ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ । ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ୧୫୨ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏଥିରେ ସୁନ୍ଦରଗଡର ୬୭ଟି, କଟକର ୩୦ଟି, ବାଲେଶ୍ବରର ୨୩ଟି, ନବରଙ୍ଗପୁରର ୨୨ଟି ଓ କନ୍ଧମାଳର ୧୦ଟି ସ୍କୁଲ ରହିଛି । ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଥିଲା ।

ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି ମତଦେଇ ସେ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ୱ।
ମୁଖ୍ୟମନ୍ତ୍ରୀ କହିଲେ, “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ଟେକନୋଲୋଜି ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ ଚାଲେଞ୍ଜକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।”
ଓଡିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ବତନ୍ତ୍ର ହୋଇରହିବ। ମୁଁ ବହୁତ ଖୁସି ଯେ 5-T transformationକାର୍ଯ୍ୟକ୍ରମର first phaseରେ ରୂପାନ୍ତର ହୋଇଥିବା 1025 ହାଇସ୍କୁଲର ଲୋକାର୍ପଣ ଉତ୍ସବ ଆଜିଠାରୁ ଆରମ୍ଭ କରାଗଲା । ୨୪ ନଭେମ୍ବର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ।
୫-ଟି ନୀତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍କୁଲ ରୂପାନ୍ତର ହେଉଛି ଆମର 5-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଲା ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍ ୱାର୍କ ।
ତୃତୀୟ ନୀତି ହେଉଛି ଟାଇମ୍ ବା ସମୟ ।. ନଭେମ୍ବର ୧୪ ସୁଦ୍ଧା ୧୦୭୨ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍ ସମୟରେ ଶେଷ ହୋଇପାରିଛି ।
ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ।








