ଭୁବନେଶ୍ୱର: ପିପିଲି ଉପନିର୍ବାଚନ ରେଜଲ୍ଟ କାଲି ବାହାରିବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେଉଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ଫଳାଫଳ ବାହାରିବ ଯିବ ବୋଲି ଆଶା କରାଯାଉଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ରବିବାରର ଭୋଟ ଗଣତି ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ।
ସକାଳ ୮ଟା ବେଳେ ପ୍ରଥମେ ପୋଷ୍ଟାଲ୍ ଭୋଟଗୁଡ଼ିକର ଗଣତି ହେବ । ୮.୩୦ ରୁ ଇଭିଏମ୍ ଭୋଟ ଗଣତି ଆରମ୍ଭ ହେବ । ଦୁଇଟି ହଲ୍ ରେ ଇଭିଏମ୍ ଓ ଗୋଟିଏ ହଲରେ ପୋଷ୍ଟାଲ ବାଲାଟ ଗଣତି ହେବ । ଇଭିଏମ୍ ପାଇଁ ଗୋଟିଏ ହଲରେ ୭ଟି ଲେଖାଏଁ ଦୁଇ ହଲରେ ୧୪ ଟେବୁଲର ବ୍ୟବସ୍ଥା କରାଯାଇଛି । ପ୍ରତି କାଉଣ୍ଟିଂ ଟେବୁଲରେ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ, ଜଣେ କାଉଣ୍ଟିଂ ସୁପର ଭାଇଜର୍ ଏବଂ ଜଣେ ମାଇକ୍ରୋ ଅବଜରଭର ରହିବେ । ଗଣତି ପାଇଁ ସମୁଦାୟ ୬୨ କର୍ମଚାରୀଙ୍କୁ ନିୟୋଜିତ କରାଯିବ । କାଉଣ୍ଟିଂ ଟେବୁଲରେ ପ୍ରାର୍ଥୀମାନେ ନିଜର ଏଜେଣ୍ଟ ରଖିପାରିବେ । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସିଇଓ ଶ୍ରୀ ଲୋହାନି କହିଛନ୍ତି ।
ସୂଚନାଯୋଗ୍ୟ, ଦୁଇ ଦୁଇ ଥର ସ୍ଥଗିତ ରହିବା ପରେ ଗତ ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମତଦାନ ୭୭ ପ୍ରତିଶତରୁ ଅଧିକ ହୋଇଥିଲା । ମୈଦାନରେ ୧୦ ଜଣ ପ୍ରାର୍ଥୀ ଥିଲେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀ ଏବଂ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହୋଇଛି ।
ଜୁନିୟର୍ ମହାରଥୀ ରୁଦ୍ର ପ୍ରସାଦ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବେ ବୋଲି ଦଳୀୟ ନେତାମାନେ ଆକଳନ କରିଛନ୍ତି । ତେବେ ଆଶ୍ରିତ ୧୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବେ ବୋଲି ବିଜେପି ସମର୍ଥକମାନେ ଅନୁମାନ ଲଗାଇଛନ୍ତି । ତେବେ ପ୍ରଥମରୁ ହିଁ ହାତ ଟେକିଦେଇଛି କଂଗ୍ରେସ । ଦଳୀୟ ପ୍ରାର୍ଥୀ ବିଶ୍ୱକେତନ ହରିଚନ୍ଦନ ମହାପାତ୍ର ତୃତୀୟ ସ୍ଥାନରେ ରହିବେ ବୋଲି ପିସିସି ନେତୃବୃନ୍ଦ ଗଣମାଧ୍ୟମରେ ବୟାନ ଦେଇଛନ୍ତି । ଖୋଦ୍ ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ଅସହାୟତାକୁ ଖୋଲାଖୋଲି ପ୍ରକାଶ କରିଛନ୍ତି ।