ଭୁବନେଶ୍ୱର: ଭଉଣୀ ପଲ୍ଲବୀ ଏବଂ ଭିଣୋଇ ଅର୍ଧେନ୍ଦୁଙ୍କୁ ସାଙ୍ଗରେ ଧରି ଆଜି ନବୀନ ନିବାସରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ପିପିଲି ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ମୁଖ୍ୟମନ୍ତ୍ରୀଙ୍କ ହାତରୁ ଟିକେଟ ଗ୍ରହଣ କରିବା ସହ ତାଙ୍କର ଆଶିର୍ବାଦ ନେଇଥିଳେ ରୁଦ୍ର । ନବୀନ ନିବାସରୁ ଘରକୁ ଫେରି ମା’ ପ୍ରତିଭା ମହାରଥୀଙ୍କଠାରୁ ଆଶିର୍ବାଦ ନେବା ବେଳେ ପରିବାରରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ପରିବାରରେ ଏକତା ଅଛି ଏବଂ ପୁଅ ଟିକେଟ ପାଇଥିବାରୁ ସେ ବହୁତ ଖୁସି ବୋଲି ଶ୍ରୀମତୀ ମହାରଥୀ ଦୋହରାଇବା ସହ ମୁଖ୍ୟମନ୍ତ୍ରୀ ତଥା ପିପିଲି, ଡେଲାଙ୍ଗବାସୀଙ୍କ ଆଶିର୍ବାଦରେ ରୁଦ୍ର ନିଶ୍ଚିତ ବିଜୟ ଲାଭ କରିବ ବୋଲି କହିଛନ୍ତି ।
ଆଜି ଦିନ ପ୍ରାୟ ୧୨ଟା ବେଳେ ଭଉଣୀ, ଭିଣୋଇଙ୍କ ସହ ରୁଦ୍ର ନବୀନ ନିବାସରେ ପହଞ୍ଚିଥିଲେ । ଦଳର ବରିଷ୍ଠ ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏବଂ ବିଧାୟକ ପ୍ରଣବ ବଳବନ୍ତରାୟ ସେଠାରେ ଉପସ୍ଥିତ ଥିଲେ । ରୁଦ୍ରଙ୍କ ହାତକୁ ମୁଖ୍ୟମନ୍ତ୍ରୀ ଦଳୀୟ ଟିକେଟ ଦେବା ପରେ ଭାଇ, ଭଉଣୀଙ୍କ ସହ କିଛି ସମୟ କଥା ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆଶିର୍ବାଦ ନେଇ ସେମାନେ ଫେରିଥିଲେ ।
ଭଉଣୀ, ଭିଣୋଇଙ୍କ ସହ ନବୀନ ନିବାସରୁ ଟିକେଟ ଧରି ରୁଦ୍ର ତାଙ୍କ ଦିବଙ୍ଗତ ବାପାଙ୍କ ସରକାରୀ କ୍ୱାର୍ଟରକୁ ସିଧା ଆସିଥିଲେ । ସେଠାରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ମହାରଥୀ ପରିବାରର ସମସ୍ତଙ୍କ ଆଖିରେ ଥିଲା ଖୁସିର ଲୁହ । ବୋଧହୁଏ ସ୍ୱାମୀଙ୍କୁ ମନେ ପକାଇ ପ୍ରତିଭା ନିଜର କୋହ ସମ୍ବରଣ କରି ପାରୁନଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜଣାଇ ପୁଅର ବିଜୟ ସୁନିଶ୍ଚିତ ବୋଲି କହିଥିଲେ ।
ସରକାରୀ ଚାକିରିଆ ହୋଇଥିବାରୁ ପୁଅ ପାଇଁ ନିର୍ବାଚନ ପ୍ରଚାରରେ ବାଧା ଅଛି । ପ୍ରଚାରକୁ ନଗଲେ ମଧ୍ୟ ମା’ ହିସାବରେ ପୁଅ ପାଇଁ ଯାହା ଦାୟିତ୍ୱ, କରିବେ ବୋଲି ଶ୍ରୀମତୀ ମହାରଥୀ କହିଛନ୍ତି । ପଲ୍ଲବୀ କହିଛନ୍ତି, ମହାରଥୀ ପରିବାର ସବୁବେଳେ ପିପିଲି ଓ ଡେଲାଙ୍ଗବାସୀଙ୍କ ସାଥୀରେ ଥିଲେ, ଅଛନ୍ତି ଏବଂ ରହିବେ । ଭାଇଙ୍କୁ ଜିତାଇବା ପାଇଁ ଜୀ ଜାନ୍ ରେ ଲାଗିବୁ । ଆସନ୍ତା ୩୦ ତାରିଖ ନାମାଙ୍କନପତ୍ର ଦାଖଲ ପରଦିନଠାରୁ ପ୍ରଚାର କାର୍ଯ୍ୟରେ ଲାଗିବୁ ବୋଲି ଅର୍ଧେନ୍ଦୁ କହିଛନ୍ତି ।
ପିପିଲି ଟିକେଟକୁ ନେଇ ମହାରଥୀ ପରିବାରରେ ଫାଟ ସୃଷ୍ଟି ହୋଇଥିବା କିଛି ଗଣମାଧ୍ୟମର ଖବର ଅମୂଳକ ଓ ବିଭ୍ରାନ୍ତିକର ବୋଲି ଗତକାଲି ଶ୍ରୀମତୀ ପ୍ରତିଭା ମହାରଥୀ ବାର୍ତ୍ତା ଦେଇଥିଲେ । ଆଜି ତାହା କାମରେ ଦେଖାଇଛନ୍ତି ମହାରଥୀ ପରିବାର । ଏହି ଖବର ସମ୍ପୂର୍ଣ୍ଣ ଗୁଜବ ଥିଲା ବୋଲି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।