ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ଭୋଟିଂ ସମୟକୁ ହ୍ରାସ୍ କରାଯାଇଛି । ସକାଳ ୭ ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଭୋଟିଂ ହେବ । ଶୀତ ଦିନ ଏବଂ ମାଓ ଅଞ୍ଚଳକୁ ଦୃଷ୍ଟିରେ ରଖି ଏହି ସମୟ ଧାର୍ଯ୍ୟ କରାଯାଇଛି । ଆଜି ସର୍ବ ଦଳୀୟ ବୈଠକ ପରେ ନିର୍ବାଚନ କମିସନଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି । ପୂର୍ବରୁ ଧାମନଗର ଉପନିର୍ବାଚନ ଭୋଟିଂ ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଚାଲିଥିଲା ।
ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକରେ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ । ଉପନିର୍ବାଚନକୁ ଶାନ୍ତି ଓ ଶୃଙ୍ଖଳାର ସହ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସବୁ ଦଳର ସହଯୋଗ ଲୋଡିଥିଲେ । ଅନ୍ୟପକ୍ଷରେ ଉପନିର୍ବାଚନରେ ସରକାରୀ କଳର ଅପବ୍ୟବହାର ରୋକିବାକୁ ଉଭୟ ବିଜେପି ଏବଂ କଂଗ୍ରେସ ପ୍ରତିନିଧି ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ୱଚ୍ଛ ଏବଂ ନିରପେକ୍ଷ ନିର୍ବାଚନ କରିବାକୁ ସେମାନେ କମିସନଙ୍କ ନିକଟରେ ଦାବି କରିଥିଲେ ।