ଭୁବନେଶ୍ୱର: ବୁଲା କୁକୁର, ଗାଈଗୋରୁ ଇତ୍ୟାଦିଙ୍କ ଚିକିତ୍ସା ଏବଂ ଅନ୍ୟାନ୍ୟ ସେବା ପାଇଁ ଆରମ୍ଭ ହେଲା ଷ୍ଟେଟ୍ ଆନିମଲ୍ ହେଲ୍ପ ଲାଇନ୍ ବ୍ୟବସ୍ଥା । ଜାରି ହେଲା ଟୋଲ୍ ଫ୍ରି ନମ୍ବର ୧୯୬୨ । ଏହା ଦିନରାତି ୨୪ ଘଣ୍ଟା କାର୍ଯ୍ୟ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଅସହାୟ କିମ୍ବା ଚିକିତ୍ସା ଆବଶ୍ୟକ କରୁଥିବା ପ୍ରାଣୀମାନଙ୍କ ପାଇଁ ଟୋଲ୍ ଫ୍ରି ନମ୍ବର ୧୯୬୨ କିମ୍ବା ୧୫୫୩୩୩ ଜରିଆରେ ଫୋନ୍ କଲେ ତୁରନ୍ତ ସହାୟତା ମିଳିପାରିବ ।
ବୁଲା ଓ ଅସହାୟ ପ୍ରାଣୀମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ସହରାଞ୍ଚଳରେ ହେଲ୍ପ ଲାଇନ୍ ୟୁନିଟ୍ ସହିତ ପ୍ରାଣୀ ଆମ୍ବୁଲାନ୍ସ ଓ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହ ଏଥିରେ ନିୟୋଜିତ ଅଣ ସରକାରୀ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ପ୍ରତ୍ୟେକ ନାଗରିକ ସମ୍ବେଦନଶୀଳ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏଥିସହ ଟେଲି ଭେଟେରିନାରି ସେବା ବ୍ୟବସ୍ଥା ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମ୍ୟାପିଂ ସିଷ୍ଟମ୍ ର ମଧ୍ୟ ଶୁଭାରମ୍ଭ ହୋଇଛି । ୫-ଟି ଉପକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ସବୁ ପ୍ରାଣୀ ଚାଷ ୟୁନିଟ୍ ଗୁଡ଼ିକର ଜିଓ ଟ୍ୟାଗିଂ ଓ ମ୍ୟାପିଂ କରାଯିବ । ଏହାଦ୍ୱାରା ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ଏହି ଅବସରରେ BAIF Institute ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ବୁଝାମଣା ଅନୁଯାୟୀ, ରାଜ୍ୟରେ ୧୫୦୦ କୃତ୍ରିମ ପ୍ରଜନନ ଟେକନିସିଆନ୍ ନିୟୋଜିତ ହେବେ । ଏଥିସହ ଗୋପାଳପୁରଠାରେ ଭେକଟୀ ଯାଆଁଳ ହାଚେରୀ ପ୍ରତିଷ୍ଠା ପାଇଁ ରାଜୀବ ଗାନ୍ଧୀ ସେଣ୍ଟର ଫର ଆକ୍ଟା କଲଚର ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଭେଟୀ ମାଛର ଚାହିଦା ବହୁତ ଅଧିକ ଥିବାରୁ ଏହା ମାଛଚାଷୀ ମାନଙ୍କର ରୋଜଗାର ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।
କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗ ପକ୍ଷରୁ ରାଜ୍ୟର ପ୍ରାଣୀ ସମ୍ପଦର ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ, କୃଷି ଉତ୍ପାଦନ କମିସନର, ମିଶନ ଶକ୍ତି କମିସନର ତଥା ସଚିବ ଏବଂ ବିଭିନ୍ନ ଜିଲ୍ଲାରେ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।