ଭୁବନେଶ୍ୱର: ବିଜେପି ନେତା ଜଗନ୍ନାଥ ପ୍ରଧାନ ଓରଫ୍ ଜଗା ପ୍ରଧାନଙ୍କ ଗିରଫ ପଛର ବହୁ ରୋଚକ କାହାଣୀ ବଜାରରେ ବୁଲୁଛି । କିଏ କହୁଛନ୍ତି ଓଏଏସ୍ ସଂଘକୁ ହାତ କରି ବିଜେଡି ଏସବୁ ନାଟକ ରଚିଛି ତ ଆଉ କିଏ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଘଟଣାରେ ଜଡ଼ିତ କରି ଚର୍ଚ୍ଚା କରୁଛନ୍ତି । ତେବେ ଏହି ଦୁଇଟି ଯାକ ଚର୍ଚ୍ଚାରେ ତିଳେ ମାତ୍ର ସତ୍ୟତା ନ ଥିବା ଜଣାପଡ଼ିଛି । ସତ ହେଉଛି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସଂପୃକ୍ତ ଜଣେ ବରିଷ୍ଠ ଅଧିକାରୀ ଏହି ନିଷ୍ପତ୍ତି ପଛର ଏକମାତ୍ର ବ୍ୟକ୍ତି । ସେଥିରେ ଅନ୍ୟ କାହାରି ଭୂମିକା ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତିକୁ ଯାହା କାର୍ଯ୍ୟକାରୀ କରିଛନ୍ତି ।
ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ତାଙ୍କ ଅଫିସ ଭିତରେ ଅତି ଅମାନୁଷିକ ଭାବେ ମାଡ଼ ମରାଯିବା ଘଟଣା କେବଳ ଓଡ଼ିଶାରେ ଆଲୋଡ଼ନ ଖେଳାଇ ନାହିଁ । ଜାତୀୟ ଗଣମାଧ୍ୟମରେ ଜୋର୍ ଚର୍ଚ୍ଚା ହୋଇଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିଲେ ମଧ୍ୟ କିଙ୍ଗପିନ୍ ଯେ ଜଗା ପ୍ରଧାନ ତାହା ପୁଲିସର ପ୍ରାଥମିକ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଖବର ପାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ସଂପୃକ୍ତ ଅଧିକାରୀ ଏହି ମାମଲାର ସମସ୍ତ ଦିଗକୁ ଅନୁଧ୍ୟାନ କରିଥିଲେ ।
ସେପଟେ ମାମଲାର ଗମ୍ଭୀରତା ଜାଣିବା ପରେ ଉଚିତ ପଦକ୍ଷେପ ନେବାକୁ ଦିଲ୍ଲୀ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଦାୟିତ୍ୱ ଛାଡ଼ିଥିଲେ । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦିଷ୍ଟ ଅଧିକାରୀ, ଜଗା ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯିବା ସପକ୍ଷରେ ମତ ଦେଇଥିଲେ । ଖାଲି ସେତିକି ନୁହେଁ, ଦଳର ଭାବମୂର୍ତ୍ତି ରକ୍ଷା ପାଇଁ ଜଗା ନିଜ ଆଡୁ ଇସ୍ତଫା ଦେବାକୁ ସେ ପ୍ରସ୍ତାବ ରଖିଲେ । ନଚେତ୍ ଏହା ଉଭୟ ଦଳ ଓ ସରକାରଙ୍କୁ ଭାରି ପଡ଼ିବ ବୋଲି ଜଣାଇ ଦେଇଥିଲେ ।
ସଂଯୋଗ ହେଉ କି ଆୟୋଜିତ ହେଉ, ଓଏଏସ୍ ସଂଘର ମଧ୍ୟ ମୁଖ୍ୟ ଦାବି ରହିଲା ଜଗା ପ୍ରଧାନଙ୍କ ଗିରଫ । ଆଇଏଏସ୍ ସଂଘ ମଧ୍ୟ ସେମାନଙ୍କୁ ସମର୍ଥନ ଜଣାଇଲା । ଓଏଏସ୍ ସଂଘ କଲମଛାଡ଼ କରି ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି ନେଲେ । ଓଆରଏସ୍ ସଂଘ ମଧ୍ୟ ତାହାକୁ ସମର୍ଥନ କଲେ । ଅତଏବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କେବଳ ଆଇ ୱାସ୍ ଥିଲା । କାରଣ ଜଗା ଗିରଫ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମନସ୍ଥ କରିସାରିଥିଲେ । ତେବେ ତାଙ୍କ ଇଜ୍ଜତକୁ ଜଗି ଆତ୍ମସମର୍ପଣ କରାଇବା ପାଇଁ ନିଷ୍ପତ୍ତି ହୋଇଥିଲା ।
