ଭୁୁବନେଶ୍ୱର: ୟୁ ଟର୍ଣ୍ଣ ମାରିବାରେ ନାଁ କମେଇଥିବା ମୋହନ ସରକାରଙ୍କ ଖାତାରେ ଆଉ ଏକ ଅଧ୍ୟାୟ ଯୋଡି ହୋଇଛି । ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ପାଇଁ ହୋଇଥିବା ନିୟମ ପୂର୍ବ ଅବସ୍ଥାକୁ ଫେରି ଆସିଛି । ୨୦୨୪ ସେପ୍ଟେମ୍ବରରେ ସରକାର କରିଥିବା ସଂକଳ୍ପପତ୍ରର ୫ଟି ନିୟମରେ ସଂଶୋଧନ କରି କୋହଳ କରିଦେଇଛନ୍ତି । ସୁତରାଂ ବିଜେଡି ସରକାରଙ୍କ ପୁନଃନିଯୁକ୍ତି ନୀତିକୁ ଯେଉଁ ବିଜେପି ଦୃଢ଼ ସମାଲୋଚନା କରି ଆସୁଥିଲା ଏବଂ ସରକାରକୁ ଆସିଲା ପରେ ବଦଳାଇଥିଲା, ଦେଢ଼ବର୍ଷରେ ପୂର୍ବ ନିୟମକୁ ଫେରାଇ ଆଣିଛି । ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃନିଯୁକ୍ତି ପାଇଁ ସରକାର ବାଟ ଖୋଲି ଦେଇଛନ୍ତି ।
ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ପୁନଃନିଯୁକ୍ତି ନେଇ ବିଜେପିର ଆଭିମୁଖ୍ୟ କଠୋର ଥିଲା । ବିଜେଡି ସରକାରଙ୍କର ନୀତିକୁ ଦୃଢ଼ କଣ୍ଠରେ ସମାଲୋଚନା କରୁଥିଲା । ୨୦୨୪ ଜୁନ୍ ମାସରେ ବିଜେପି କ୍ଷମତାକୁ ଆସିିଲା ପରେ ସେପ୍ଟେମ୍ବର ୧୨ରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ସମ୍ପର୍କିତ ସଂକଳ୍ପପତ୍ର ପ୍ରକାଶ ପାଇଥିଲା । ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ପାଇଁ ଏଥିରେ ଯୋଗ୍ୟତା ମାନଦଣ୍ଡ ସ୍ଥିର କରାଯାଇଥିଲା । ପ୍ରଥମ ଯୋଗ୍ୟତା: ଭଲ ଚାକିରି ରେକର୍ଡ, ଶାରୀରିକ ଫିଟ୍ ଏବଂ ବୟସ ୬୫ ରୁ କମ୍ ହୋଇଥିବ । ଦ୍ୱିତୀୟ ଯୋଗ୍ୟତା: ଅପରାଧିକ ରେକର୍ଡ ନ ଥିବ ଏବଂ ଚାକିରିର ଶେଷ ୫ ବର୍ଷରେ ଖରାପ ଆଚରଣ ପାଇଁ ଦଣ୍ଡିତ ହୋଇ ନ ଥିବେ । ତୃତୀୟ ଯୋଗ୍ୟତା: କ୍ରମାଗତ ଭାବେ ଚାକିରିର ଶେଷ ୫ ବର୍ଷ ଆଉଟଷ୍ଟାଣ୍ଡିଂ ସିସିଆର/ପିଏଆର ଜରୁରି ଥିବ । ଚତୁର୍ଥ ଯୋଗ୍ୟତା: ଚାକିରିର ଶେଷ ୧୦ ବର୍ଷର ସିସିଆରରେ କୌଣସି ପ୍ରତିକୂଳ ମନ୍ତବ୍ୟ ନ ଥିବ । ପୁନଃନିଯୁକ୍ତି ପାଇଁ ଗୁଡ଼ାଏ ସର୍ତ୍ତ ବି ରଖାଯାଇଥିଲା । ଯେମିତି କି ଖୋଲା ବିଜ୍ଞପ୍ତି ଜରିଆରେ ପୁନଃ ନିଯୁକ୍ତି ଦିଆଯିବ । ବର୍ଷେ ପାଇଁ ପୁନଃନିଯୁକ୍ତି ଦିଆଯିବ ଏବଂ ଆବଶ୍ୟକସ୍ଥଳେ ପ୍ରଦର୍ଶନକୁ ଦେଖି ୩ ବର୍ଷକୁ ବୃଦ୍ଧି କରାଯିବ । ଏସବି ପାହ୍ୟାରେ ମୋଟ୍ ପଦବୀର ୧% ପୁନଃନିଯୁକ୍ତି ଦିଆଯିବ । ଅବସରପ୍ରାପ୍ତ କର୍ମଚାରୀଙ୍କୁ ସରକାରୀ କ୍ୱାର୍ଟର୍ସ ଛାଡ଼ିବାକୁ ପଡ଼ିବ ।
