ଭୁବନେଶ୍ୱର: କଂଗ୍ରେସ ଯୁବନେତା ଦକ୍ଷ ସଂଗଠକ ସଂଗ୍ରାମ(ବାପି) ଜେନା ଆଉ ନାହାନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ ରେ ଇକମୋ ଚିକିତ୍ସାରେ ଥିବା ୪୪ ବର୍ଷୀୟ ସଂଗ୍ରାମ ଆଜି ସକାଳେ ହୃଦଘାତର ଶିକାର ହୋଇ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି । ସଂଗ୍ରାମଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କଂଗ୍ରେସ ମହଲରେ ଶୋକର ଛାୟା ଖେଳିଯାଇଛି ।
ଗତ ମେ ପ୍ରଥମ ସପ୍ତାହରେ ସଂଗ୍ରାମ କରୋନାରେ ଆକ୍ରାନ୍ତ ହୋଇଥିଲେ । ୩ ସପ୍ତାହ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ଭେଣ୍ଟିଲେଟରରେ ଥିଲେ ବି ତାଙ୍କ ଅବସ୍ଥାରେ ସୁଧାର ଆସି ନ ଥିଲା । ଇକମୋ ଚିକିତ୍ସା ପାଇଁ ମେ ଶେଷ ସପ୍ତାହରେ ତାଙ୍କୁ ହାଇଦ୍ରାବାଦ ଏୟାରଲିଫ୍ଟ କରାଯାଇଥିଲା । ବ୍ୟୟବହୁଳ ଇକମୋ ଚିକିତ୍ସାରେ ତାଙ୍କ ଅବସ୍ଥାରେ ସାମାନ୍ୟ ଉନ୍ନତି ଆସୁଥିଲା । ତେବେ ୮୪ ଦିନ ଧରି ଇକମୋ ଚିକିତ୍ସାରେ ଥିବା ସଂଗ୍ରାମ ଆଜି ସକାଳେ ହୃଦଘାତ୍ ର ଶିକାର ହୋଇଥିଲେ । ସକଳ ଉଦ୍ୟମ ସତ୍ତ୍ୱେ ଡାକ୍ତରମାନେ ତାଙ୍କୁ ବଞ୍ଚାଇପାରିଲେନି ।
ଆଜି ଅପରାହ୍ନରେ ସଂଗ୍ରାମଙ୍କ ପାର୍ଥିବ ଶରୀର ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯିବ । ୫ଟାରେ ବିମାନବନ୍ଦରରେ ମୃତଦେହ ପହ୍ୟଞ୍ଚିଲା ପରେ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ଭବନ ଅଣାଯିବ । କଂଗ୍ରେସ ଭବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ସୂର୍ଯ୍ୟନଗରସ୍ଥିତ ବାସଭବନକୁ ନିଆଯାଇ ଶେଷ ଦର୍ଶନ ପାଇଁ ରଖାଯିବ । ଆସନ୍ତାକାଲି ଶୁକ୍ରବାର ସକାଳ ୭ଟାରେ ସଂଗ୍ରାମଙ୍କ ମରଶରୀରକୁ ତାଙ୍କ ଜନ୍ମମାଟି ଆନନ୍ଦପୁର ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।
ବାପା ଜୟଦେବ ଜେନାଙ୍କ ପରିଚୟରେ ନୁହେଁ, ସଂଗ୍ରାମ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କଂଗ୍ରେସରେ ଲୁଲୁ ମହାପାତ୍ରଙ୍କ ପରେ ଯଦି କାହାରିକୁ ଦକ୍ଷ ଯୁବ ସଂଗଠକ ଭାବେ ବିଚାର କରାଯାଉଥିଲା ସେ ଥିଲେ ସଂଗ୍ରାମ ଓରଫ ବାପି ଜେନା । ସଂଗଠନ ଆଗକୁ ନେବାରେ ତାଙ୍କର ବିଚକ୍ଷଣ ଦୂରଦୃଷ୍ଟି ଥିଲା । ତାଙ୍କର ଉତ୍ତମ ଆଚାର ବ୍ୟବହାର ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ରାଜ୍ୟ ଯୁବ କଂଗ୍ରେସର ସଭାପତି ଭାବେ ସେ ସଂଗଠନକୁ ଯଥେଷ୍ଟ କ୍ରିୟାଶୀଳ କରାଇଥିଲେ । ୨୦୧୪ ରେ ସେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ।
ସଂଗ୍ରାମଙ୍କ ବିୟୋଗରେ ଦଳମତ ନିର୍ବିଶେଷରେ ସମସ୍ତେ ଶୋକପ୍ରକାଶ କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ ସଂଗ୍ରାମଙ୍କ ବିୟୋଗ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ବାପି ଜଣେ ଉଦୀୟମାନ ଯୁବ ସଂଗଠକ ଥିଲେ । ସଦାସର୍ବଦା ଯୁବକମାନଙ୍କ ପାଇଁ ଖାଲି ଚିନ୍ତା କରୁ ନ ଥିଲେ ବରଂ ଅକ୍ଲାନ୍ତ ପରିଶ୍ରମ କରୁଥିଲେ । ବାପିଙ୍କଠାରୁ ଓଡ଼ିଶା ଅନେକ ଆଶା ରଖିଥିଲା । ମାତ୍ର ସେ ଆଜି ଅସ୍ତମିତ ହୋଇଗଲେ । ଏହି ଦାରୁଣ ଦୁଃଖ ସହ୍ୟ କରିବା ମୋ ପକ୍ଷେ ଅସମ୍ଭବ ବୋଲି ନିରଞ୍ଜନ କହିଛନ୍ତି । ଜୟଦେବବାବୁ ଏବଂ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଯଥେଷ୍ଟ ଶକ୍ତି ଓ ସାହାସ ପ୍ରଦାନ କରନ୍ତୁ ବୋଲି କହିଛନ୍ତି ।