ଭୁବନେଶ୍ୱର: ମାନସ ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ୱେବ୍ ଚାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ ଯେ ମୁଖ୍ୟ କାର୍ପଟଦାର ତାହା ପୁଲିସ ସୂଚନାରୁ ସ୍ପଷ୍ଟ ହେଉଛି । ସମାଜସେବା ଓ ସାମ୍ବାଦିକତାର ଖୋଳପା ପିନ୍ଧି ସେ ଏଭଳି ଏକ ଜଘନ୍ୟ କାଣ୍ଡ ଘଟାଇ ଥାଇପାରନ୍ତି । ଶର୍ମିଷ୍ଠାଙ୍କୁ ଏଭଳି ବଳୀୟାନ୍ କରିବାରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କର ଆଶୀର୍ବାଦ ଥିବା ଏବେ ସବୁ ମହଲରେ ଚର୍ଚ୍ଚା । ନିର୍ଦ୍ଦିଷ୍ଟ ମନ୍ତ୍ରୀ, ବିଧାୟକ, ଅଫିସରଙ୍କଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟର ରାଜଭବନରେ ତାଙ୍କର ପହଞ୍ଚ ଏବଂ ସମ୍ପର୍କର ଦସ୍ତାବିଜ୍ ଏବେ ସୋସିଆଲ୍ ମିଡ଼ିଆରେ ବୁଲୁଛି ।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ‘ସମ୍ପୂର୍ଣ୍ଣା’ ୱେବ୍ ଚାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ ଏବେ ଫେରାର । ଏକ ମେମୋରି ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ଏହି ମେମୋରି ଚିପ୍ ରେ କ’ଣ ଥିଲା ତାହା ଜଣାପଡ଼ି ନାହିଁ । ହେଲେ କୁହାଯାଉଛି ଯେ ଶର୍ମିଷ୍ଠାଙ୍କ ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମର ଉପର ମହଲାରେ ଥିବା ତାଙ୍କ ୱେବ୍ ଚାନେଲ ଅଫିସ୍ ରେ ଅଶ୍ଲୀଳ ଭିଡ଼ିଓ ସୁଟିଂ ହେଉଥିଲା । ଏହାର କେତୋଟି ଭିଡ଼ିଓ ପୁଲିସ ହାତରେ କୁଆଡ଼େ ପଡ଼ିଛି ।
ମାନସ ହତ୍ୟାକାଣ୍ଡ ପଛରେ ଆଉ ଜଣେ ମହିଳାଙ୍କ ସଂପୃକ୍ତିକୁ ନେଇ ଚର୍ଚ୍ଚା ହେଉଥିଲା । ଆଜି ଏହାର ଲିଡ୍ ମିଳିଛି । ଭୁବନେଶ୍ୱର ଏୟାରଫିଲଡ ଥାନା ଅନ୍ତର୍ଗତ ବିରିବନ୍ଦ ଭୋଇ ସାହିର ଅରୁଣ କୁମାର ଭୋଇଙ୍କ ପତ୍ନୀ ଝୁନା ଭୋଇ ଗତ ୭ ତାରିଖରୁ ନିଖୋଜ ଅଛନ୍ତି । ଦୁଇଦିନ ତଳେ ଅରୁଣ ପୁଲିସକୁ ଏହା ଜଣାଇଥିବା ବେଳେ ଆଜି ଗଣମାଧ୍ୟମରେ ବୟାନ ଦେଇଛନ୍ତି ।
