ଭୁବନେଶ୍ୱର: ପ୍ରତୀକ୍ଷା, କଳ୍ପନାଜଳ୍ପନାର ଅବସାନ ଘଟିଛି । ଶରତ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସର ସଭାପତି ଭାବେ ନିଯୁକ୍ତି ମିଳିଛି । ଏଆଇସିସି ପକ୍ଷରୁ ଆଜି ଅପରାହ୍ନରେ ଏହି ଘୋଷଣା କରାଯାଇଛି । ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ଦସ୍ତଖତରେ ଜାରି ଏହି ଘୋଷଣାନାମାରେ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଗ୍ରହଣ ସମ୍ପର୍କରେ ପ୍ରଥମରୁ ଜଣାଇ ଦିଆଯାଇଛି । ଦଳ ପ୍ରତି ନିରଞ୍ଜନଙ୍କ ଅବଦାନକୁ ସେଥିରେ ବାହାବା ଦିଆଯାଇଛି ।
ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବେ ବୋଲି ନୂଆ ସଭାପତି ଶ୍ରୀ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସଂଗଠନକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାମ କରିବୁ ଏବଂ ବ୍ରଜରାଜନଗର ଉପନିର୍ବାଚନ ପରେ ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସେ କହିଛନ୍ତି ।
ପିସିସି ସଭାପତି ଦାୟିତ୍ୱ ନେବାରେ ଶରତ ପଟ୍ଟନାୟକ ନୂଆ ନୁହଁନ୍ତି । ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ସେ ଥିଲେ ପିସିସି ସଭାପତି । ତାହା ପୂର୍ବରୁ ସେ ଯୁବ କଂଗ୍ରେସର ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ଏକଦା ପଶ୍ଚିମ ଓଡ଼ିଶାରେ ତାଙ୍କର ପ୍ରବଳ ଦବଦବା ଥିଲା । ବଲାଙ୍ଗୀର ଲୋକସଭା ଆସନରୁ ସେ ଦୁଇଥର ସାଂସଦ ନିର୍ବାଚିତ ହୋଇଥିଲେ । ୫ ଥର ସାଂସଦ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ ।
ଶରତଙ୍କ ନିଯୁକ୍ତିକୁ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, ମହମ୍ମଦ ମୋକିମ୍ ପ୍ରମୁଖ ସ୍ୱାଗତ କରିଥିଲେ ମଧ୍ୟ ରାଜଧାନୀର କଂଗ୍ରେସ କର୍ମୀ ମହଲରେ ସେତେଟା ଉତ୍ସୁକତା ଦେଖିବାକୁ ମିଳିନାହିଁ । ଜଣେ ନିର୍ବିବାଦୀୟ ବ୍ୟକ୍ତି ହୋଇଥିଲେ ମଧ୍ୟ ଶରତଙ୍କ ନେତୃତ୍ୱରେ କଂଗ୍ରେସ ଏକଜୁଟ୍ ହୋଇ ଶକ୍ତିଶାଳୀ ବିଜେଡ଼ି ଓ ବିଜେପି ସହ ଲଢ଼ିବାକୁ ସମର୍ଥ ହେବା ନେଇ ଅନେକଙ୍କ ମନରେ ଶଙ୍କା ଅଛି । ତେବେ ଏ ସମ୍ପର୍କରେ ଗଣମାଧ୍ୟମରେ କେହି ପାଟି ଖୋଲିନାହାନ୍ତି ।
ସୂଚନାଥାଉକି, ୨୦୧୯ ନିର୍ବାଚନ ପରେ ପରେ ପିସିସି ସଭପତି ଦାୟିତ୍ୱରୁ ଓହରି ଯିବାକୁ ଇଚ୍ଛା କରିଥିଲେ ନିରଞ୍ଜନ ପଟ୍ଟନାୟକ । ଏଆଇସିସି ପାଖକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଥିଲେ ମଧ୍ୟ ତାହା ଗ୍ରହଣ ନ ହେବାରୁ ସେ କାମଚଳା ଭାବେ ଦାୟିତ୍ୱ ତୁଲାଉଥିଲେ । ତେବେ ରାଜ୍ୟରେ କଂଗ୍ରେସର ଅବସ୍ଥା ଦିନକୁ ଦିନ ଆହୁରି ଖରାପ ହେଉଥିବା ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରମାଣିତ ହୋଇଯାଇଥିଲା । ଦଳର ଏଭଳି ଅବସ୍ଥାରେ ନୂଆ ପିସିସି ସଭାପତି ନିଯୁକ୍ତି ପ୍ରକ୍ରିୟା ଗତ ଏପ୍ରିଲ୍ ଶେଷ ସପ୍ତାହରେ ଆରମ୍ଭ ହୋଇଥିଲା ।
ଏପ୍ରିଲ୍ ୨୬ ତାରିଖରେ ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର କଂଗ୍ରେସ ଭବନରେ ଦଳର ସବୁ ବିଧାୟକଙ୍କ ସମେତ ଶରତ ପଟ୍ଟନାୟକ, ଜୟଦେବ ଜେନା, ଚିରଞ୍ଜିବୀ ବିଶ୍ୱାଳ, ସୁରେଶ ମହାପାତ୍ରଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ସଭାପତି ପଦରେ ବସାଇବାକୁ ଅଧିକାଂଶ ବିଧାୟକ ଦାବି କରିଥିଲେ । ୭ ଜଣ ବିଧାୟକ ମହମ୍ମଦ ମୋକିମ୍ ଙ୍କ ସପକ୍ଷରେ ଚେଲ୍ଲା କୁମାରଙ୍କ ପାଖରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ । ତେବେ ବାହାରେ ଥାଇ ନିରଞ୍ଜନ ପଟ୍ଟନାୟକଙ୍କ ଗୋଷ୍ଠୀ ଶରତଙ୍କ ସପକ୍ଷରେ ଗୋଟିଚାଳନା କରୁଥିବା ଚର୍ଚ୍ଚା ହୋଇଥିଲା ।
ମେ’ ପ୍ରଥମ ସପ୍ତାହରେ ବିଧାୟକମାନଙ୍କୁ ଦିଲ୍ଲୀରେ ଭେଟିଥିଲେ ରାହୁଲ ଗାନ୍ଧୀ । ଓଡ଼ିଶାରେ କଂଗ୍ରେସକୁ କିଭଳି ସୁଦୃଢ଼ କରାଯାଇପାରିବ ଜଣ ଜଣ କରି ପଚାରି ବୁଝିଥିଲେ । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କରିବାକୁ ରାହୁଲ ଗାନ୍ଧୀଙ୍କ ଆଗରେ ଅଧିକାଂଶ ବିଧାୟକ ମତ ଦେଇଥିଲେ । ତେବେ ରାହୁଲଙ୍କ ନିଷ୍ପତ୍ତିକୁ ସମସ୍ତେ ମାନିନେବେ ବୋଲି ଜଣାଇ ଭୁବନେଶ୍ୱର ଫେରିଥିଲେ ।