ଭୁବନେଶ୍ୱର: ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ନେଇ କିଛି ଗଣମାଧ୍ୟମରେ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏକ ଭିଡ଼ିଓ ବୟାନରେ ପ୍ରତିଭା କହିଛନ୍ତି, ମୋ ପୁଅ ଯେତେବେଳେ ବିଜେଡ଼ିରୁ ପ୍ରାର୍ଥୀ ହୋଇଛି, ମୁଁ ମା’ ହିସାବରେ ସବୁଠାରୁ ଅଧିକ ଖୁସି । ମୋର ସବୁ ପ୍ରକାର ଆଶିର୍ବାଦ ପୁଅ ଉପରେ ରହିବ । ଏଇଟା କହିବାର ଆବଶ୍ୟକତା ନାହିଁ ବୋଲି ପ୍ରତିଭା କହିଛନ୍ତି । ଏଥିସହ ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଇଥିବାରୁ ସେ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ, ନିର୍ବାଚନମଣ୍ଡଳୀ ଏବଂ ପରିବାରର ଆଶିର୍ବାଦରେ ପୁଅ ବିପୁଳ ଭୋଟରେ ବିଜୟ ଲାଭ କରିବ ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରତାପ ଦେବ କହିଛନ୍ତି, ପ୍ରତିଭା ମହାରଥୀଙ୍କୁ ନେଇ ବିଭ୍ରାନ୍ତିକର ଖବର କିଛି ଗଣମାଧ୍ୟମର ସୃଷ୍ଟି । ଖବରକୁ ରୋମାଞ୍ଚକର କରିବାକୁ ଏଭଳି ବିଭିନ୍ନ ଅପପ୍ରଚାର କରାଯାଉଛି । ପିପିଲିରେ ବିଜେଡ଼ି ଏକଲୟ, ଏକମନ ଓ ଏକପ୍ରାଣରେ ନିର୍ବାଚନ ଲଢ଼ିବ, ଏଥିରେ ସନ୍ଦେହ ନାହିଁ ବୋଲି ଶ୍ରୀ ଦେବ ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ, ପିପିଲିରୁ ଟିକେଟ ପାଇବା ପାଇଁ ମାଆ-ପୁଅ ଦାବିଦାର ଥିଲେ । ତେବେ ପୁଅ ରୁଦ୍ରଙ୍କୁ ବିଜେଡ଼ି ଟିକେଟ ଦିଆଯିବା ପରେ ମାଆ ପ୍ରତିଭା କ୍ଷୁବ୍ଧ ହୋଇଥିବା କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ତେବେ ଏ ପ୍ରସଙ୍ଗରେ ପାଟି ଚୁପ୍ ରଖିଥିବା ଶ୍ରୀମତୀ ମହାରଥୀ ଶନିବାର ଦିନ ଦଳୀୟ ନେତାଙ୍କୁ ସାକ୍ଷାତ କଲା ପରେ ଏହି ଭିଡ଼ିଓ ବୟାନ ଛାଡ଼ିଛନ୍ତି ।