ଭୁୁବନେଶ୍ୱର: ଶେଷରେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରୁ ହଟିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫଡିସି)ର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି ।
ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ପଦରେ ଥିବା ୧୯୮୮ ବ୍ୟାଚ୍ ଆଇଏଏସ୍ ପରାଗ ଗୁପ୍ତାଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ପଦରେ ଥିବା ୧୯୯୧ ବ୍ୟାଚ୍ ଆଇଏଏସ୍ ବିଜୟ ଆରୋରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡ଼ି ପଦ ଦିଆଯାଇଛି ।
ଆଜି ସଂଧ୍ୟାରେ ରାଜ୍ୟ ସରକାରଙ୍କର ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହି ବଦଳି ଆଦେଶକୁ ଗୁରୁତ୍ୱ ଦିଆଯାଉଛି । ବିଶେଷ କରି ୧୯୮୮ ବ୍ୟାଚ୍ ର ଆଇଏଏସ୍ ଶ୍ରୀ ମହାପାତ୍ରଙ୍କ ବଦଳି ଏବେ ଚର୍ଚ୍ଚାର ବିଷୟ ହୋଇଛି । କୋଭିଡ୍ ସଙ୍କଟକୁ ସମ୍ଭାଳିବା ପାଇଁ ରାଜ୍ୟ ସରକାର ବର୍ଷେ ତଳେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଦେଇଥିଲେ । ତେବେ ଦ୍ୱିତୀୟ ଲହର ନ ସରୁଣୁ ଏବଂ ଆଗକୁ ପାର୍ବଣ ଥିବା ବେଳେ ଗତ ସେପ୍ଟେମ୍ବର ୧୪ ତାରିଖରୁ ମାସକ ପାଇଁ ଛୁଟିରେ ଚାଲିଯାଇଥିଲେ । ବ୍ୟକ୍ତିଗତ କାରଣରୁ ସେ ଛୁଟିରେ ରହୁଥିବା ଜଣାଇଥିଲେ । ତାଙ୍କର ଏହି ଅଚାନକ ଛୁଟି ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା ।
ଚର୍ଚ୍ଚା ଅନୁଯାୟୀ, ଦ୍ୱିତୀୟ ଲହର କୋଭିଡ୍ ବେଳେ ସରକାରୀ ମୃତ୍ୟୁ ରିପୋର୍ଟକୁ ନେଇ ଶ୍ରୀ ମହାପାତ୍ର ବିବାଦରେ ଛନ୍ଦି ହୋଇଥିଲେ । ହାଇକୋର୍ଟଙ୍କ ପ୍ରତିକୂଳ ମନ୍ତବ୍ୟ ସରକାରଙ୍କୁ ଅଡୁଆରେ ପକାଇବାରୁ ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ କୁଆଡ଼େ କ୍ଷୁବ୍ଧ ହୋଇଥିଲେ । କୋଭିଡ୍ ପରିଚାଳନାରେ ତାଙ୍କର ଆଉ କିଛି କାର୍ଯ୍ୟ ସରକାରଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲା । ଆଉ ସେସବୁ ଚାପ ସମ୍ଭାଳି ନ ପାରି ସେ ଛୁଟିରେ ଚାଲି ଯାଇଥିଲେ ।
ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଏବେ ବୁଝୁଛନ୍ତି କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା ।