ଭୁବନେଶ୍ୱର: କିଟ୍ ଏବଂ କିମ୍ସ ଉପରେ ୩ କୋଟିରୁ ଅଧିକ ଟଙ୍କା ହୋଲଡିଂ ଟିକସ ବକେୟା ପଡ଼ିଛି ବୋଲି ଓଟିଭିର ମିଛ ଖବର ଧରାପଡ଼ିଯାଇଛି । “ମିଡ ଡେ ଓଡ଼ିଶା’ରେ ଏହି ଖବର ପ୍ରକାଶ ପାଇଲା ପରେ ସଂସ୍ଥାବାଲା ବାଉଳା ହୋଇଛନ୍ତି । ଓଟିଭିରେ ବିଗ୍ ବ୍ରେକିଂ ରୂପରେ ଆସିଥିବା ଏହି ମିଛ ଖବରକୁ ରଙ୍ଗିଲା କରିଥିବା ଭାଗୁଆଳି ସଂସ୍ଥା “ଓଡିଶା ରିପୋର୍ଟର’ ନିଜର ତ୍ରୁଟି ସଂଶୋଧନ କରିଥିଲେ ମଧ୍ୟ ମୁହଁଟାଣ ରଖିବାକୁ ପୁଣି ମିଛର ଆଶ୍ରୟ ନେଇଛି । ସେଥିରେ ବିଭ୍ରାନ୍ତିକର ଖବର ପରିବେଷଣ କରିଛି । ଖାଲି କିଟ୍ ନୁହେଁ, ବିଏମସି ହୋଲଡିଂ ଟିକସ ଖିଲାପକାରୀଙ୍କର ଏକ ପୁରୁଣା ତାଲିକା ଦେଖାଇ ସୋଆକୁ ମଧ୍ୟ ବଦନାମ କରିବାକୁ ଏହି ମିଡିଆ ଉଦ୍ୟମ କରିଥିଲା । ମାତ୍ର ତାହା ଫସର ଫାଟିଯାଇଛି । ଚୋର ମୁହଁ ଟାଣ ଭଳି ଏହି ସଂସ୍ଥା ବିଏମସିରେ ଖାତା ନ ଖୋଲି ଟିକସ ଫାଙ୍କି ଚାଲିଥିବା ବେଳେ ଅନ୍ୟ ଉପରକୁ ଅଙ୍ଗୁଳି ଉଠାଇବା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
କିଟ୍ ଏବଂ କିମସ୍ ଅନୁଷ୍ଠାନ ବିଏମସିର ୩ କୋଟିରୁ ଅଧିକ ଟଙ୍କା ହୋଲଡିଂ ଟିକସ ବକେୟା ରଖିଛନ୍ତି ବୋଲି ବୁଧବାର ସକାଳେ ଓଟିଭିରେ “ବିଗ୍ ବେକ୍ରିଂ’ ଖବର ହୋଇଥିଲା । ଏହା ପରେ ଓଡ଼ିଶା ରିପୋର୍ଟର ରେ ଏହାର ବିସ୍ତୃତ ରିପୋର୍ଟ ଆସିଥିଲା । ଏଥିରେ କୁହାଯାଇଥିଲା ଯେ କିଟ୍ ଏବଂ କିମ୍ସ ମୋଟ ୨ କୋଟି ୯୮ ଲକ୍ଷ ଟଙ୍କାର ହୋଲଡିଂ ଟିକସ ଦେଇନାହାନ୍ତି । ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଓ ଏହାର ସଭାପତିଙ୍କର ବିଭିନ୍ନ ସ୍ଥାନରେ ଥିବା କୋଠାକୁ ଦେଖିଲେ ୬ କୋଟି ୧୫ ଲକ୍ଷ ଟଙ୍କା ଦେଇନାହାନ୍ତି । ସେହିଭଳି ଟିକସ ଖିଲାପକାରୀଙ୍କ ତାଲିକାରେ ଆହୁରି କେତେକ ସଂସ୍ଥାର ନାଁ ଉଲ୍ଲେଖ କରାଯାଇଥିଲା ।
