ଭୁୁବନେଶ୍ୱର: ଆଗରୁ ଚାଲିଥିଲା । ଏବେ ଦୌଡ଼ିଲା । ପୂର୍ବେ ବ୍ୟବସ୍ଥାର ଧର୍ଷଣ ହେଉଥିଲା । ଏବେ ଗଣଧର୍ଷଣ ଚାଲିଛି । ସରକାରୀ ଚାକିରି ବିକ୍ରି କେବଳ ଆଉ ଅଭିଯୋଗରେ ସୀମିତ ନାହିଁ । ଏହା ଏକ ବ୍ୟବସ୍ଥା ପାଲଟିଗଲାଣି । ଏହି ବ୍ୟବସ୍ଥାରେ ଶଙ୍କର ପୃଷ୍ଟି ଭଳି ଦଲାଲଙ୍କର ପ୍ରାଦୁର୍ଭାବ ବହୁତ ବଢ଼ିଯାଇଛି । ଦି ଟଙ୍କିଆ କୁଜି ଦଲାଲରୁ ଏବେ ବନିଛନ୍ତି କୋଟିପତି ଦଲାଲ । ପୂର୍ବ ଅଭିଜ୍ଞତାକୁ ଧରି ରାତାରାତି ସେମାନେ କୋଟିପତି ହେବାର ସ୍ୱପ୍ନକୁ ସାକାର କରୁଛନ୍ତି । ବ୍ୟବସ୍ଥାର ଯୁଆଡ଼େ ହାତ ମାରିବ ସେଠି ଶଙ୍କର ପୃଷ୍ଟି ଭଳି ଦଲାଲଙ୍କର ଚାଲିଛି ରାଜ୍ । ବର୍ଷା ଯୁଆଡ଼େ ଛତା ସିଆଡ଼େ ନ୍ୟାୟରେ ସରକାରକୁ ଯିଏ ଆସିଲା ସେମାନେ ତାଙ୍କର ଗୋଟାପଣେ ସୁନାପୁଅ । ନେଇଆଣି ଥୋଇବା କଳାରେ ସେମାନେ ଧୂରନ୍ଧର । ନେତା, ଅଫିସରଙ୍କ ମନଖୁସି କରିବାର କଳା କୌଶଳ ବିଦ୍ୟାରେ ଏମାନେ ପାରଙ୍ଗମ । ରାଜ୍ୟରେ ଏବେ ହଟଚମଟ ସୃଷ୍ଟି କରିଥିବା ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଏହାର ଭୟାନକ ପରିଣାମ ।
ଓଡ଼ିଶା ପୁଲିସ ଏସଆଇ ପରୀକ୍ଷା ପରିଚାଳନା ଦାୟିତ୍ୱ ଭାରତ ସରକାରଙ୍କ ସଂସ୍ଥା ଆଇଟିଆଇ ଉପରେ ନ୍ୟସ୍ତ ଥିଲା । ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) ଏହି କେନ୍ଦ୍ରୀୟ ଉଦ୍ୟୋଗକୁ ପରୀକ୍ଷା ପରିଚାଳନା ଆଉଟ୍ସୋର୍ସ କରିଦେଇଥିଲା । ଆଇଟିଆଇ ତା’ର ସହଯୋଗୀ ସଂସ୍ଥା ଭାବେ ଓଡ଼ିଶାର ଏକ ଘରୋଇ ସଂସ୍ଥା ସିଲିକନ୍ ଟେକଲାବ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଦାୟିତ୍ୱ ଛାଡ଼ିଥିଲା । ଆଉ ସିଲିକନ୍ ଟେକଲାବ୍ ତା’ର ସହଯୋଗୀ ଭାବେ ବ୍ରହ୍ମପୁରର ପଞ୍ଚସଫ୍ଟ ଟେକ୍ନୋଲୋଜିକୁ ଦାୟିତ୍ୱ ଛାଡ଼ିଦେଲା ।
