ଭୁବନେଶ୍ୱର: ଓଡ଼ିଶାର ଗର୍ବ ଓ ଗୌରବ ବିଜୁ ପଟ୍ଟନାୟକଙ୍କୁ ଆମେରିକାର ସିଆଇଏ ଏଜେଣ୍ଟ କହି ଅପମାନିତ କଲେ ଝାଡ଼ଖଣ୍ଡ ସାଂସଦ ନିଶିକାନ୍ତ ଦୁବେ । ଚାରିଆଡ଼େ ପ୍ରତିବାଦର ନିଆଁ ଜଳିଲା । ଓଡ଼ିଶାର ସ୍ୱାଭିମାନ ଉପରେ ଏହି କୁଠାରଘାତକୁ ଜାତୀୟସ୍ତରରେ ନିନ୍ଦା କରାଗଲା । ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠିଲା । ଜାତୀୟ ଗଣମାଧ୍ୟମରେ ଏହି ଖବର ବାଜିଲା । ମାତ୍ର ଦୁର୍ଭାଗ୍ୟ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ପାଟି ଫିଟିଲାନି । ଦୁବେଙ୍କ ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ନ ଦେଇ ମୁଖ୍ୟମନ୍ତ୍ରୀ ଚୁପ୍ ରହିଲେ । ତାଙ୍କ ଦଳ ପକ୍ଷରୁ ମଧ୍ୟ କିଛି ପ୍ରତିକ୍ରିୟା ଆସିଲାନି । କେବଳ ବିଧାନସଭାରେ ନିନ୍ଦା ପ୍ରସ୍ତାବ ଏଡ଼ାଇବାକୁ ଯାଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯାହା ଦୁଇପଦ କହିଲେ ।
ଆଜି ନିଶିକାନ୍ତ ଦୁବେ ତାଙ୍କର ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି । ସୋସିଆଲ୍ ମିଡିଆରେ ସେ ଲେଖିଛନ୍ତି, ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ ମୋ ବ୍ୟକ୍ତିଗତ । ମୁଁ ଗାନ୍ଧୀ ପରିବାର ବିଷୟରେ କହିଥିଲି । ମାତ୍ର ମୋ କଥାର ଭୁଲ୍ ଅର୍ଥ ବାହାର କରାଯାଇଥିଲା । ମୋ ମନ୍ତବ୍ୟ କାହାକୁ ଆଘାତ ଦେଇଥିଲେ କ୍ଷମା ମାଗୁଛି । ବିଜୁ ବାବୁ ଆମ ପାଇଁ ସର୍ବଦା ଷ୍ଟେଟସ ମ୍ୟାନ୍ ଥିଲେ ଓ ରହିବେ ।
ନିଶିକାନ୍ତ କ୍ଷମା ମାଗିଛନ୍ତି ସେତିକିବେଳେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖକୁ ଆସିଛି ଉକ୍ରଳ ଦିବସର ଶୁଭେଚ୍ଛା ଚିଠି । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ୪ ପୃଷ୍ଠିଆ ଶୁଭେଚ୍ଛା ଚିଠିରେ ବିଜୁ ପଟ୍ଟନାୟକଙ୍କର ମହାନତା ସ୍ମରଣ କରିଛନ୍ତି । ଏହି ମାଟିରେ ବିଜୁ ପଟ୍ଟନାୟକଙ୍କ ଭଳି ମହାନ ବ୍ୟକ୍ତିତ୍ୱ ଜନ୍ମ ନେଇଥିଲେ । ତାଙ୍କର ଜୀବନ ଅସାଧାରଣ ଶକ୍ତି, ସାହାସ ଏବଂ ଦେଶ ଗଠନ ପାଇଁ ଅତୁଟ ସମର୍ପଣର ପ୍ରତୀକ । ବିଜୁ ବାବୁଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଆମ ସମସ୍ତଙ୍କୁ ଅନୁପ୍ରାଣିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହି ଚିଠି ନିଶିକାନ୍ତ ନିଶିକାନ୍ତଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରିଛି ନା ପଛରେ ଆଉ କିଛି କାରଣ ଅଛି ତାହା ଜଣାପଡ଼ିନି ।
ଯାହା ଚର୍ଚ୍ଚା ହେଉଛି, ବିଜୁ ବାବୁଙ୍କୁ ଅପମାନରେ ଓଡ଼ିଶାବାସୀଙ୍କ ପ୍ରତିକ୍ରିୟା ଖୋଦ୍ ପ୍ରଧାନମନ୍ତ୍ରୀଙ୍କୁ ବିଚଳିତ କରିଛି । ଏଥିରେ ବିଜେପି କ୍ଷତିଗ୍ରସ୍ତ ହେଉଥିବା ମନେ କରି ସେ ଉକ୍ରଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ୪ ପୃଷ୍ଠାର ଶୁଭେଚ୍ଛା ଚିଠି ଲେଖି ଓଡ଼ିଶାର ଗୁଣଗାନ କରିଛନ୍ତି । ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହା ଡ୍ୟାମେଜ୍ କଣ୍ଟ୍ରୋଲ୍ ବୋଲି ସମାଲୋଚକମାନେ କହୁଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିନ୍ତୁ ଏହି ସମ୍ବେଦନଶୀଳ ଓ ସ୍ୱାଭିମାନ ସହିତ ଜଡ଼ିତ ପ୍ରସଙ୍ଗରେ ଗୋଟେ ଶବ୍ଦ ବି କହିଲେନି । ବିଜୁ ବାବୁଙ୍କ ସମ୍ପର୍କରେ କହିଥିଲେ ସତେ ଯେମିତି ଆକାଶ ଛିଡ଼ି ପଡ଼ିଥାନ୍ତା । ବରଂ ମୁଖ୍ୟମନ୍ତ୍ରୀ ବ୍ୟଥିତ ବୋଲି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିବୃତି ଦେଲେ । ସେ ନିଜେ ବ୍ୟଥିତ ବୋଲି ମୁଖ୍ୟମନ୍ତ୍ରୀ କହିଲେ ନାହିଁ । ବିଧାନସଭା ଅଧିବେଶନର ଶେଷ ଦିନରେ ଅନେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ସମୟ ଥିଲା, ହେଲେ ବିଜୁ ବାବୁଙ୍କ ପାଇଁ ଗୋଟେ ଶବ୍ଦ କି ଟ୍ୱିଟ୍ କରିବାକୁ ବି ସମୟ ନଥିଲା । ଆଶ୍ଚର୍ଯ୍ୟ!!
ଜାତୀୟସ୍ତରର କିଛି ସାମ୍ବାଦିକଙ୍କ ମତରେ ନିଶିକାନ୍ତ ଦୁବେ ହେଉଛନ୍ତି ବିଜେପିର ଫଲ୍ସ ବା ମିଛ ନ୍ୟାରେଟିଭ୍ ମେସିନ୍ । କାହା ବିରୋଧରେ ଲାଗିବାର ଅଛି ତ ନିଶିକାନ୍ତଙ୍କୁ ବ୍ୟବହାର କରାଯାଏ । ଯେଉଁଟା ଧରିଲା ତ ଧରିଲା । ଯାହା ଧରିଲାନି ଏବଂ ଦଳକୁ ବଦନାମ କଲା ସେତେବେଳେ ନିଶିକାନ୍ତଙ୍କର ତାହା ବ୍ୟକ୍ତିଗତ ମତ ବୋଲି କୁହାଯାଏ । ବିଜୁ ବାବୁଙ୍କୁ ଦେଶଦ୍ରୋହୀ ଅଥବା ଆମେରିକା ଦଲାଲ ଭାବେ ଚିତ୍ରଣ କରିବାକୁ ହୁଏତ ବଡ଼ ଷଡ଼ଯନ୍ତ୍ର ରଚାଯାଇଛି ଏବଂ ନିଶିକାନ୍ତ ଦୁବେ ସେଥିପାଇଁ ବ୍ୟବହାର ହୋଇଥାଇପାରନ୍ତି । ହୋଇପାରେ, ଓଡ଼ିଶାବାସୀଙ୍କ ପ୍ରତିକ୍ରିୟା ଦେଖିଲା ପରେ ଷଡ଼ଯନ୍ତ୍ର ଫେଲ୍ ମାରିଛି ।
