ଭୁବନେଶ୍ୱର: ତାଙ୍କ ଜାଗାରେ ପୁଅ ମନ୍ମଥ ରାଉତରାୟ ଏଥର ଜଟଣୀରୁ ନିର୍ବାଚନ ଲଢ଼ିବେ । ଆଉ କଂଗ୍ରେସରୁ ହିଁ ଲଢ଼ିବେ । କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଗଣମାଧ୍ୟମରେ ଏହା ଛାତି ବାଡ଼େଇ କହି ଆସୁଥିଲେ । ମାତ୍ର ସୁର ବାବୁ ଯେ ଡାହା ମିଛୁଆ ଆଜି ତାଙ୍କର ସେହି ପୁଅ ପ୍ରମାଣିତ କରିଦେଇଛନ୍ତି । ନିଜ ଆଡୁ ଗଣମାଧ୍ୟମକୁ ଡାକି ମନ୍ମଥ ସ୍ପଷ୍ଟ କରିଛନ୍ତି ଯେ ସେ ନିର୍ବାଚନ ତ ନିଶ୍ଚିତ ଲଢ଼ିବେ । ମାତ୍ର କଂଗ୍ରେସରୁ ନୁହେଁ । କେଉଁ ଦଳରୁ ଲଢ଼ିବେ ତାହା ଅକ୍ଟୋବର ପୂର୍ବରୁ ଘୋଷଣା କରିବେ ।
ସୁର ରାଉତରାୟଙ୍କ ସାନ ପୁଅ ହେଉଛନ୍ତି ମନ୍ମଥ । ଏୟାର ଇଣ୍ଡିଆରେ କ୍ୟାପଟେନ୍ ଭାବେ କାର୍ଯ୍ୟ କରୁଥିଲେ । ନିକଟରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସକ୍ରିୟ ରାଜନୀତିକୁ ଆସିଛନ୍ତି । ବାପା ସୁର ରାଉତରାୟଙ୍କ ଜାଗାରେ ସେ ଜଟଣୀରୁ ନିର୍ବାଚନ ଲଢ଼ିବେ ବୋଲି ଉଭୟ ବାପା-ପୁଅ ବହୁ ଦିନ ଆଗରୁ ଘୋଷଣା କରିଛନ୍ତି ।
ତେବେ କଂଗ୍ରେସ ରକ୍ତକୁ ନେଇ ଗର୍ବ କରୁଥିବା ଏବଂ ପୁଅ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହେବ ବୋଲି କହି ଆସୁଥିବା ସୁର ରାଉତରାୟଙ୍କ କଥା ମୂଲ୍ୟହୀନ ବୋଲି ପ୍ରମାଣିତ ହୋଇଛି । ଘରେ ବାପାଙ୍କ ସହ ଆଲୋଚନା ଏବଂ ନିର୍ବାଚନମଣ୍ଡଳୀ ଲୋକଙ୍କ ପରାମର୍ଶ ଆଧାରରେ ସେ କଂଗ୍ରେସ ଦଳରୁ ପ୍ରାର୍ଥୀ ନ ହେବାକୁ ନିଷ୍ପତ୍ତି ନେଇଥିବା ମନ୍ମଥ କହିଛନ୍ତି ।