ପରୀକ୍ଷା ପରିଚାଳନାରେ ସମ୍ପୂର୍ଣ୍ଣ ଅନଭିଜ୍ଞ ପଞ୍ଚସଫ୍ଟ ଟେକ୍ନୋଲୋଜିର ମୁଖ୍ୟ ହେଉଛନ୍ତି ଶଙ୍କର ପୃଷ୍ଟି । ଏ ଲୋକଟି ଭାରି କରିତକର୍ମା । ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରିବା, ପାସ୍ କରାଇଦେବାକୁ କହି ଅର୍ଥ ଆଦାୟ କରିବା ବିଦ୍ୟାରେ ଧୂରନ୍ଧର । ଗୁଣ ଚିହ୍ନେ ଗୁଣିଆ ନ୍ୟାୟରେ ଆଇଟିଆଇ ସଂସ୍ଥାରୁ ଦାୟିତ୍ୱ ଗଡ଼ି ଗଡ଼ି ଶଙ୍କର ପୃଷ୍ଟି ସଂସ୍ଥା ହାତକୁ ଆସିଥିଲା । ବ୍ୟବସ୍ଥାରେ ଥିବା ବାବୁମାନେ ମିଳିମିଶି ଏହି ଚମତ୍କାରିତା କରିଥିଲେ ।
ଏହି ଶଙ୍କର ପୃଷ୍ଟି କିଏ?
ଗତକାଲି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ବିଜେପି ଦଳର ସଦସ୍ୟ ବୋଲି କୁହାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କଠାରୁ ଆରମ୍ଭ କରି ଗଣ୍ଡା ଗଣ୍ଡା ମନ୍ତ୍ରୀ, ବିଧାୟକଙ୍କ ସହ ତାଙ୍କ ସମ୍ପର୍କର ପେଡ଼ି ଖୋଲାଯାଇଛି । ଏମାନଙ୍କ ସହ ଶଙ୍କରର ଫଟୋ ଜାରି କରାଯାଇ ସମ୍ପର୍କର ନିବିଡ଼ତା ବୟାନ କରାଯାଇଛି ।
ଏସବୁ ସତ ଫଟୋ । ରାଜ୍ୟରେ ବିଜେପି ସରକାର ଆସିଲା ପରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଅନ୍ତର୍ଗତ ବ୍ରାହ୍ମଣସାହି ପଞ୍ଚାୟତ ବାସିନ୍ଦା ଶଙ୍କର ପୃଷ୍ଟି ବିଜେପିରେ ନିଜକୁ ସମର୍ପିତ କରିଛନ୍ତି । ବନିଛନ୍ତି ବିଜେପି ନେତାଙ୍କ ଡାର୍ଲିଂ । ତେବେ ଏହା ପୂର୍ବରୁ ସେ କୁଆଡ଼େ ବିଜେଡିରେ ଥିଲେ । କୁଆଡ଼େ ପ୍ରଚଣ୍ଡ ଟାଉଟର, ଦଲାଲ, ଗୁଣ୍ଡା ଏବଂ ମର୍ଡରର ।
ହିଞ୍ଜିଳି ଅଞ୍ଚଳର କଂଗ୍ରେସ ନେତା ରଜନୀ କାନ୍ତ ପଣ୍ଡା ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ରାଜନୈତିକ ଓ ଅପରାଧିକ ପୃଷ୍ଟଭୂମିର ଖୁଲାସା କରିଛନ୍ତି ।
ହିଞ୍ଜିଳି ନିର୍ବାଚନମଣ୍ଡଳୀର ବିଜେଡି ସମର୍ଥିତ ବ୍ରାହ୍ମଣଛାଇ ସରପଞ୍ଚ ପ୍ରାର୍ଥୀ ସତ୍ୟ ନାରାୟଣ ପୃଷ୍ଟିଙ୍କୁ ଜିତାଇବା ପାଇଁ ସେ ଲାଗିଥିଲେ ଏବଂ ସେଥିରେ ସଫଳ ହୋଇଥିଲେ । ସତ୍ୟନାରାୟଣ ୮୯୬ ଭୋଟରେ ବିଜୟୀ ହୋଇଥିଲେ ।
