ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ଦଳରେ ଛାମୁଆ ସଂଗଠନର ଦାୟିତ୍ୱ ମିଳିଛି । ରାଜ୍ୟ ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ଭାବେ ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଦଳ ପକ୍ଷରୁ ଆଜି ଏହାର ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ବିଜେଡିର ଉପଦେଷ୍ଟା କମିଟିରେ ସେ ସଦସ୍ୟ ଅଛନ୍ତି ।
୭୭ ବର୍ଷ ବୟସ୍କ ପ୍ରଫୁଲ୍ଲ ସାମଲ ଜଣେ ପୋଖତ ରାଜନେତା । ଶ୍ରମିକ ନେତା ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରି ଭଦ୍ରକ ଓ ଭଣ୍ଡାରିପୋଖରୀରୁ ୬ ଥର ବିଧାୟକ ହୋଇଛନ୍ତି । ଏକାଧିକବାର ମନ୍ତ୍ରୀ ଥିଲେ । ଗତ ନିର୍ବାଚନରେ ଭଦ୍ରକ ଆସନରୁ ସେ ପରାଜିତ ହୋଇଥିଲେ ।
ସେପଟେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ବିଜେଡି ଲଢ଼େଇ ଜାରି ରଖିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ବିଧାନସଭା ବାହାରେ ସାମ୍ବାଦିକମାନେ ପୋଲାଭରମ୍ ସଂକ୍ରାନ୍ତରେ ତାଙ୍କୁ ପ୍ରଶ୍ନ କରିଥିଲେ । ନବୀନ କହିଥିଲେ ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ପାଇଁ ଲଢ଼ି ଆସିଛି । ଆଗକୁ ବି ଲଢ଼ିବ ।