ବିଏମସି କ୍ରମାଗତ ଭାବେ ହୋଲଡିଂ ଟ୍ୟାକ୍ସ ଫାଙ୍କୁଥିବା କିଛି ବଡ଼ ଖିଲାପକାରୀଙ୍କ ନାଁ କୁଆଡ଼େ ସାର୍ବଜନୀନ କରିଛି ଏବଂ ଏମାନେ ସେହି ତାଲିକାରେ ଅଛନ୍ତି ବୋଲି କୁହାଯାଇଥିଲା ।
ମାତ୍ର ଅନୁସନ୍ଧାନ ବେଳେ ନିର୍ଦ୍ଦିଷ୍ଟ ଭାବେ କିଟ୍, କିମ୍ସ ଏବଂ ସୋଆ କ୍ଷେତ୍ରରେ ଏହା ସୁଦୁ ମିଛ ବୋଲି ଜଣାପଡ଼ିଥିଲା । ହୋଲଡିଂ ଟିକସ ବାବଦରେ କିଟ୍ ସଂସ୍ଥା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଚଳିତ ମାସ ୬ ତାରିଖରେ ୩ କୋଟି ୮୪ ଲକ୍ଷ ଟଙ୍କା ଆରଟିଜିଏସ୍ ମାଧ୍ୟମରେ ପେମେଣ୍ଟ କରିସାରିଛି । ସେହିଭଳି ସୋଆ ଉପରେ ମଧ୍ୟ କୌଣସି ବକେୟା ଟିକସ ନାହିଁ । ମାର୍ଚ୍ଚ ୩୧ ତାରିଖ ପ୍ରାପ୍ୟ ତାରିଖ ଭିତରେ ଚଳିତ ବର୍ଷର ହୋଲଡିଂ ଟିକସ ଦେବାକୁ ଅଛି । ତେଣୁ ଟିକସ ଖିଲାପ ତାଲିକାରେ ଏମାନେ ରହିବାର ପ୍ରଶ୍ନ ଉଠୁନି ।
ଓଟିଭିର ମିଛ ବିଗ୍ ବ୍ରେକିଂ ଖବର ଉପରେ ମିଡ ଡେ ଓଡିଶାରେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଲା ପରେ ବିଭିନ୍ନସ୍ତରରେ ଏହାର ଛାନଭିନ୍ ଆରମ୍ଭ ହୋଇଥିଲା । ଓଟିଭି ଓ ଓଡିଶା ରିପୋର୍ଟର ର ମିଛ ଖବର ବିଏମସି ନଜରକୁ ମଧ୍ୟ ଆସିଥିଲା । ଏହି ମିଛ ଖବରକୁ ନେଇ ଓଟିଭି ସଂସ୍ଥା ଉପରେ ଚାପ ବଢ଼ିବାରୁ ସଂଧ୍ୟାରେ ଓଡିଶା ରିପୋର୍ଟ ରେ ଏକ ସଂଶୋଧିତ ଖବର ପ୍ରକାଶ ପାଇଛି । ଯାହାର ହେଡଲାଇନ୍ ରହିଛି- ହୋଲଡିଂ ଟ୍ୟାକ୍ସ କ୍ଲିଅର୍ କଲେ କିଟ୍ ଓ ସୋଆ!!
ଏହି ଶୀର୍ଷକଟି ଯେ ବିଭ୍ରାନ୍ତିମୂଳକ ତାହା କହିବା ଅନାବଶ୍ୟକ । କାରଣ କିଟ୍ ଏବଂ ସୋଆ ର କୌଣସି ବକେୟା ଟିକସ ନ ଥିଲା କି ନାହିଁ ।
ଦ୍ୱିତୀୟତଃ, ଖବରରେ ପ୍ରକାଶିତ ତଥ୍ୟ ଅନୁଯାୟୀ ବିଏମସି ପକ୍ଷରୁ ଗତ ମଙ୍ଗଳବାର ରାତିରେ ୪୫ ଜଣ ବଡ଼ ଟିକସ ଖିଲାପକାରୀଙ୍କ ନାଁ ସାର୍ବଜନୀନ କରାଯାଇଥିଲା । ସେହି ଆଧାରରେ କିଟ୍ ବକେୟା ଟିକସ ଦେଇନାହିଁ ବୋଲି ଓଟିଭି ସଂସ୍ଥା ଖବର କରିଥିଲା । ମାତ୍ର ବିଏମସିକୁ ଆଜି ତାଙ୍କର ପ୍ରତିନିଧି ପଚାରିବାରୁ ୭ ଦିନ ତଳ ପର୍ଯ୍ୟନ୍ତ ଯେଉଁମାନେ ଖିଲାପକାରୀ ଥିଲେ ସେମାନଙ୍କ ନାଁ ତାଲିକାଭୁକ୍ତ ହୋଇଥିଲା ବୋଲି କୁଆଡେ କୁହାଯାଇଛି । ବିଏମସି ଡେପୁଟି କମିସନର(ରାଜସ୍ୱ) ଅଜୟ ମହାନ୍ତିଙ୍କୁ ଫୋନ୍ କରିବାରୁ ସେ କୁଆଡ଼େ ଏହା କହିଛନ୍ତି ।
ଏଠି ଏକ ସାଧାରଣ ପ୍ରଶ୍ନ ଯେ ପ୍ରତିବର୍ଷ ବିଏମସିର ହୋଲଡିଂ ଟିକସ ଆଦାୟର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଥିବା ବେଳେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଖିଲାପକାରୀଙ୍କ ତାଲିକା ଆସିବ କୁଆଡୁ? ତାଲିକା ନାହିଁ ତ ସାର୍ବଜନୀନ କେମିତି ହେବ? ମାତ୍ର ଓଡ଼ିଶା ରିପୋର୍ଟରକୁ ବିଏମସି ଅଧିକାରୀ ଏକଥା ସତରେ କହିଛନ୍ତି ନା ଆଉ କିଛି କହିଛନ୍ତି?
ପ୍ରକୃତ ଘଟଣା ଜାଣିବାକୁ ଆମେ ଅଜୟ ମହାନ୍ତିଙ୍କୁ ତାଙ୍କ ମୋବାଇଲ୍ ନଂ୯୮୬୧୨୭୬୯୩୭ ଯୋଗେ ବାରମ୍ବାର ଯୋଗାଯୋଗ କରିଥିଲୁ । ମାତ୍ର ସେ ଫୋନ୍ ଉଠାଇ ନ ଥିଲେ । କଲ୍ କାଟି ଦେଇଥିଲେ ।
ସୂଚନାଥାଉକି, ଚନ୍ଦକା ଇଣ୍ଡଷ୍ଟ୍ରି୍ରଆଲ୍ ଅଞ୍ଚଳରେ ଓଟିଭି ଅଫିସ ହେବା ଦିନଠୁଁ ଏ ପର୍ଯ୍ୟନ୍ତ ବିଏମସିକୁ ସେଠାରୁ ଟଙ୍କାଟିଏ ବି ହୋଲଡିଂ ଟିକସ ଆସିନାହିଁ । ବିଏମସି ହୋଲଡିଂ ଟିକସ ଖାତାରେ ଓଟିଭି ଅଫିସ ବିଲଡିଂ ନାଁ ଚଢ଼ିନି । ହୋଲଡିଂ ଟିକସ ଖାତାରେ ନାଁ ଚଢ଼େଇବା ପାଇଁ ବିଏମସି କର୍ମଚାରୀ ବାରମ୍ବାର ଦୌଡୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଧରାଛୁଆ ଦେଉନାହାନ୍ତି । ଏହିଭଳି ଭାବେ ଓଟିଭି ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାର ହୋଲଡିଂ ଟିକସ ଫାଙ୍କି ଚାଲିଛି । ଆରଟିଆଇରେ ଏହି ତଥ୍ୟ ବାହାର କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।