ଭୁବନେଶ୍ୱର: ଓଡିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢାଇଛି ଓଡିଶା ଗ୍ରାମ୍ୟ ବ୍ୟାଙ୍କ । ମିଶନ ଶକ୍ତିର ମା ମାନଙ୍କ ପାଇଁ ଆରମ୍ଭ ହୋଇଛି ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମ । ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ରାଜ୍ୟର ୨୬,୭୨୨ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦୦୧ କୋଟି ଟଙ୍କାର ଋଣ ପ୍ରଦାନ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ୱାରା ରାଜ୍ୟର ୨.୬୮ ଲକ୍ଷ ମା’ ଉପକୃତ ହେବେ। ୫ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦ ଲକ୍ଷ୍ ଲେଖାଏଁ ଋଣ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୦ ଲକ୍ଷ ଟଙ୍କାର ଋଣ ମିଳିଥିଲା।
ଏହି ଅବସରରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆଗେଇ ନେବା ଓ ଓଡିଶାର ରୂପାନ୍ତରରେ ଭାଗୀଦାର ହେବାପାଇଁ ବ୍ୟାଙ୍କର୍ସ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ମା ମାନଙ୍କୁ ସଶକ୍ତ କରିବାରେ ଓଡିଶା ଏକ ଆଗୁଆ ରାଜ୍ୟ। ଓଡିଶାର ଘରେ ଘରେ, ଗାଁ ଗାଁରେ ଆଜି ମିଶନ ଶକ୍ତି ଆଜି ତାର ଜୟଯାତ୍ରା ଜାରି ରଖିଛି ଏବଂ ଆଗାମୀ ଦିନରେ ଏହା ଆହୁରି ସଶକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ ଜିଲ୍ଲାସ୍ତରୀୟ ଫେଡେରେସନ ମାନଙ୍କ ପାଇଁ ଏକ କୋଟି ଏବଂ ବ୍ଲକ୍ ସ୍ତରୀୟ ଫେଡେରେସନ ପାଇଁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ କରିବା ପାଇଁ ନିଷ୍ପତ୍ତି କରାଯାଇଛି । ଏହାସହିତ ମା ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ଟି Multi Purpose Mobile Van-cum-ATMକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଗ୍ରାମାଞ୍ଚଳରେ ଆର୍ଥିକ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମକୁ ଏହା ଆହୁରି ସୁଦୃଢ କରିବା ବୋଲି ସେ ଆଶାପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ଯେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଗ୍ରାମାଞ୍ଚଳରେ ବିଶେଷକରି ମହିଳାମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏଥିପାଇଁ ଗତ ୬ ବର୍ଷ ଧରି ଏହା ରାଜ୍ୟ ସରକାରଙ୍କ ଠାରୁ Excellence Award ମଧ୍ୟ ପାଇଛି। ମେକ୍-ଇନ୍-ଓଡ଼ିଶା କାର୍ଯ୍ୟକ୍ରମରେ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କ ଭାବେ ମଧ୍ୟ ପୁରସ୍କାର ପାଇଛି ।
ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟରେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ହାରାହାରି ଋଣ ପରିମାଣ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିପାଇଁ ବ୍ୟାଙ୍କମାନେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଗତ କିଛି ବର୍ଷ ଧରି ଲକ୍ଷ୍ୟ ଠାରୁ ଅଧିକ ଋଣ ଉପଲବ୍ଧ ହୋଇପାରୁଛି ବୋଲି ସେ କହିଥିଲେ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ଆଜି ମିଶନ ଶକ୍ତି ଏକ ମହାଦ୍ରୁମରେ ପରିଣତ ହୋଇପାରିଛି । ମିଶନ ଶକ୍ତିର ମା ମାନେ ଋଣ ପରିଶୋଧ କ୍ଷେତ୍ରରେ ବହୁତ ଆଗରେ ଅଛନ୍ତି ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଭାଗ ନେଇ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ କହିଥିଲେ ଯେ ମିଶନ ଶକ୍ତି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଭିନ୍ନ କ୍ଷେତ୍ରରେ ଯୋଗଦାନ ରଖି ମା ମାନେ ନିଜର ଉପସ୍ଥିତି ଓ ମର୍ଯ୍ୟଦା ଜାହିର କରିବେ । ଏ କ୍ଷେତ୍ରରେ ଆଜି ଆମେ ଅନେକ ପରିମାଣରେ ସଫଳ ହୋଇଛୁ । ଦିନ ଥିଲା ମା ମାନେ ବ୍ୟାଙ୍କ କଣ ଜାଣି ନ ଥିଲେ। ବ୍ୟାଙ୍କକୁ ଯିବାକୁ ଡରୁ ଥିଲେ। କାରଣ ଏହା ଥିଲା ପୁରୁଷ ମାନଙ୍କ କ୍ଷେତ୍ର। ଆଜି ବ୍ୟାଙ୍କ ମାନେ ଗାଁ ଗାଁ, ଘର ଘର ବୁଲି ମା ମାନଙ୍କୁ ଋଣ ଦେଉଛନ୍ତି। ଏହା ହେଉଛି ରୂପାନ୍ତର। ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ସ୍ୱୟଂ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ଗୋଷ୍ଠୀକୁ ବ୍ୟାଙ୍କର ମାନଙ୍କ ଋଣ ପ୍ରଦାନ କାର୍ଯ୍ୟକ୍ରମର ନିୟମିତ ସମୀକ୍ଷା କରନ୍ତି । ସେହିପରି ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ କରିବାରେ ଓଡିଶା ପ୍ରଥମ ରାଜ୍ୟ। ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମା ମାନଙ୍କୁ ୫ ବର୍ଷରେ ୫୦,୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବ ଓ ୧୨୦୦ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ମୋହନ ଏମ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜେନେରାଲ ମ୍ୟାନେଜର ବସନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।