ଭୁୁବନେଶ୍ୱର: ଚଳିତ ନିର୍ବାଚନରେ ଓଡ଼ିଆ ଅସ୍ମିତା ଓ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ବଡ଼ ପ୍ରସଙ୍ଗ କରିଛି ବିଜେପି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ଭାଷଣରେ ବିଜେଡି ବିରୋଧରେ ଏହାକୁ ରାଜନୈତିକ ଅସ୍ତ୍ର କରିଛନ୍ତି । ତେବେ ଆଜି ପ୍ରଧାନମନ୍ତ୍ରୀଙ୍କ ପୁରୀ ରୋଡ୍ ସୋ’ ଅବସରରେ ସାଂସଦ ପ୍ରାର୍ଥୀ ଡ. ସମ୍ବିତ୍ ପାତ୍ର ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟ ଜଗନ୍ନାଥ ପ୍ରେମୀ ଓଡ଼ିଆଙ୍କ ହୋସ୍ ଉଡ଼ାଇ ଦେଇଛି ।
ପୁରୀରେ ରୋଡ୍ ସୋ’ କରି ତାଙ୍କ ପାଇଁ ଭୋଟ ମାଗିବାକୁ ପ୍ରଧାନମନ୍ତ୍ରୀ ଆସିଥିବାରୁ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ ସମ୍ବିତ୍ । ନିଜର ‘ନାଟୁଆ’ ଭାବଭଙ୍ଗୀ ପାଇଁ ପରିଚିତ ସମ୍ବିତ ଏହି ରୋଡ୍ ସୋ’ ରେ ସେଭଳି କିଛି କମାଲ୍ ଦେଖାଇବାକୁ ସୁଯୋଗ ପାଇ ନ ଥିଲେ ମଧ୍ୟ ରୋଡ୍ ସୋ’ ସରିଲା ପରେ ଗଣମାଧ୍ୟମ ଆଗକୁ ଆସିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଥିବା ସମ୍ବିତ୍ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସ୍ୱୟଂ ଜଗନ୍ନାଥଙ୍କୁ ମୋଦୀଙ୍କର ଭକ୍ତ ବୋଲି କହିଥିଲେ ।
ସମ୍ବିତ୍ କହିଥିଲେ, ମୋଦୀଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଲୋକ ଆସିଛନ୍ତି । ମୋଦୀଙ୍କର ଭକ୍ତ ଜଗନ୍ନାଥ । ଆଉ, ଆମେ ସବୁ ହେଉଛୁ ମୋଦୀଙ୍କ ପରିବାରଜନ । ଏ ଯେଉଁ ଅଦ୍ଭୂତ ଦୃଶ୍ୟ, ମୁଁ ତ ମୋର ଇମୋସନ୍ କଣ୍ଟ୍ରୋଲ୍ କରିପାରୁନି । ମୋତେ ଲାଗୁଚି, ଏ ସବୁ ଓଡ଼ିଆଙ୍କ ପାଇଁ ଆଜି ଗୋଟେ ବହୁତ ବିଶେଷ ଦିନ ।
ପୁରୀ ବିଜେପି ସାଂସଦ ପ୍ରାର୍ଥୀ ଡ. ପାତ୍ରଙ୍କ ଏହି ବାଇଟ୍ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଯାହା ଜାତୀୟସ୍ତରରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ତାଙ୍କ ପାଟିରୁ ଶବ୍ଦ ଓଲଟପାଲଟ ହୋଇଯାଇଛି ବୋଲି ସମ୍ବିତ୍ ସଫେଇ ଦେଇଛନ୍ତି ।