ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଋଣବୋଝରେ ଭାରାକ୍ରାନ୍ତ ଜଣେ ପ୍ରଫେସର ପୁଅ ତାଙ୍କ ବୃଦ୍ଧ ବାପାଙ୍କୁ ଛୁରି ଭୁଷି ହତ୍ୟା କରିଛି । ତାହା ପୁଣି ନିଜ ମା’ ଙ୍କ ସାମନାରେ । ପୁଅ ହାତରେ ପ୍ରାଣ ହରାଇଥିବା ଏହି ବୃଦ୍ଧ ହେଉଛନ୍ତି ନାଲକୋର ଅବସରପ୍ରାପ୍ତ ଅଧିକାରୀ ସୁନୀଲ ଚୌଧୁରୀ(୬୮) । ଆଉ ହତ୍ୟାକାରୀ ପୁଅ ହେଉଛନ୍ତି ଅନିରୁଦ୍ଧ ଚୌଧୁରୀ । ଭୁବନେଶ୍ୱରର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ସେ ଆଇନ ବିଭାଗ(ଲ’) ପ୍ରଫେସର ଅଛନ୍ତି । ହତ୍ୟାକାଣ୍ଡସ୍ଥଳରୁ ହିଁ ପୁଲିସ ତାଙ୍କୁ କାବୁ କରିଛି ।
ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆସ୍ଥିତ ଡିଏଲଏଫ ଆପାର୍ଟମେଣ୍ଟର ୧୦୮ ନମ୍ବର ଫ୍ଲାଟ୍ ରେ ଆଜି ବଡ଼ି ଭୋରରୁ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ସୁନୀଲ ବାବୁ ଏବଂ ପତ୍ନୀ ବେଡରୁମ୍ ରେ ଶୋଇଥିବା ବେଳେ ଭୋର୍ ପାଖାପାଖି ୪ଟା ବେଳେ ପୁଅ ଅନିରୁଦ୍ଧ ହାତରେ ଏକ ଛୁରି ଧରି ବେଡରୁମ୍ କୁ ପଶିଥିଲେ ଏବଂ ବାପାଙ୍କ ମୁହଁରେ ତକିଆ ଚାପି ତାଙ୍କ ଛାତି ଓ ପେଟକୁ ଛୁରିରେ ଭୁଷି ପକାଇଥିଲେ । ସୁନୀଲ ବାବୁଙ୍କ ଚିକ୍ରାର ଶୁଣି ତାଙ୍କ ପତ୍ନୀ ନିଦରୁ ଉଠିପଡ଼ିଥିଲେ ଏବଂ ରକ୍ତ ଜୁଡୁବୁଡୁ ସ୍ୱାମୀଙ୍କ ଶରୀର ଏବଂ ହାତରେ ଛୁରି ଧରିଥିବା ପୁଅର ସୈତାନ ରୂପ ଦେଖି ଅବାକ୍ ହୋଇଯାଇଥିଲେ । ଅତ୍ୟନ୍ତ ଭୟଭୀତ ହୋଇପଡ଼ିଥିଲେ ମଧ୍ୟ ସାହାସ ଜୁଟାଇ କିଛି ଦୂରରେ ରହୁଥିବା ଘରର ସହାୟକଙ୍କୁ ଫୋନ୍ କରି ଡାକିଥିଲେ । ସେ ତୁରନ୍ତ ସେଠାରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ ।
ମୃତ ସୁନୀଲ ଚୌଧୁରୀ ସେହି ଫ୍ଲାଟ୍ ର ମାଲିକ ଏବଂ ସେଠାରେ ପତ୍ନୀଙ୍କ ସହ ରହୁଥିଲେ । ସେମାନେ ସ୍ୱାମୀ-ସ୍ତ୍ରୀ ଏବଂ ଗୋଟିଏ ପୁଅ ଓ ଝିଅକୁ ନେଇ ସେମାନଙ୍କ ସଂସାର । ପୁଅ-ଝିଅ ଉଭୟ ଉଚ୍ଚଶିକ୍ଷିତ ଏବଂ ବିବାହିତ । ପୁଅ ଅନିରୁଦ୍ଧ(ଟିଟୁଲ୍) ଭୁବନେଶ୍ୱରର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିବା ବେଳେ ଝିଅ ନବରଙ୍ଗପୁରରେ ଜଜ୍ ଅଛନ୍ତି । ପୁଅ ଏବଂ ବୋହୁ ଅନ୍ୟତ୍ର ରହୁଥିଲେ ମଧ୍ୟ ବାପା ମା’ଙ୍କ ପାଖକୁ ଯିବା ଆସିବା ରହିଥିଲା ।
