ଭୁବନେଶ୍ୱର: ଦିଲ୍ଲୀର ଦାମୀ ଅଶୋକା ହୋଟଲରେ ଜଣେ ବରିଷ୍ଠ ଓଏଏସ୍ ଅଫିସରଙ୍କର କାରନାମା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏକ ସରକାରୀ କାର୍ଯ୍ୟରେ ଦିଲ୍ଲୀ ଯାଇଥିବା ଏହି ଅଫିସର ଅଶୋକା ହୋଟେଲର ୬୩୮ ନଂ ରୁମ୍ ରେ ଜଣେ ବନ୍ଧୁଙ୍କ ସହ ଅବସ୍ଥାନ କରୁଛନ୍ତି । କୁଆଡ଼େ ଗୁରୁବାର ରାତିରେ ହୋଟେଲ ଲବିରେ ମଦ ମାଂସ ଆସର ଜମିଥିଲା । ନିଶାରେ ଚୂର ଓଏଏସ୍ ବାବୁଙ୍କ ବନ୍ଧୁ ହଠାତ୍ ରାଜା ବନିଗଲେ । ଆଖିରେ ଯିଏ ପଡ଼ିଲେ ତାଙ୍କୁ ରାଣୀ ଭଳି ଦିଶିଲେ । ସେହି ମୁହୂର୍ତ୍ତରେ ଅନ୍ୟ ମହିଳା ଅତିଥିମାନଙ୍କୁ ନିଜ ବାହୁବନ୍ଧନରେ ରଖିବାକୁ ମନ ବଳାଇଲେ । ଏହାକୁ ନେଇ ସେଠାରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଭଦ୍ର ମହିଳାମାନେ ହୋଟେଲ ଛାଡ଼ି ପଳାଇବାକୁ ବସିଲେ । ପରିସ୍ଥିତି ଅସମ୍ଭାଳ ହେବାରୁ ହୋଟେଲ କର୍ତ୍ତୃପକ୍ଷଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ।
୧୨ ତାରିଖ(ଗୁରୁବାର) ରାତି ପ୍ରାୟ ସାଢ଼େ ୧୧ଟା ବେଳର ଏହି ଘଟଣା ଗତକାଲି ରାତିରୁ ସୋସିଆଲ୍ ମିଡିଆରେ ଛାଇ ଗଲାଣି । ପିସିସି ମୁଖପାତ୍ର ବିଭୂତି ଭୂଷଣ ମହାପାତ୍ର ତାଙ୍କ ‘ଏକ୍ସ’ ହାଣ୍ଡଲରେ ଏହି ଘଟଣା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏବଂ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ଟ୍ୟାଗ୍ କରିଛନ୍ତି ।
ସେ ଲେଖିଛନ୍ତି-ଦିଲ୍ଲୀର ହୋଟେଲ ପାଲଟିଛି ଓଡ଼ିଶା ସରକାରଙ୍କ ରଙ୍ଗଶାଳା । ଗତକାଲି ୬୩୮ ନଂ ରୁମ୍ ରେ ଓଡ଼ିଆଙ୍କ ଟ୍ୟାକ୍ସରେ କେଉଁ ଓଏଏସ୍ ଅଫିସର ଜମାଇଥିଲେ ମଦ ମାଂସର ଆସର? ବରିଷ୍ଠ ଓଏଏସ୍ ଙ୍କ ବନ୍ଧୁ ପେଟେ ମଦ ପିଇ ନିଶାଶକ୍ତ ହେଇ ଅଶୋକା ହୋଟେଲ ଲବିରେ ଅନ୍ୟ ଅତିଥିଙ୍କୁ ଅସଦାଚରଣ କରିବା ଘଟଣା ସରକାରଙ୍କ ନଜରରେ ଅଛି ତ? ସିସିଟିଭି ଦେଖ, ତଦନ୍ତ କର-ନଚେତ ଏମିତି ଲଜ୍ଜିତ ହେଉଥିବ ଓଡ଼ିଶା । ଦୃଢ଼ ଆଉ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସରକାର ।
ଆମ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଅଶୋକା ହୋଟେଲର ଗୋଟେ ଏକଜ୍ୟୁଟିଭ୍ ସୁଇଟ୍ ରାଜ୍ୟ ସରକାରଙ୍କ ଜଣେ ପଦସ୍ଥ ଅଧିକାରୀଙ୍କ ନାମରେ ୧୨.୦୨.୨୦୨୬ରୁ ୧୬.୦୨ ୨୦୨୬ ଯାଏ ବୁକ୍ ହୋଇଛି । ଗୃହ ବିଭାଗ ପକ୍ଷରୁ ଗତ ୧୦ ତାରିଖରେ ଏହାର ଅଫିସ୍ ଅର୍ଡର(ନଂ ୫୨୭୩) ବାହାରିଥିଲା । ୧୫ ହଜାର ଟଙ୍କାର ଏହି ସୁଇଟ୍ ରେ ରହିବା ପାଇଁ ବାବୁଙ୍କ ଦେୟ ମାତ୍ର ୧୨୦ ଟଙ୍କା । ୧୨ ତାରିଖ ରାତି ଘଟଣାଟି ଅନୁସନ୍ଧାନ ସାପେକ୍ଷ ଥିବାରୁ ବାବୁଙ୍କର ନାଁ, ତାଙ୍କର ବିଭାଗ ଏବଂ ପଦବୀକୁ ଆମେ ଏଠାରେ ସାର୍ବଜନୀନ କରୁନାହୁଁ । ମାତ୍ର ଘଟଣାଟି ସତ ହୋଇଥିଲେ ସାଂଘାତିକ । ସେତେବେଳେ ଏହି ବାବୁଙ୍କର ପରିଚୟ ଆମେ ସାର୍ବଜନୀନ କରିବୁ ।
ଉଲ୍ଲେଖ ଥାଉକି ସଂପୃକ୍ତ ବାବୁଙ୍କର ସାଇକେଲ ଚାଳନାରେ ଦକ୍ଷତା ଅଛି । ନିକଟରେ ଅନୁଷ୍ଠିତ ଟାଟା ମୁମ୍ବାଇ ମାରାଥନର ୩୫ ଜଣିଆ ଦଳର ସେ ଥିଲେ ସଦସ୍ୟ ।
Continue Reading







