ଭୁବନେଶ୍ୱର: ଆଜି କରୋନା ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ଆଜିଠାରୁ ସାରା ଦେଶରେ ବୟସ୍କମାନଙ୍କୁ ଟିକା ଦିଆଯାଉଛି । ଦିଲ୍ଲୀ ଏମସ୍ ରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭୁବନେଶ୍ୱରର ବିଧାନସଭା ପରିସରସ୍ଥିତ ଚିକିତ୍ସାଳୟରେ ନବୀନ ନେଇଛନ୍ତି ଭାରତ ବାଓଟେକ୍ ନିର୍ମିତ ପ୍ରଥମ ଡୋଜ୍ କୋଭାକ୍ସିନ୍ ଟିକା । ୨୮ ଦିନରେ ଏହାର ଦ୍ୱିତୀୟ ଡୋଜ୍ ପାଳି ପଡ଼ିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନ ୧୦. ୪୫ ମିନିଟ୍ ରେ ବିଧାନସଭା ପରିସରରେ ଥିବା ଚିକିତ୍ସାଳୟରେ ପହଞ୍ଚିଥିଲେ । କ୍ୟାପିଟାଲ ହସ୍ପିଟାଲ୍ ର ନର୍ସ ସ୍ମରଣିକା ରଣସିଂହ ମୁଖ୍ୟମନ୍ତ୍ରୀଙ୍କୁ ଟିକା ଦେଇଥିଲେ । ଟିକା ନେବାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସ ପ୍ରତ୍ୟାବର୍ତ୍ତନ କରିଥିଲେ ।
ସେ ଟିକା ନେଇ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ଜଣାଇଛନ୍ତି । ଏଥିସହ ଟିକାକରଣ ପ୍ରକ୍ରିୟାରେ ସାମିଲ ବୈଜ୍ଞାନିକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ରାଜ୍ୟକୁ କୋଭିଡମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ସଂକଳ୍ପ ଦୋହରାଇବା ସହ ଯୋଗ୍ୟ ବ୍ୟକ୍ତିମାନେ ଟିକା ନେବାକୁ ଆଗେଇ ଆସିବା ପାଇଁ ଅନୁରୋଧ କରିଛନ୍ତି ।








