥମ ଥର ପାଇଁ ନୂଆପଡ଼ା ଉପନିର୍ବାଚନକୁ ସାମନା କରିଥିଲା ବିଜେଡି । ପ୍ରତିକୂଳ ପରିସ୍ଥିତିରେ ଗତି କରୁଥିବା ବିଜେଡି ପାଇଁ ଏହି ଉପନିର୍ବାଚନ ଅଗ୍ନିପରୀକ୍ଷାର ବେଳ ଥିଲା । ଦଳର ଅଘୋଷିତ ପ୍ରାର୍ଥୀ ଜୟ ଢ଼ୋଲକିଆ ଶେଷ ମୁହୂର୍ତ୍ତରେ ବିଜେପିକୁ ପଳେଇବା ବିଜେଡି ପାଇଁ ଆରମ୍ଭରୁ ଶକ୍ତ ଧକ୍କା ହୋଇଥିଲା । ସେ ବିଜେପିକୁ ଚାଲିଯିବେ ବୋଲି ଆଗୁଆ ସୂଚନା ଥିଲେ ମଧ୍ୟ ନେତୃତ୍ୱ ରୋକିପାରିଲେନି । ତାଙ୍କ ପରେ ପ୍ରାର୍ଥୀ ଚୟନରେ ମଧ୍ୟ ବିଭ୍ରାଟ ସୃଷ୍ଟି ହେଲା । ସ୍ଥାନୀୟ ଅଞ୍ଚଳର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନଜରଅନ୍ଦାଜ କରି ବରଗଡ଼ ଜିଲ୍ଲାର ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରାଗଲା । ଏହି ନିଷ୍ପତ୍ତି କିଏ ଓ କାହିଁକି ନେଲେ ତାହା ଏବେ ବି ରହସ୍ୟଘେରରେ ।
ତେବେ ଯାହା ହେଉ, ଦଳରେ ତୀବ୍ର ମତଭେଦ ଥିବା ସତ୍ତ୍ୱେ ନୂଆପଡ଼ାରେ ସମସ୍ତଙ୍କୁ ମନାଇ ଏକାଠି କରିବାରେ ନବୀନ ବାବୁ ସଫଳ ହୋଇଥିଲେ । ତାଙ୍କ ନିର୍ଦ୍ଦେଶରେ ଦଳର ତୁଙ୍ଗନେତା ଓ କର୍ମୀମାନେ ନୂଆପଡ଼ାରେ ଡେରା ପକାଇଥିଲେ । ମାତ୍ର ଯେଉଁ ବବି ଦାସଙ୍କୁ ନେଇ ଭୀଷଣ ଅସନ୍ତୋଷ ଅଛି, ତାଙ୍କ ହାତରେ ପୁଣି ଉପନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଗଲା । ଏହାକୁ ବି ଦଳର ବରିଷ୍ଠ ନେତାମାନେ ସହ୍ୟ କରି ପ୍ରଚାର କାମରେ ମନଦେଲେ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କଲେ ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ନୂଆପଡ଼ାକୁ ନବୀନ ପ୍ରଚାରରେ ଯିବା ନିଷ୍ପତ୍ତି । ବୟସ ଦୃଷ୍ଟିରୁ ନବୀନ ବାବୁ ଏବେ ସବଳ ନାହାନ୍ତି । ଠିକ୍ ଭାବରେ ଚାଲିବା ତାଙ୍କ ପାଇଁ କଷ୍ଟକର ହେଉଛି । ତାଙ୍କର ଏଭଳି ଅବସ୍ଥାରେ ନୂଆପଡ଼ା ପ୍ରଚାରକୁ ଯିବା ଲୋକଙ୍କୁ ପସନ୍ଦ ହୋଇନାହିଁ । ଯାହା ଦଳ ପାଇଁ ମହଙ୍ଗା ପଡ଼ିଲା ବୋଲି ଏବେ ବୁଝାପଡୁଛି ।
