ସରକାରୀ ଯନ୍ତ୍ରଣାରେ ଛଟପଟ ଓଡ଼ିଆ ବ୍ୟବସାୟୀ
ଭୁବନେଶ୍ୱର: ତାରା ପଟ୍ଟନାୟକ ହୁଅନ୍ତୁୁ କି ସନ୍ତୋଷ ଅଗ୍ରୱାଲ୍ । ଓଡ଼ିଶାରେ ଓଡ଼ିଆ ଉଦ୍ୟୋଗୀ/ବ୍ୟବସାୟୀଙ୍କ ଅବସ୍ଥା ଦହନୀୟ । ସରକାରୀ କଳ ଦ୍ୱାରା ସେମାନେ ଶୋଷିତ, ନିଷ୍ପେସିତ । ସତେ ଯେମିତି ଏମାନେ ସରକାରଙ୍କ ସାବତ ପୁଅ । ଏମାନଙ୍କ ପାଇଁ ଯୋଜନା, ରୋଡ୍ ସୋ କେବଳ ପ୍ରଚାରରେ ସୀମିତ । ସମଗ୍ର ଶାସନ ବ୍ୟବସ୍ଥା ଅସାଧୁ ନେତା, ଅଧିକାରୀଙ୍କ ଦ୍ୱାରା କବଳିତ । ବିନା ହାତଗୁଞ୍ଜାରେ ଏଠି ଫାଇଲ୍ ଘୁଞ୍ଚିବା କଷ୍ଟକର । ଜମି ଅଧିଗ୍ରହଣଠାରୁ ଆରମ୍ଭ କରି କାରଖାନା ସ୍ଥାପନା ପର୍ଯ୍ୟନ୍ତ ପ୍ରତିଟି ସୋପାନରେ ହାତଗୁଞ୍ଜା କାରବାର । ଯିଏ ପାରିଲେ ସିଏ ତିଷ୍ଠିଲେ । ସରକାରୀ କଳର ଏଭଳି ଆଭିମୁଖ୍ୟରେ ବାଜି ପଡ଼ିଛି ଓଡ଼ିଆ ଅସ୍ମିତା ।
ପୂର୍ବ ନବୀନ ସରକାରଙ୍କ ‘ମେକ୍ ଇନ ଓଡ଼ିଶା କନକ୍ଲେଭ’ ହେଉ କି ଏବେକାର ମୋହନ ସରକାରଙ୍କ ‘ଉତ୍କର୍ଷ ଓଡ଼ିଶା ସମ୍ମିଳନୀ’ ହେଉ । ଏକମାତ୍ର ଲକ୍ଷ୍ୟ ଓଡ଼ିଶାକୁ ଅଧିକରୁ ଅଧିକ ପୁଞ୍ଜି ଆକୃଷ୍ଟ କରିବା । ବିଶ୍ୱ ଶିଳ୍ପ ମାନଚିତ୍ରରେ ଓଡ଼ିଶାକୁ ସ୍ଥାନ ଦେବା । ଦେଶ ବିଦେଶରେ ଏହାର ଆୟୋଜନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ୨୪ ବର୍ଷର ନବୀନ ସରକାରଙ୍କ ମେକ୍ ଇନ ଓଡ଼ିଶା କନକ୍ଲେଭ-୨୦୨୨ରେ ଓଡ଼ିଶାକୁ ୧୦.୫ ଲକ୍ଷ କୋଟିର ଶିଳ୍ପ ପ୍ରସ୍ତାବ ଆସିଥିବାର ହିସାବ ଦିଆଗଲା । ୧୦ ଲକ୍ଷ ୩୭ ହଜାର ନିଯୁକ୍ତି ସମ୍ଭାବନା ଦିଆଗଲା । ଏବେ ବର୍ଷକର ମୋହନ ସରକାରଙ୍କ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଜରିଆରେ ୧୭ ଲକ୍ଷ କୋଟିର ଶିଳ୍ପ ପ୍ରସ୍ତାବ ଏବଂ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ଆସିଥିବା ଦାବି କରିଛନ୍ତି ।
ଏହି ସବୁ ତଥ୍ୟ ଶୁଣିବାକୁ ଭଲ ଲାଗୁଛି । ମାତ୍ର ଏହାର ବାସ୍ତବତାକୁ ନେଇ ଅନେକ ପ୍ରଶ୍ନ ରହିଛି । ଖଣି, ପାଣି, ପବନଭରା ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଦେଶ ବିଦେଶରୁ ଉଦ୍ୟୋଗପତି ଆକର୍ଷିତ ହେବା ସ୍ୱାଭାବିକ । ମାତ୍ର ଓଡ଼ିଶାର ଶାସନ ବ୍ୟବସ୍ଥା ଏବଂ ପାରିପାଶ୍ୱିର୍କ ସ୍ଥିତି ଅନୁକୂଳ ତ? ଖୋଦ୍ ନିଜ ରାଜ୍ୟର ଉଦ୍ୟୋଗପତିମାନଙ୍କ ପାଇଁ ସରକାରୀ ପ୍ରୋତ୍ସାହନ ଏବଂ ଦୃଷ୍ଟିଭଙ୍ଗୀ କେମିତି ଅଛି ଦୁଇଟି ଉଦାହରଣରୁ ବୁଝିହେବ ।
ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତାରା ରଂଜନ ପଟ୍ଟନାୟକ । ତାଙ୍କର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ଫାଲକନ୍ ଗ୍ରୁପ୍ ଅଧୀନ ଫାଲକନ୍ ଏଗ୍ରିଫିଜ୍ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନିକଟରେ ଗୁଜରାଟର ମେହସାଣାରେ ଏକ ଫ୍ରୋଜେନ୍ ପଟାଟୋ କାରଖାନା ସ୍ଥାପନ କରାଯାଇଛି । ଏହା ହେଉଛି ଦେଶର ସର୍ବବୃହତ୍ତ ଫ୍ରେଞ୍ଚ୍ ଫ୍ରାଇଜ୍ କାରଖାନା, ଯେଉଁଥିରେ ୩୫୦ ମିଟରର ବୃହତ୍ତ ଉତ୍ପାଦନ ଲାଇନ୍ ରହିଛି । ପ୍ରଥମ ପର୍ଯ୍ୟାୟରେ ଏହି କାରଖାନାରେ ୬୫୦ କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି । ଦୁଇଟି ପର୍ଯ୍ୟାୟରେ ୧୦୫୦ କୋଟି ଟଙ୍କା ନିବେଶ କରାଯିବ । ଦୁଇବର୍ଷ ମଧ୍ୟରେ କାରଖାନା କ୍ଷମତାକୁ ସମ୍ପ୍ରସାରିତ କରି ଦ୍ୱିଗୁଣିତ କରାଯିବ ।
ଏହି ଉଦ୍ୟୋଗ ଆଳୁରୁ ଫ୍ରେଞ୍ଜ ଫ୍ରାଏ ଉତ୍ପାଦନ କରିବ । ଗୁଜୁରାଟର ୪ ହଜାର ଚାଷୀଙ୍କ ସହ କଣ୍ଟ୍ରାକ୍ଟ ଫାର୍ମି କରି ଏକର ଏକର ଜମିରେ ଆଳୁ ଚାଷ କରାଯାଇଛି । ଆଳୁ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ପ୍ରତିଷ୍ଠା କରିଥିବା ସେଠାକାର ଛୋଟ ଉଦ୍ୟୋଗୀଙ୍କ ସହ କମ୍ପାନୀ ଚୁକ୍ତି କରିଛି ।
ତେବେ ଓଡ଼ିଶାରେ ଏହି କାରଖାନା ନ କରି ଗୁଜୁରାଟରେ କାହିଁକି କଲେ? ଏକ ସାକ୍ଷାତକାରରେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ତାରା ରଂଜନ ପଟ୍ଟନାୟକ । ସେ କହିଛନ୍ତି, ଓଡ଼ିଶାରେ ‘ଶିଳ୍ପ ଉପଯୋଗୀ ପରିବେଶ’ ବା ‘ଇଣ୍ଡଷ୍ଟ୍ରିଆଲ୍ ଇକୋ ସିଷ୍ଟମ୍’ ଦୁର୍ବଳ । ଗୁଜୁରାଟରେ ମାତ୍ର ଦୁଇ ବର୍ଷରେ ସେ କାରଖାନା ପ୍ରତିଷ୍ଠା କରିପାରିଛନ୍ତି । ଜମି ଅଧିଗ୍ରହଣଠାରୁ ଆରମ୍ଭ କରି କାରଖାନା ସ୍ଥାପନ ପର୍ଯ୍ୟନ୍ତ, କୌଣସି ଗୋଟିଏ ପାହାଚରେ ମଧ୍ୟ ସେ ବିରୋଧର ଶିକାର ହୋଇନାହାନ୍ତି । ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେବାକୁ ପଡ଼ିନାହିଁ । ବାସ୍ ।