ଶର୍ମିଷ୍ଠା ରାଉତଙ୍କ ସହ ଏକ ସ୍କୁଟିରେ ତାଙ୍କ ପତ୍ନୀ ଝୁନା ଗତ ୭ ତାରିଖ ଭୋର୍ ରୁ ଯାଇଛନ୍ତି । ଚାନ୍ଦବାଲି ଥାନାରେ କାମ ଅଛି ଏବଂ ୫ ଦିନ ପରେ ଘରକୁ ଫେରିବେ ବୋଲି କହି ଯାଇଥିଲେ । ମାତ୍ର ତାଙ୍କର ଏବେ ପତ୍ତା ନାହିଁ । ଫୋନ୍ ସୁଇଚ୍ ଅଫ୍ ଅଛି । ସେ କେଉଁଠି ମୁଁ ଜାଣିନି ବୋଲି ସ୍ୱାମୀ ଅରୁଣ କହିଛନ୍ତି । ଶର୍ମିଷ୍ଠାଙ୍କ ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମକୁ ଝୁନା ଗତ ୬/୭ ମାସ ହେଲା ଯାଉଥିଲେ । ସେଠାରେ ବୁଢ଼ାବୁଢ଼ୀଙ୍କ ସେବା କରୁଥିଲେ । ବଜାର ସଉଦା କରୁଥିଲେ । ଆଉ ଅଧିକା କିଛି ଜାଣିନାହାନ୍ତି ବୋଲି ଅରୁଣ ମଧ୍ୟ କହିଛନ୍ତି ।
ମାନସ ହତ୍ୟା ଘଟଣାରେ ଚାନ୍ଦବାଲି ପୁଲିସ ୩ ଜଣଙ୍କୁ ପୂର୍ବରୁ ଗିରଫ କରିସାରିଛି । ଆଉ ୩ ଜଣଙ୍କୁ ଖୋଜୁଛି । ଫେରାର୍ ୩ ଜଣଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି । ଫେରାର ଏହି ମହିଳା ଦ୍ୱୟ ଶର୍ମିଷ୍ଠା ଏବଂ ଝୁନା ବୋଲି ଏବେ ସ୍ପଷ୍ଟ ହୋଇଛି । ତୃତୀୟ ଫେରାର ବ୍ୟକ୍ତିଜଣଙ୍କର ଖଣ୍ଡଗିରିରେ ଏକ ମୋବାଇଲ୍ ଦୋକାନ ଥିବା ପୁଲିସକୁ ସୁରାକ୍ ମିଳିଛି । ଚାନ୍ଦବାଲି ପୁଲିସ ଏବଂ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ସ୍କାଡ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିଲେ ମଧ୍ୟ ଏହି ତିନିଜଣଙ୍କୁ ଧରିବାରେ ଏଯାଏଁ ସଫଳ ହୋଇନାହାନ୍ତି । ତେବେ ଆସାମୀମାନେ ଖୁବ୍ ଶୀଘ୍ର ଧରାପଡ଼ିବେ ବୋଲି ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ ଦୃଢ଼ୋକ୍ତି ଦେଖାଇଛନ୍ତି ।
ସେ ଯାହା ବି ହେଉ, ମାନସ ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ୱେବ୍ ଚାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ ଯେ ମୁଖ୍ୟ କାର୍ପଟଦାର ତାହା ପୁଲିସ ସୂଚନାରୁ ସ୍ପଷ୍ଟ ହେଉଛି । ସମାଜସେବା ଓ ସାମ୍ବାଦିକତାର ଖୋଳପା ପିନ୍ଧି ସେ ଏଭଳି ଏକ ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଶର୍ମିଷ୍ଠାଙ୍କୁ ଏଭଳି ବଳୀୟାନ୍ କରିବାରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କର ଆଶୀର୍ବାଦ ଥିବା ଏବେ ସବୁ ମହଲରେ ଚର୍ଚ୍ଚା । ନିର୍ଦ୍ଦିଷ୍ଟ ମନ୍ତ୍ରୀ, ବିଧାୟକ, ଅଫିସରଙ୍କଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟର ରାଜଭବନରେ ତାଙ୍କର ପହଞ୍ଚ ଏବଂ ସମ୍ପର୍କର ଦସ୍ତାବିଜ୍ ଏବେ ସୋସିଆଲ୍ ମିଡ଼ିଆରେ ବୁଲୁଛି ।








