ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ଅବତୀର୍ଣ୍ଣ ବିଦ୍ରୋହୀ ରାଜେନ୍ଦ୍ର ଦାସ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରିଛନ୍ତି । ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ପ୍ରେସ୍ ବିବୃତିରେ ସଭାପତିଙ୍କ ଏହି ନିଷ୍ପତ୍ତି ଜଣାଇଛନ୍ତି ।
ଧାମନଗର ଉପନିର୍ବାଚନ ପାଇଁ ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ରାଜେନ୍ଦ୍ର ଦାସ କ୍ଷୁବ୍ଧ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ । ନାମାଙ୍କନ ପ୍ରତ୍ୟାହାର ପାଇଁ ତାଙ୍କୁ ମନାଇବା ଉଦ୍ୟମ ବିଫଳ ହୋଇଥିଲା । ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଉପନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବାରୁ ସ୍ୱାଭାବିକ ଭାବେ ଏହା ତାଙ୍କର ଦଳ ବିରୋଧୀ କାର୍ଯ୍ୟ ହୋଇଛି । ଏଥିସହ ବିଜେଡିରେ ତାଙ୍କର କ୍ୟାରିୟର୍ ଖତମ ହୋଇଛି ।
ବିଜେଡିର କାର୍ଯ୍ୟାନୁଷ୍ଠାନକୁ ମଥାପାତି ଗ୍ରହଣ କରିଛନ୍ତି ରାଜେନ୍ଦ୍ର । ନିଜର ପ୍ରତିକ୍ରିୟାରେ ସେ କହିଛନ୍ତି, ଲୋକଙ୍କ ଆଶୀର୍ବାଦ ମୋ ଉପରେ ଅଛି । ଲୋକଙ୍କ ସେବା କରିବା ପାଇଁ ରାଜନୀତି କରୁଛି । ଲୋକ ମୋତେ ଟିକେଟ ଦେଇଛନ୍ତି । ମୁଁ ନିଶ୍ଚୟ ଜିତିବି ।