କଂଗ୍ରେସ ନେତାଙ୍କ ଅଭିଯୋଗ ଅନୁଯାୟୀ, ଠିକ୍ ନିର୍ବାଚନ ପୂର୍ବଦିନ ସରପଞ୍ଚ ପ୍ରାର୍ଥୀ ବୁଲୁ ପ୍ରଧାନ ହତ୍ୟା ମାମଲାର ସେ ଥିଲେ ମୁଖ୍ୟ ଅଭିଯୁକ୍ତ । ହିଞ୍ଜିଳି ଥାନାରେ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା ଯାହାର କେସ୍ ନମ୍ବର ହେଉଛି ୩୮/୨୧୭ । ଏହି ମାମଲାରେ ସେ ଜେଲ୍ ଯାଇଥିଲେ ।
ଦୋନମ୍ବରୀ କାରବାର ତାଙ୍କର ପେଶା । ସେଥିରେ ସିଦ୍ଧହସ୍ତ । ସେଥିପାଇଁ ନେତା, ଅଫିସରଙ୍କର ସେ ପ୍ରିୟପାତ୍ର । କାରଣ ଏମିତି ଲୋକଙ୍କୁ ହାତରେ ରଖିଲେ କଲେକ୍ସନ୍ ଠିକ୍ ହୋଇପାରିବ ବୋଲି ସେମାନେ ଜାଣନ୍ତି । କ୍ଷମତାଶାଳୀଙ୍କ ଛତ୍ରଛାୟାରେ ରହି ସେ ଆରଆଇ, ଫରେଷ୍ଟ ଗାର୍ଡ, ଶିକ୍ଷକ ଆଶାୟୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ । ଖାଲି ସେତିକି ନୁହେଁ, ରାୟଗଡ଼ା ଓ ପାରଳାଖେମୁଣ୍ଡି ଅଞ୍ଚଳରେ ଜାଲ୍ ସାର୍ଟିଫିକେଟ୍ ରାକେଟ୍ ମଧ୍ୟ ଚଳାଉଥିଲେ । ସେଥିରେ ଧରାପଡ଼ି ୬ ମାସ ଜେଲ୍ ବି ଯାଇଥିଲେ ।
ଏହି ଶଙ୍କର ପୃଷ୍ଟିର ସଂସ୍ଥା ହେଉଛି ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ । ଏହି ସଂସ୍ଥାକୁ ନିଜର ସହଯୋଗୀ କରି ପୁଲିସ ଏସଆଇ ପରୀକ୍ଷା ପରିଚାଳନା ଦାୟିତ୍ୱ ଛାଡ଼ିଥିଲା ସିଲିକନ୍ ଟେକଲାବ୍ । ଯାହାର ନିଦେ୍ର୍ଦଶକ ହେଉଛନ୍ତି ସୁରେଶ ଚନ୍ଦ୍ର ନାୟକ, ସଂଗ୍ରାମ କେଶରୀ ମହାନ୍ତି, ସମୀର କୁମାର ରଥ, ଶାଶ୍ୱତୀ ମିଶ୍ର ଏବଂ ଏସ ଭି ଏରାଙ୍କି ।
ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି, ଶଙ୍କର ପୃଷ୍ଟି ଏବଂ ସିଲିକନ୍ ଟେକଲାବ ସଂସ୍ଥାର ବିଜିନେସ୍ ଆନାଲିଷ୍ଟ୍ ହିମାଂଶୁ ଶେଖର ଦାଶ ମିଳିତ ଭାବେ ସାଜିଥିଲେ କେଳେଙ୍କାରୀର ମୁଖ୍ୟ କାର୍ପଟଦାର । ଭୁବନେଶ୍ୱର, ବ୍ରହ୍ମପୁର ସମେତ ଅନ୍ୟ ଅଞ୍ଚଳର କିଛି କୋଚିଂ ଅନୁଷ୍ଠାନ ସହ ଗୋପନ ଯୋଗସୂତ୍ର କରି ଅର୍ଥ ଦେବାର ସାମର୍ଥ୍ୟ ଥିବା ଏସଆଇ ପରୀକ୍ଷାର୍ଥୀଙ୍କ ନାଁ ଯୋଗାଡ଼ କରିଥିଲେ । ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷାର ଅବ୍ୟବହିତ ପୂର୍ବରୁ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ହାଇଦ୍ରାବାଦ ନେଇ ମକ୍ ଟେଷ୍ଟ କରାଇବାର ଯୋଜନା ଥିଲା ।
ସେମାନଙ୍କୁ ପରୀକ୍ଷାର ପ୍ରଶ୍ନ ଏବଂ ଉତ୍ତର ଦିଆଯାଇ ପ୍ରାକ୍ଟସିସ୍ କରାଯାଇଥାନ୍ତା । କୃତକାର୍ଯ୍ୟ ପରୀକ୍ଷାର୍ଥୀ ଜଣ ପିଛା ୨୦ରୁ ୨୫ ଲକ୍ଷ ଟଙ୍କା ଆଦାୟ ଯୋଜନା ହୋଇଥିଲା । କାଳେ ଚାକିରି ପାଇଗଲା ପରେ ଠକିଦେବେ, ସେଥିପାଇଁ ଅରଜିନାଲ୍ ସାର୍ଟିଫିକେଟ୍ କୁ ବନ୍ଧକ ସୂତ୍ରରେ ନିଆସରିଥିଲା । କାରଣ ଚାକିରିରେ ଯୋଗଦେବା ପୂର୍ବରୁ ସାର୍ଟିଫିକେଟ୍ ଯାଞ୍ଚ ଥିବାରୁ ଆଶାୟୀମାନଙ୍କର ଚାରା ନ ଥିବ । ଟଙ୍କା ନ ଦେଲେ ସେମାନେ ସାର୍ଟିଫିକେଟ୍ ମୁକୁଳେଇ ପାରିବେନି ।
ଗତ ୨୯ ତାରିଖରେ ୧୧୪ ଜଣ ପରୀକ୍ଷାର୍ଥୀ ଏବଂ ୩ ଜଣ ଦଲାଲଙ୍କୁ ଧରି ତିନୋଟି ବସ୍ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିବା ବେଳେ ନୟାଗଡ଼ ଅଞ୍ଚଳର ଜଣେ ଅଜଣା ବ୍ୟକ୍ତି ପୁଲିସ ମୁଖିଆଙ୍କୁ ହ୍ୱାଟସ୍ ଆପ୍ ମେସେଜ୍ ରେ ଏହା ଜଣାଇ ଦେଇଥିଲେ । ଏସଆଇ ପରୀକ୍ଷାରେ ଜାଲିଆତି କରାଯାଉଥିବା ସେ ସ୍ପଷ୍ଟ ଭାବେ ଜଣାଇଥିଲେ । ଏହି ସୂଚନା ପାଇଲା ପରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଓଡ଼ିଶା ପୁଲିସର ସୂଚନାମତେ ଆନ୍ଧ୍ର ପୁଲିସ ଶ୍ରୀକାକୁଲମ୍ ଠାରେ ଏହି ତିନୋଟି ବସ୍ କୁ ମାଡ଼ି ବସି ବ୍ରହ୍ମପୁର ପୁଲିସକୁ ହସ୍ତାନ୍ତର କରିଥିଲେ ।
