ଭୁବନେଶ୍ୱର: ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଛନ୍ତି । ତାଙ୍କ ପରେ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏବଂ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଛନ୍ତି । ଏଥିସହ ମନ୍ତ୍ରିମଣ୍ଡଳ ଅଦଳବଦଳର ଆଭାସ ମିଳିଛି । ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାକୁ ଯାଉଥିବା ଖବର ମିଳିଛି ।
ଆଜି ସଂଧ୍ୟାରେ ପ୍ରଥମେ ବାଚସ୍ପତି ଶ୍ରୀ ଆରୁଖ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କହିଥିଲେ । ଦଳ ଯାହା ଦାୟିତ୍ୱ ଦେବ ସେ ତାହା କରିବାକୁ ପ୍ରସ୍ତୁତ ବୋଲି ପ୍ରତିକ୍ରିୟା ଦେଇଥିଲେ । ବାଚସ୍ପତିଙ୍କ ଇସ୍ତଫା ଖବରର କିଛି ସମୟ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିବା ଖବର ଆସିଛି । ଏହି ଦୁଇମନ୍ତ୍ରୀ ବିବାଦରେ ଥିଲେ ଏବଂ ଏମାନଙ୍କ ଇସ୍ତଫା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଏହାପରେ ଆଉ କୋଉ ମନ୍ତ୍ରୀ ଇସ୍ତଫା ଦେବେ ନା ନାହିଁ ଜଣାପଡୁନାହିଁ ।
ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଫେରିବେ । ଏହାପରେ ଯେ କୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ବୋଲି ଖବର ଆସୁଛି ।