ତେବେ ଏପ୍ରିଲ୍ ୨ ରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ସଂକଳ୍ପପତ୍ରରେ ପୂର୍ବ(ସେପ୍ଟେମ୍ବର ୨୪) ସଂକଳ୍ପପତ୍ରର ୫ଟି ନିୟମରେ ସଂଶୋଧନ କରାଯାଇଛି । ଏଥିରେ ଆଉଟଷ୍ଟାଣ୍ଡିଂ ସିସିଆର୍ ନିୟମକୁ ହଟାଯାଇଛି । ଖୋଲା ବିଜ୍ଞପ୍ତି ମାଧ୍ୟମରେ ପୁନଃ ନିଯୁକ୍ତି ନିୟମକୁ ହଟାଯାଇଛି । ସରକାରୀ କ୍ୱାର୍ଟର୍ସ ଛାଡ଼ିଥିବା ନିୟମକୁ ହଟାଯାଇଛି । ଏସବି ପାହ୍ୟାରେ ମୋଟ୍ ପଦବୀର ୧% ପୁନଃନିଯୁକ୍ତି ଦେବା ନିୟମକୁ ହଟାଯାଇଛି ।
ମୋଟାମୋଟି ଭାବେ ନିଜ ପସନ୍ଦର କର୍ମଚାରୀଙ୍କୁ ନିଯୁକ୍ତି ଦେବାରେ ଯେପରି କୌଣସି ନିୟମ ବାଧକ ହେବନି ସରକାର ସେଥିପାଇଁ ଯତ୍ନବାନ ହୋଇଛନ୍ତି । ଅବସରପ୍ରାପ୍ତଙ୍କ ପୁନଃନିଯୁକ୍ତି ପାଇଁ ଯୋଗ୍ୟତାର ମାପକାଠି ବଦଳରେ ପସନ୍ଦର ମାପକାଠି ରଖିଛନ୍ତି ମୋହନ ସରକାର । ଓଡ଼ିଆରେ ଗୋଟେ ଢ଼ଗ ଅଛି- ଆରେ ଢ଼ମଣା ବୁଲି ବୁଲି ସେଇ ଅଗଣା । ମୋହନ ସରକାର ଏହି ନୀତିକୁ ଆପଣାଇଛନ୍ତି ।
ବିଜେପି ସରକାରଙ୍କ ଦୋମୁହାଁ ନୀତି: ବିଜେଡି
ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ପୁନଃନିଯୁକ୍ତି ଦେବାକୁ ବିଜେପି ବିରୋଧ କରି ଆସୁଥିଲା ବେଳେ ରାଜ୍ୟରେ କ୍ଷମତାକୁ ଆସିବା ପରେ ଅଧିକରୁ ଅଧିକ ଅବସରପ୍ରାପ୍ତ ଅଧିକାରୀ ମାନଙ୍କୁ ପୁନଃନିଯୁକ୍ତି ଦେବା ପାଇଁ ବାଟ ଖୋଲୁଛନ୍ତି, ଯାହା ତାଙ୍କର ଦୋମୁହାଁ ନୀତିକୁ ପ୍ରଦର୍ଷିତ କରୁଛି ବୋଲି ବିଜେଡି କହିଛି । ଗତ ନିର୍ବାଚନରେ ନିଜର ସଙ୍କଳ୍ପ ପତ୍ରରେ, ପାଞ୍ଚ ବର୍ଷରେ ରାଜ୍ୟର ଖାଲି ପଡ଼ିଥିବା ସାଢ଼େ ତିନି ଲକ୍ଷ ପଦବିଙ୍କୁ ରାଜ୍ୟର ଯୁବକମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଜେପି ଦେଇଥିବା ପ୍ରତିଶ୍ରୁତି ପ୍ରହସନରେ ପରିଣତ ହୋଇଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ପୂର୍ବରୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ କଣ୍ଟ୍ରାଚୁଆଲ ନିଯୁକ୍ତି ଦେବାକୁ ବିରୋଧ କରି ଆସୁଥିଲା । କିନ୍ତୁ, କ୍ଷମତାକୁ ଆସିବା ପରେ, ଏବେ ଅଧିକରୁ ଅଧିକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ପାଇଁ ପଦକ୍ଷେପ ନେଉଛନ୍ତି । ଏହା ରାଜ୍ୟ ବିଜେପି ସରକାରଙ୍କର ଦୋମୁହାଁ ନୀତି । ଡବଲ ଇଞ୍ଜିନ ସରକାରଙ୍କର ଡବଲ ନୀତି । ଗୋଟିଏ ନିଷ୍ପତ୍ତି ନିଆଯାଉଛି ତା ପରେ ତାକୁ ପରିବର୍ତ୍ତନ କରି ଦିଆଯାଉଛି । ୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଏଏସ ମାନଙ୍କୁ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଗଲା । ୮୦୦ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଏସଆଇ ଓ ଏଏସଆଇ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ୧୮୬ ଜଣ ସିଭିଲ ଇଞ୍ଜିନିୟରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି ।
ବିଜେପି ତାର ସଙ୍କଳ୍ପ ପତ୍ରରେ, ରାଜ୍ୟର ଯୁବକ ମାନଙ୍କୁ ନିଯୁକ୍ତି ଓ ସୁଶାସନ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ, ଏହି ଦୁଇ କ୍ଷେତ୍ରରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ନିକଟରେ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ସମୁଦାୟ ୩୯, ୫୦୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି, ଯାହା ମଧ୍ୟରୁ ପ୍ରାୟ ୩୩, ୮୬୭ ନିଯୁକ୍ତିର ପ୍ରକ୍ରିୟା ପୂର୍ବ ସରକାରଙ୍କ ସମୟରେ ହୋଇଥିଲା । ତେଣୁ, ଗତ ଦୁଇ ବର୍ଷର ବିଜେପି ଶାସନରେ ମାତ୍ର ୫, ୬୩୮ ନିଯୁକ୍ତି ଦିଆଯାଇଛି । ଏହି ହାରରେ ନିଯୁକ୍ତି ଦେଲେ ରାଜ୍ୟ ସରକାରଙ୍କୁ ୩ ଲକ୍ଷ ୫୦ ହଜାର ନିଯୁକ୍ତି ଦେବା ପାଇଁ ୧୨୪ ବର୍ଷ ଲାଗିବ । ନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ବିଫଳତା ଜଳ ଜଳ ହୋଇ ଦିଶୁଛି । ସେହିପରି, ସୁଶାସନ ପ୍ରଦାନ କ୍ଷେତ୍ରରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ମହିଳା ଅସୁରକ୍ଷିତ ହେବା, ରାଜ୍ୟର ଋଣ ଭାର ବୃଦ୍ଧି ଇତ୍ୟାଦି ରାଜ୍ୟର ଦୟନୀୟ ସ୍ଥିତିକୁ ପ୍ରଦର୍ଷିତ କରୁଛି ।