ମାତ୍ର ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ କରିବାରେ ବାଧକ ସାଜିଲେ ମନମୋହନ ସାମଲ । ଜଗାଙ୍କୁ ପାର୍ଟି ଅଫିସ୍ ଡାକି ତାଙ୍କୁ ଇସ୍ତଫା ଦେବାକୁ ପ୍ରବର୍ତ୍ତାଇଥିବା ପାଇଁ ମନମୋହନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଯୋଜନା ଅନୁଯାୟୀ, ବୁଧବାର ରାତିରେ ଜଗା ଦଳରୁ ଇସ୍ତଫା ଦେଇଥାନ୍ତେ ଏବଂ ଖାରବେଳ ନଗର ଥାନା ଯାଇ ଆତ୍ମସମର୍ପଣ କରିଥାନ୍ତେ । ଆଇନଶୃଙ୍ଖଳାକୁ ଆଖି ଆଗରେ ରଖି ଦଳୀୟ କାର୍ଯ୍ୟାଳୟ ଏବଂ ଖାରବେଳ ନଗର ଥାନାରେ ପୁଲିସ ଛାଉଣି କରାଯାଇଥିଲା ।
ତେବେ ଦଳରୁ ଇସ୍ତଫା ପ୍ରସ୍ତାବକୁ ଜଗା ଗ୍ରହଣ କରି ନ ଥିଲେ । ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ବାବୁ ସିଂଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ଏଭଳି ପ୍ରସ୍ତାବକୁ ନାପସନ୍ଦ କରିଥିଲେ । ସେ କାହିଁକି ଇସ୍ତଫା ଦେବେ? ଆବଶ୍ୟକତା ଥିଲେ ଦଳ ତାଙ୍କୁ ସସପେଣ୍ଡ କରୁ ବୋଲି ମତ ଦେଇଥିଲେ । ଏଥିରେ ସମ୍ପୂର୍ଣ୍ଣ ସହମତ ଥିଲେ ମନମୋହନ । ଫଳ ହେଲା ଜଗା ଥାନା ନ ଯାଇ ସସମ୍ମାନେ ଘରକୁ ଫେରିଲେ ।
ତେବେ ଅପରାଧର ଗୁରୁତ୍ୱ, ପ୍ରତିକ୍ରିୟା, ସରକାରୀ କାର୍ଯ୍ୟ ବନ୍ଦ, ସରକାରର ଭାବମୂର୍ତ୍ତି କୁ ଆଖିରେ ରଖି ଜଗାଙ୍କୁ ଗିରଫ କରିବାକୁ ତୃତୀୟ ମହଲାରୁ ନିଷ୍ପତ୍ତି କାଏମ ରହିଲା । ତୃତୀୟ ମହଲାର ଏହି ଆଭିମୁଖ୍ୟ ଜାଣି ଓଏଏସ୍ ସଂଘ ଚାପ ପକାଇବାକୁ ସହଜ ମଣିଲେ । ଜଗାଙ୍କୁ ଗିରଫ ପାଇଁ ସଂଘ ପକ୍ଷରୁ ଗତକାଲି ସରକାରଙ୍କୁ ସମୟ ଦିଆଗଲା । ତୃତୀୟ ମହଲାରୁ ଜଗାଙ୍କୁ ଖବର ଗଲା । ଆତ୍ମସମର୍ପଣ କରିବ ନା ଗିରଫ ହେବ ବୋଲି ପଚରାଗଲା । ଜଗା ତାଙ୍କ ଅନ୍ତରଙ୍ଗ ବରିଷ୍ଠ ନେତାଙ୍କୁ ଫୋନ୍ କରି ପରାମର୍ଶ ଲୋଡ଼ିଲେ । ତାଙ୍କ ପରାମର୍ଶରେ ଜଗା ସିଧା ଆସିଲେ ଡିସିପି ଅଫିସ୍ କୁ । ସାଙ୍ଗରେ ନେଇ ଆସିଥିଲେ ଶତାଧିକ ସମର୍ଥକ । ଜଗା ଗଣମାଧ୍ୟମକୁ ବାଇଟ୍ ଦେଇ ଭିତରକୁ ଗଲା ପରେ ସମର୍ଥକମାନେ ତାଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଥିଲେ । ବାଣୀବିହାର ଛକରେ କିଛି ସମୟ ଧରି ଚାଲିଲା ହାଇଡ୍ରାମା ।
ତା’ ଭିତରେ ଜଗାଙ୍କୁ ପୁଲିସ ଗିରଫ କରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲା । ସେଠୁଁ ନେଇ କୋର୍ଟରେ ହାଜର କରାଗଲା । ତାଙ୍କ ବିରୋଧରେ ୧୧ଟି ସଙ୍ଗୀନ ଦଫା ଲାଗିଛି । କୋର୍ଟରେ ତାଙ୍କ ଓକିଲ ଜାମିନ୍ ଆବେଦନ କରିଥିଲେ । ମାତ୍ର ମାଜିଷ୍ଟ୍ରେଟ୍ ଜାମିନ୍ ନାମଞ୍ଜୁର କରି ବିଚାର ବିଭାଗ ହାଜତକୁ ପଠାଇ ଦେଇଥିଲେ । ଶେଷକୁ ଝାରପଡ଼ା ଜେଲ୍ ଗଲେ ଜଗା ।