ସୁନୀଲ ବାବୁଙ୍କ ସହାୟକ ଆଲୋକଙ୍କ ସୂଚନା ଅନୁଯାୟୀ, ପ୍ରାୟ ୧୦ ଦିନ ହେଲା ମଉସା(ସୁନୀଲ ବାବୁ)ଙ୍କ ଖୁବ୍ ମାନସିକ ଚାପରେ ଥିଲେ । ବାପାପୁଅଙ୍କ ମଧ୍ୟରେ କିଛି ଝଗଡ଼ା ହୋଇଥିବା ସେ ଅନୁମାନ କରିଥିଲେ ମଧ୍ୟ ମଉସା କିନ୍ତୁ ଏ ସମ୍ପର୍କରେ ତାଙ୍କୁ କିଛି କହି ନ ଥିଲେ । ଅନ୍ୟପକ୍ଷରେ ୪ ଦିନ ତଳେ ଟିଟୁଲ୍ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିବାରୁ ପତ୍ନୀ ବାପଘରକୁ ଚାଲି ଯାଇଥିଲେ । ତା’ ପରଠୁ ଟିଟୁଲ୍ ଆପାର୍ଟମେଣ୍ଟ ଆସି ବାପାମା’ ଙ୍କ ପାଖରେ ରହୁଥିଲେ ।
ପୁଲିସର ପ୍ରାଥମିକ ତଦନ୍ତରୁ ଋଣବୋଝରେ ଆକ୍ରାନ୍ତ ଅନିରୁଦ୍ଧ ଟଙ୍କା ପାଇଁ ବାପାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟାକାଣ୍ଡସ୍ଥଳ ପରିଦର୍ଶନ ପରେ ଡିସିପି ପ୍ରତୀକ ସିଂହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ତଦନ୍ତ ଚାଲିଥିବାରୁ ଡିସିପି ସବିଶେଷ ସୂଚନା ଦେବାକୁ ମନା କରିଥିଲେ ମଧ୍ୟ ମିଳିଥିବା ସୂଚନା ଅନୁଯାୟୀ, ଅନିରୁଦ୍ଧଙ୍କ ମୁଣ୍ଡରେ ୨୫ ଲକ୍ଷରୁ ଅଧିକ ଟଙ୍କାର ଋଣବୋଝ ଥିଲା । ବିଭିନ୍ନ ଲୋକଙ୍କଠାରୁ ଏହି ଟଙ୍କା ସେ ଧାରସୂତ୍ରରେ ଆଣିଥିଲେ । ବାପାଙ୍କ ନାଁରେ ଥିବା ସମ୍ପତ୍ତିକୁ ବିକ୍ରୀ କରି ଋଣ ଟଙ୍କା ସୁଝିବାକୁ ସେ ଯୋଜନା କରିଥିଲେ । ଏଥିପାଇଁ ବାପାଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଗତକାଲି ସଂଧ୍ୟାରେ ଏହାକୁ ନେଇ ବାପପୁଅଙ୍କ ମଧ୍ୟରେ ଭୀଷଣ ବଚସା ହୋଇଥିଲା । ଆଉ ସେହି ରାଗରେ ବାପାଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇଦେବାକୁ ସେ ମନସ୍ଥିର କରିଦେଇଥିଲା ।
ମଞ୍ଚେଶ୍ୱର ଥାନା ପୁଲିସ ଅନିରୁଦ୍ଧଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀ ଏବଂ ରକ୍ତଭିଜା ପୋଷାକ ଜବତ କରିଛି । ଅଭିଯୁକ୍ତକୁ ପଚରାଉଚୁରା ପରେ ହତ୍ୟାକାଣ୍ଡର ସବିଶେଷ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି ।