ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ଫତେଗଡ଼ ଗ୍ରାମ ପର୍ବତ ଶିଖରରେ ଏକ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କରାଯାଇଛି । ସ୍ଥାନୀୟ ଶ୍ରୀରାମ ସେବା ପରିଷଦର ଉଦ୍ୟମରେ ୧୫୦ରୁ ଅଧିକ କାରିଗର ଓ ଶ୍ରମିକଙ୍କ ୭ ବର୍ଷର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି । ଆସନ୍ତା ୨୨ ତାରିଖରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ କରକମଳରେ ଏହାର ପ୍ରତିଷ୍ଠା ହେବ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ । ଏଥିପାଇଁ ୪ ଦିନ ବ୍ୟାପୀ ପ୍ରତିଷ୍ଠା ଉତ୍ସବର ଆୟୋଜନ କରାଯାଇଛି ।

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେଉଛି । ଏଥିପାଇଁ ସାରା ଦେଶ ଉତ୍ସବମୁଖର ହୋଇଛି । ତେବେ କେବଳ ଅଯୋଧ୍ୟା ନୁହେଁ, ଆମ ରାଜ୍ୟର ଫତେଗଡ଼ଠାରେ ମଧ୍ୟ ଏକ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ୨୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ବଡ଼ ଧୂମଧାମରେ ଏହି ପ୍ରତିଷ୍ଠା ଉତ୍ସବ ପାଳନ କରାଯିବ । ୨୨ ତାରିଖରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ କରକମଳରେ ଏହାର ପ୍ରତିଷ୍ଠା ହେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ପୂର୍ଣ୍ଣାହୂତି ଦେବେ । ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଏହି ସମାରୋହରେ ସାମିଲ ହେବେ । ଏହି ଉତ୍ସବକୁ ସବୁ ମନ୍ତ୍ରୀ, ବିଧାୟକ ଏବଂ ସାଂସଦଙ୍କୁ ଆମନ୍ତ୍ରିତ କରାଯାଇଥିବା ଆୟୋଜକଙ୍କ ସୂତ୍ରରୁ ଜଣାପଡ଼ିଛି ।
କାର୍ଯ୍ୟସୂଚୀ ଅନୁଯାୟୀ,୨୧ ଜାନୁଆରୀ(ରବିବାର) ଦିନ ୧୧ଟାରେ ଫତେଗଡ଼ ନାଲିସାଗର ପଡ଼ିଆଠାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଧର୍ମସଭା ଅନୁଷ୍ଠିତ ହେବ । ୨୨ ତାରିଖରେ ପ୍ରାତଃ ସୂର୍ଯ୍ୟପୂଜା, ଦେବତା ସିଂହାସନ ବିଜେ, ଆହୁତି ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ । ୨୩ ତାରିଖରେ ପ୍ରାତଃ ସୂର୍ଯ୍ୟପୂଜା, ଦେବତା ପୂଜା, ଆହୁତି, ସଂଧ୍ୟା ଆରତି ଓ ପୁଷ୍ପାଞ୍ଜଳି ଏବଂ ୨୪ ତାରିଖ ସଂଧ୍ୟା ୬ଟାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି । ଏହି ଚାରିଦିନ ଯାକ ଦିନ ୧୨ଟାରୁ ଅପରାହ୍ନ ୪ଟା ଯାଏଁ ସର୍ବସାଧାରଣଙ୍କ ପାଇଁ ଦେବଦର୍ଶନ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।