ସୂଚନାଥାଉକି, ଦ୍ୱିତୀୟ ଥର ନବୀନ ବାବୁ ନୂଆପଡ଼ା ପ୍ରଚାରକୁ ଯିବା ବେଳେ ବିମାନବନ୍ଦରରେ ତାଙ୍କର ଚାଲୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭୀଷଣ ଭାଇରାଲ୍ ହେଲା । ଏହି ଭିଡିଓ କେମିତି ହେଲା, କିଏ ବାହାରକୁ ଛାଡ଼ିଲା ତାହା ପ୍ରଶ୍ନବାଚୀ ହୋଇ ରହିଥିବା ବେଳେ ବିଜେପି ଏହାର ଭରପୂର ଫାଇଦା ନେଲା । ଏହା ନବୀନ ବାବୁଙ୍କୁ ନୂଆପଡ଼ାବାସୀଙ୍କର ସମବେଦନା ବଦଳରେ ଓଲଟା ଫଳ ଦେଲା ବୋଲି ନୂଆପଡ଼ା ରାୟ କହୁଛି । କାରଣ ସୋସିଆଲ୍ ମିଡିଆରେ ଏହା ବିଜେଡିକୁ କ୍ଷତାକ୍ତ କରିସାରିଥିଲା । ନବୀନ ବାବୁଙ୍କ ଭଳି ଜଣେ ଉଚ୍ଚା ବ୍ୟକ୍ତିତ୍ୱଙ୍କୁ ଏଭଳି ଦହନୀୟ ଅବସ୍ଥାରେ ନୂଆପଡ଼ାରେ ବୁଲାଇବା ବିଜେଡି ପ୍ରତି ଲୋକଙ୍କ ମନରେ ଘୃଣା ଭାବ ସୃଷ୍ଟି କରିସାରିଥିଲା ।
ଅନ୍ୟ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭୋଟ ପୂର୍ବରୁ ବିଜେଡି ହାତ ଟେକିଦେବା । ନୂଆପଡ଼ାରେ ବୁଥ୍ ମ୍ୟାନେଜମେଣ୍ଟ ଉପରେ ବିଜେପିର କାର୍ଯ୍ୟକ୍ରମ କେନ୍ଦ୍ରୀଭୂତ ଥିଲା ବେଳେ ବିଜେଡିର ଧ୍ୟାନ ଭୁବନେଶ୍ୱରର ଶଙ୍ଖଭବନରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ବାନ୍ଧି ହୋଇଗଲା । ବିଜେପି ବିରୋଧରେ ଗୁଣ୍ଡାଗର୍ଦ୍ଦି, ସରକାରୀ କଳର ଦୁରୁପଯୋଗ, ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଭଳି ମାଳ ମାଳ ଅଭିଯୋଗ ଧରି ତୁମ୍ବି ତୋଫାନ ଚଳାଇଲା । ଠିକଣା ସମୟରେ ଠିକଣା ଜାଗାରେ ଠିକଣା ନେତାଙ୍କର ଦେଖା ନ ଥିଲା । ଉପନିର୍ବାଚନ ପରିଚାଳନାରେ ବେଶ୍ ଅଭିଜ୍ଞ ବିଜେଡିର ଏହି ଆଚରଣରୁ ପରାଜୟର ଲକ୍ଷଣ ବାରିହୋଇଗଲା ।
ବିଜେଡି ଯେଉଁ ଅଭିଯୋଗ ଆଣିଛି ତାହା ନିଶ୍ଚିତ ଭାବରେ ଗୁରୁତର । ଭୋଟ ଚୋରି ଏକ ଜାତୀୟ ପ୍ରସଙ୍ଗ । ଗଣମାଧ୍ୟମରେ ବୟାନବାଜି କରି ନିଜ ଦୁର୍ବଳତାକୁ ଘୋଡ଼ାଇବାରେ ଦଳର ବ୍ୟସ୍ତତା ବାରି ହେଉଛି । ମାତ୍ର ପ୍ରଚଳିତ ବ୍ୟବସ୍ଥାରେ ଏହି ଅଭିଯୋଗର କିଛି ମାନେ ନାହିଁ । ଜୋ ଜିତା ୱହି ସିକନ୍ଦର । ନବୀନ ପଟ୍ଟନାୟକ ଏହା ଭଲ ଭାବେ ଅନୁଶୀଳନ କରି ନିଜର ପୂର୍ବ ଚମକ ଫେରାଇ ଆଣିବାର ସୁଯୋଗ ଏବେ ବି ରହିଛି । ଓଡ଼ିଶାବାସୀ ତାଙ୍କୁ ଭଲ ପାଆନ୍ତି । ତା ବଦଳରେ ଓଡ଼ିଶାବାସୀଙ୍କୁ ସେ ବାରମ୍ବାର ବିଶ୍ୱାସଘାତକତା ନ କରିବା ଭଲ । କାରଣ ବିଜେଡି ଏବଂ ତାଙ୍କ ନେତୃତ୍ୱ ସହ ଲକ୍ଷ ଲକ୍ଷ କର୍ମୀଙ୍କର ଭାବାବେଗ ଜଡ଼ିତ ।







