ଭୁବନେଶ୍ୱର: ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଜି ଶେଷ ହୋଇଛି । ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ପ୍ରାରମ୍ଭିକ ଆକଳନ ଅନୁଯାୟୀ ୭୦% ରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । କାଲି ଚୂଡ଼ାନ୍ତ ଆକଳନ ବେଳକୁ ଏହି ହାର ବଢ଼ିପାରେ । ଆଜି ମଧ୍ୟ କିଛି ଜାଗାରେ ଭୋଟ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ଜିଲ୍ଲାପାଳଙ୍କ ରିପୋର୍ଟ ଭିତ୍ତିରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କମିସନର କହିଛନ୍ତି ।
ଚଳିତ ପଞ୍ଚାୟତ ନିର୍ବାଚନ ବେଳେ ଅନେକ ଜାଗାରେ ଉତ୍ତେଜନା, ଗଣ୍ଡଗୋଳ ଏବଂ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ବିଶୃଙ୍ଖଳା ରୋକିବାକୁ କମିସନ ପ୍ରଥମରୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନାହାନ୍ତି । ପ୍ରଥମ ପର୍ଯ୍ୟାୟରେ ଘଟିଥିବା ବିଶୃଙ୍ଖଳାରେ କମିସନ କ୍ଷୁବ୍ଧ ହୋଇ ଡିଜିଙ୍କୁ ତାଗିଦ୍ କରିଥିଲେ । ତଦନୁଯାୟୀ ପୁଲିସ ପକ୍ଷରୁ ଆଇନଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନେ୍ଦାବସ୍ତ ହୋଇଥିଲା । ମାତ୍ର ଗଣ୍ଡଗୋଳ, ହିଂସାକାଣ୍ଡକୁ ସମ୍ପୂର୍ଣ୍ଣ ରୋକାଯାଇପାରିନାହିଁ । କିଛି ଜାଗାରେ ଦୁଇଗୋଷ୍ଠୀ ମୁହାଁମୁହିଁରୁ ପିଟାପିଟି, ହଣାକଟା ଭଳି ତୁମୁଳ କାଣ୍ଡ ଘଟିଥିବା ବେଳେ ଅନେକ ଜାଗାରେ ବୁଥ୍ ଜବରଦଖଲର ଅଭିଯୋଗ ଆସିଥିଲା ।
ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିଭ୍ରାଟ୍ ସୃଷ୍ଟି ହୋଇଥିବା ବୁଥ୍ ରେ ଗତ ୨୩ ତାରିଖରେ ସାନି ମତଦାନ ହୋଇଥିଲା । ଶେଷ ଦୁଇଟି ପର୍ଯ୍ୟାୟରେ ବିଭ୍ରାଟ୍ ଘଟିଥିବା ବୁଥ୍ ରେ ଆସନ୍ତାକାଲି ୨୫ ତାରିଖରେ ସାନି ମତଦାନ ହେବ । ଆସନ୍ତା ୨୬, ୨୭ ଓ ୨୮ ତାରିଖ ଦିନ ଭୋଟ ଗଣତି ହେବ ।
୮୫୩ ଜିଲ୍ଲା ପରିଷଦ, ୬,୭୯୪ ସରପଞ୍ଚ, ୬,୭୯୩ ସମିତି ସଭ୍ୟ ଏବଂ ୯୧,୯୧୩ ୱାର୍ଡ ମେମ୍ବର ପଦ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୨ କୋଟି ୭୯ ଲକ୍ଷ ୩୫ ହଜାର ୫୨୦ ଭୋଟରଙ୍କ ମଧ୍ୟରୁ ୭୫ରୁ ୮୦% ଭୋଟର ଭୋଟ ଦେଇଛନ୍ତି ।