ଏହି ୧୧୭ ଜଣ ଏବେ ବ୍ରହ୍ମପୁର ଜେଲ୍ ରେ ଥିବା ବେଳେ ଶଙ୍କର ପୃଷ୍ଟି କିନ୍ତୁ ଫେରାର ହୋଇଯାଇଛି । ସିଲିକନ୍ ଟେକଲାବ୍ ମାଲିକ ସୁରେଶ ଚନ୍ଦ୍ର ନାୟକଙ୍କ ଅଫିସ ଉପରେ କ୍ରାଇମବ୍ରାଞ୍ଚ ଚଡ଼ଉ କରିସାରିଲାଣି । ମାତ୍ର ଓପିଆରବିଠାରୁ ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା କେନ୍ଦ୍ରୀୟ ଉଦ୍ୟୋଗ ଆଇଟିଆଇ ଲିମିଟେଡ ନିରବ ଥିବା ବେଳେ ଏହାର କୌଣସି ପଦାଧିକାରୀଙ୍କୁ ଜେରା କରାଯାଇନାହିଁ । ବାରମ୍ବାର ନିଜ ପାର୍ଟନର ବଦଳାଇବା ପାଇଁ ଆଇଟିଆଇକୁ ରାଜ୍ୟ ଗୃହ ବିଭାଗର କେଉଁସ୍ତରରୁ ଅନୁମତି ଦିଆଯାଇଥିଲା ତା’ର ମଧ୍ୟ ଖୋଳତାଡ଼ ହୋଇନାହିଁ । ସେହିଭଳି ଶଙ୍କର ପୃଷ୍ଟି ଲିଙ୍କ୍ ରେ ଥିବା କୌଣସି କୋଚିଂ ସଂସ୍ଥାର ମାଲିକଙ୍କୁ ମଧ୍ୟ ଏ ପର୍ଯ୍ୟନ୍ତ ଜେରା କରାଯାଇନାହିଁ ।
ଅନ୍ୟପକ୍ଷରେ ଘରୋଇ ସଂସ୍ଥାକୁ ପୁଲିସ ଏସଆଇ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେବା ପଛରେ ରାଜ୍ୟ ସରକାରଙ୍କ ଶୀର୍ଷ ପାହ୍ୟାର ଜଣେ ଆଇଏଏସ୍ ଅଫିସରଙ୍କ ଭୂମିକା ଏବଂ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ସଂପୃକ୍ତିର ଅଭିଯୋଗ ଆଣିଛି ଷ୍ଟୁଡେଣ୍ଟସ୍ ଏଗନେଷ୍ଟ କରପସନ୍ ନାମକ ସଂସ୍ଥା । ଗିରଫ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୬ ମାସ ତଳେ ଅବସର ନେଇଥିବା ଜେଲ ଡିଆଇଜି କୁଳମଣୀ ବେହେରାଙ୍କ ପୁଅ ଅମୀୟ ବେହେରା ରହିଥିବା ସେ କହିଛନ୍ତି ।
ସୂଚନାଥାଉକି, ଓଡ଼ିଶାରେ ପୁଲିସ ଏସଆଇ ପରୀକ୍ଷା ପରିଚାଳନା ପାଇଁ କେନ୍ଦ୍ରୀୟ ଉଦ୍ୟୋଗ ଆଇଟିଆଇର ପ୍ରଥମ ସହଯୋଗୀ ସଂସ୍ଥା ଥିଲା ଗୁଜୁରାଟର ଘରୋଇ ସଂସ୍ଥା ରିଚ୍ ମାଇଣ୍ଡସ୍ । ମାତ୍ର କିଛି ମାସ ପୂର୍ବରୁ ଏହି ସଂସ୍ଥା ଆଉଟ୍ ହୋଇ ଓଡ଼ିଶାର ଘରୋଇ ସଂସ୍ଥା ସିଲିକନ୍ ଟେକଲାବ୍ ପଶିଥିଲା । ସିଲିକନ୍ ସଂସ୍ଥାର ଅଭିଜ୍ଞତା ଓ ବିଶ୍ୱସନୀୟତାକୁ କିଏ ଯାଞ୍ଚ କରିଥିଲା ତାର କୌଣସି ତଥ୍ୟ ମିଳିପାରିନାହିଁ । ଏହି ସଂସ୍ଥା ପୁଣି ପଞ୍ଚସଫ୍ଟ ଟେକନୋଲୋଜିକୁ ସହଯୋଗୀ ସଂସ୍ଥା ଭାବେ ପରୀକ୍ଷା ପରିଚାଳନା ପାଇଁ ବାଛିବା ପଛରେ କାହାର ହାତ ଥିଲା ତାହା ଏବେ ରହସ୍ୟରେ ।