ଭୁବନେଶ୍ୱର: ବଦଳିଲା ରାଜଭବନ ନାଁ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ଆଧାରରେ ଭୁବନେଶ୍ୱର ଓ ପୁରୀ ରାଜଭବନର ନାଁ ଲୋକଭବନ ଭାବେ ନାମିତ ହୋଇଛି । ଡିସେମ୍ବର ୧ ଅର୍ଥାତ ଆଜିଠାରୁ ଏହି ନୂଆ ନାମକରଣ ଲାଗୁ ହୋଇଛି । ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଆଜି ଏହାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହା ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ବମପାଟି । ଲୋକଭବନ ଜନସାଧାରଣଙ୍କ ସହଭାଗିତା ଏବଂ ପରାମର୍ଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିବ । ସମସ୍ତଙ୍କ ପାଇଁ ସୁଗମତା ଉପରେ ଧ୍ୟାନ ଦିଆଯିବ ବୋଲି ରାଜ୍ୟପାଳ କହିଛନ୍ତି ।
ସୂଚନାଥାଉକି, ୨୦୧୯ ଜୁଲାଇ ୨୯ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟର ନାମ ପରିବର୍ତ୍ତନର ଘୋଷଣା କରିଥିଲେ । ସେବେଠାରୁ ଏହା ଲୋକସେବା ଭବନ ନାମରେ ନାମିତ ହୋଇଛି । ଗଣତନ୍ତ୍ରରେ ଜନତା ହିଁ ଜନାର୍ଦ୍ଦନ । ତେଣୁ ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସେ କହିଥିଲେ ।