ସେ ଯାହା ହେଉ, ବିଜୁ ବାବୁଙ୍କୁ ଆମେରିକା ସିଆଇଏ ଏଜେଣ୍ଟ କହିବା ଓଡ଼ିଆ ଅସ୍ମିତା ପ୍ରତି ପ୍ରଚଣ୍ଡ କୁଠାରଘାତ । ଓଡ଼ିଆ ଅସ୍ମିତାକୁ ପାଦରେ ଚକଟିବାକୁ ଝାଡ଼ଖଣ୍ଡୀ ସାଂସଦ ନିଶିକାନ୍ତ ଦୁବେ ସାହାସ କରିଛନ୍ତି । ପୂର୍ବରୁ ଏମିତି ଆଉ ଜଣେ ଝାଡ଼ଖଣ୍ଡୀ ବାବୁ ଆମ ଓଡ଼ିଆ ଅସ୍ମିତାକୁ ଦଳି ଚକଟି ଦେଇଥିଲେ ।
ମୋହନ ସରକାର ଆସୁ ଆସୁ ଆମର ତତ୍କାଳୀନ ଝାଡ଼ଖଣ୍ଡୀ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଓ ତାଙ୍କର ସହଯୋଗୀମାନେ ପୁରୀ ରାଜଭବନରେ ଜଣେ ଓଡ଼ିଆ ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ । ଜୋତାରେ ଛେପ ପକାଇ ଚଟାଇଲେ । ତାହାକୁ ନେଇ ପ୍ରବଳ ତୁମ୍ବି ତୋଫାନ ହୋଇଥିଲେ ମଧ୍ୟ ଓଡ଼ିଆ ଅସ୍ମିତା ମାଡ଼ ଖାଇଗଲା । ରଘୁବରଙ୍କ ପୁଅଙ୍କୁ ମୋହନ ସରକାର ସୁରକ୍ଷା ଦେଲେ । ବାପ ପୁଅଙ୍କୁ ସସମ୍ମାନେ ଝାଡ଼ଖଣ୍ଡ ଫେରାଇ ଦେଲେ ।
ବିଡ଼ମ୍ବନା ଯେ ଆଜି ରାଜ୍ୟସ୍ତରୀୟ ଉତ୍କଳ ଦିବସରେ ଓଡ଼ିଆ ଅସ୍ମିତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଢ଼ିଆ ଭାଷଣ ଦେଇଛନ୍ତି । ସେ କହିଛନ୍ତି, ଆମ ସରକାର ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରସାର ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ । ଗୋଟିଏ ଜାତିର ଉତଥାନର ମୂଳଶକ୍ତି ହେଉଛି ତା’ର ଅସ୍ମିତା । ଅସ୍ମିତା ବିନା ଗୋଟିଏ ଜାତି ଆତ୍ମା ବିହୀନ ମେସିନ୍ ପରି ।
ସେପଟେ ଓଡ଼ିଆ ଅସ୍ମିତାର ସୁରକ୍ଷା ଦିଗରେ ମାହନ ମାଝୀ ସରକାରଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଉକ୍ରଳ ଦିବସର ଶୁଭେଚ୍ଛା ଚିଠିରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିବା ଏବଂ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ତଥା ପ୍ରଚାର ପାଇଁ ଆପଣଙ୍କ ସରକାରଙ୍କ ପ୍ରୟାସକୁ ମୁଁ ବିଶେଷ ଭାବରେ ପ୍ରଶଂସା କରିବାକୁ ଚାହେଁ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ।
Continue Reading