ଆମ ଖବର ଅନୁସାରେ ଓଡ଼ିଶାରେ ଏହି କାରଖାନା ବସାଇବା ପାଇଁ ଫାଲକନ୍ ଗ୍ରୁପ୍ ଅଧ୍ୟକ୍ଷ ତାରା ରଂଜନ ପଟ୍ଟନାୟକ ଆପ୍ରାଣ ଉଦ୍ୟମ କରିଥିଲେ । ବରଂ ବିଭିନ୍ନ ଦପ୍ତରକୁ ଦୌଡ଼ି ଦୌଡ଼ି ତାଙ୍କର ଚପଲ ଛିଣ୍ଡିଗଲା । ଅଥଚ ସରକାରଙ୍କଠାରୁ ତାଙ୍କୁ ସହଯୋଗ ମିଳିଲା ନାହିଁ । ବାଧ୍ୟହୋଇ ସେ ଗୁଜୁରାଟ ଗଲେ । ଓଡ଼ିଶାରେ ସେହି କାରଖାନା ପ୍ରତିଷ୍ଠା ହୋଇଥିଲେ, ଓଡ଼ିଶାର ଚାଷୀ ଲାଭବାନ ହୋଇଥାନ୍ତେ । ଓଡ଼ିଆ ପିଲା ନିଯୁକ୍ତି ପାଇଥାନ୍ତେ । ସର୍ବୋପରି ଓଡ଼ିଶାର ବିକାଶ ହୋଇଥାନ୍ତା ।
ଆଉ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସନ୍ତୋଷ ଅଗ୍ରୱାଲ୍ ଙ୍କ ଦୁର୍ଦ୍ଦଶାର କାହାଣୀ ଶୁଣନ୍ତୁ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ର ବାଖରାବାଦ ଗ୍ରାମରେ ସାଲସାର ଆଗ୍ରୋ ପ୍ରଡକ୍ଟ ନାମରେ ଏକ ମେଗା ରାଇସ୍ ମିଲ୍ ସ୍ଥାପନ କରିଛନ୍ତି । ଗଲା ଜାନୁଆରୀ ୬ ତାରିଖରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ମିଲ୍ କୁ ଉଦଘାଟନ କରିଥିଲେ । ପାଖାପାଖି ୨୦୦ କର୍ମଚାରୀଙ୍କୁ ସେଠାରେ ନିଯୁକ୍ତି ମିଳିଥିଲା । ମାତ୍ର ଦୁର୍ଭାଗ୍ୟ ଯେ ସଂସ୍ଥା ଚାଲିବାର ଦେଢ଼ମାସ ନ ପୂରୁଣୁ ଅନିୟମିତତାର ଫାନ୍ଦରେ ତାହାକୁ ସିଲ୍ କରିଦିଆଯାଇଛି ।
ଶ୍ରୀ ଅଗ୍ରୱାଲ୍ ନ୍ୟାୟ ପାଇବା ପାଇଁ ତଥ୍ୟ ପ୍ରମାଣ ସହ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ୫ ମାସ ହେଲା ଦୌଡ଼ୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ଏହି କ୍ଷତିକୁ ସହିବା ପାଇଁ ସେ ଧୈର୍ଯ୍ୟ ହରାଇ ସାରିଲେଣି । ବ୍ୟାଙ୍କ ଋଣବୋଝରେ ତାଙ୍କର ମାନସିକ ସ୍ଥିତି ଦୋହଲି ଗଲାଣି । ଅନ୍ୟପକ୍ଷରେ ସେଠାରେ କାମ କରୁଥିବା ୨୦୦ କର୍ମଚାରୀ ଜୀବିକା ହରାଇ ଦହନୀୟ ଅବସ୍ଥା ଭୋଗୁଛନ୍ତି । ସେମାନଙ୍କ ପରିବାରର ସାମାଜିକ ଚଳଣି ଦୁର୍ବିସହ ହୋଇଯାଇଛି ।








