ଭୁବନେଶ୍ୱର: ସାମାଜିକ ବିକାଶ ନେଇ ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଆଦିବାସୀ ଏବଂ ଗ୍ରାମାଂଚଳର ଗରିବ ଲୋକଙ୍କର ଜୀବନର ଉନ୍ନତି ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ‘ସେଂଟର ଫର ୟୁଥ ଆଣ୍ଡ ସୋସିଆଲ୍ ଡେଭଲପମେଣ୍ଟ’ (ସିୱାଇଏସଡି) ମଧ୍ୟରେ ବୁଧବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ବୁଝାମଣା ଅନୁଯାୟୀ ସୋଆ ଏବଂ ସିୱାଇଏସଡି ମିଳିତ ଭାବେ ବିଭିନ୍ନ କର୍ମଶାଳା, ସମ୍ମିଳନୀ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବେ । ଛାତ୍ରଛାତ୍ରୀ ଓ ଗବେଷଣାରତ ସ୍କଲାରମାନଙ୍କୁ ସମାଜ ସହ ସମ୍ପର୍କ ଓ ଲିଙ୍ଗଗତ ଅଧ୍ୟୟନ କ୍ଷେତ୍ରରେ ଅବଗତ କରାଯିବ । ସେହିପରି କୃଷି ଜଙ୍ଗଲ, ସାମୂହିକ ଚାଷ, ଜଳସେଚନ ବିକାଶ ଓ ସ୍ଥାୟୀ ବିକାଶ ଲକ୍ଷ୍ୟ ବିଷୟରେ ମଧ୍ୟ ପ୍ରଶକ୍ଷିଣ ଦିଆଯିବ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ସିୱାଇଏସଡିର ସହ ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।
ସୋଆ ଏବଂ ସିୱାଇଏସଡି ମିଳିତ ଭାବେ ସାମଗ୍ରିକ କୃଷି ପଦ୍ଧତି ଉପରେ କାର୍ଯ୍ୟ କରିବେ ଓ ଓଡିଶାର କେତେକ ପଛୁଆ ଅଂଚଳରେ ଏହାକୁ ନେଇ ପାଇଲଟ ପ୍ରୋଜେକ୍ଟ କରାଯିବ । ଯୁବଶକ୍ତି କୁ ବିକାଶ ତଥା ବିପର୍ଯ୍ୟୟ ପ୍ରସ୍ତୁତି କ୍ଷେତ୍ରରେ ବ୍ୟବହାର କରାଯିବ । ଏହି ଅବସରରେ ଶ୍ରୀ ଜଗଦାନନ୍ଦ କହିଥିଲେ ସିୱାଇଏସଡି ଏବଂ ସୋଆ ଗ୍ରାମାଂଚଳର ଲୋକଙ୍କ ମଧ୍ୟରେ ନେତୃତ୍ୱ ବିକାଶରେ ସାହାଯ୍ୟ କରିବା ସହ ତୃଣମୂଳ ସ୍ତରର ଅନୁଷ୍ଠାନ ଗୁଡ଼ିକୁ ସେମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ସହାୟତା କରିବେ । ଗ୍ରାମାଂଚଳର ସାମାଜିକ ସ୍ତରରେ ସୋଆ ଯେଉଁ କାର୍ଯ୍ୟ କରୁଛି ସେଗୁଡ଼ିକରେ ମଧ୍ୟ ସିୱାଇଏସଡି ସହାୟତା କରିବ ବୋଲି ସେ କହିଥିଲେ ।
ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, ଇନଷ୍ଟିଚ୍ୟୁଟ୍ ଅଫ ଏଗ୍ରିକଲଚରାଲ ସାଇନ୍ସେସ୍ (ଆଇଏଏସ୍)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ପ୍ରମୋଦ କୁମାର ପଣ୍ଡା, ସିୱାଇଏସଡିର ଚିଫ୍ ଅପରେଟିଙ୍ଗ୍ ଅଫିସର ହରିଶ ଚନ୍ଦ୍ର ସିଂ ଏବଂ ପ୍ରୋଗ୍ରାମ ଡାଇରେକ୍ଟର ବସନ୍ତ କୁମାର ନାୟକ ଉପସ୍ଥିତ ଥିଲେ ।