ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ବେହେରା ସାହିସ୍ଥିତ ରେଣ୍ଟାଲ୍ କଲୋନୀ ଏକାମ୍ର ଭିଲ୍ଲାର ୧୬ ବର୍ଷର ବାଳକ ଆଶୀର୍ବାଦ ବସ୍ତିଆ । ଏକ ଦୁର୍ଘଟଣାର ଶିକାର ହୋଇ ୫୦ ପ୍ରତିଶତ ଅକ୍ଷମ ହୋଇଯାଇଛନ୍ତି । ତେବେ ତାଙ୍କର ନିଷ୍ଠାପର ଉଦ୍ୟମ ଓ କଠିନ ପରିଶ୍ରମ ଫଳରେ ମାଟ୍ରିକ୍ ପରୀକ୍ଷାରେ ୮୫ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଯୁକ୍ତ ଦୁଇରେ ନାମ ଲେଖାଇବା ପାଇଁ ଏହି ମେଧାବୀ ଛାତ୍ର ବିଜେବି କଲେଜରେ ଫର୍ମ ପକାଇଥିଲେ ଏବଂ ସିଲେକ୍ସନ୍ ମଧ୍ୟ ହୋଇଛନ୍ତି ।
ମାତ୍ର ବିଡ଼ମ୍ବନାର ବିଷୟ ଯେ ଆଶୀର୍ବାଦ ଦଶମ ଶ୍ରେଣୀରେ ପଢ଼ୁଥିବା ଚିଲଡ୍ରେନସ୍ ସେଣ୍ଟର ଅଫ୍ ଇଣ୍ଟିଗ୍ରାଲ୍ ଏଜୁକେସନ ସ୍କୁଲର ସେକ୍ରେଟାରୀ ତିରୁପତି ପ୍ରସାଦ ପଣ୍ଡା ଏବଂ ଅଧ୍ୟକ୍ଷା ଶାନ୍ତିଲତା ସାହୁ ତାକୁ ସ୍କୁଲ ଫି’ ୪୦ ହଜାର ଟଙ୍କା ବକେୟା ଥିବା କହି ବୋର୍ଡ ସାର୍ଟିଫିକେଟ୍, ମାର୍କସିଟ୍ ଏବଂ ସିଏଲସି ଇତ୍ୟାଦି ଦେବା ପାଇଁ ମନା କରିଦେଇଥିଲେ ।
ଆଶୀର୍ବାଦଙ୍କ ବାପା ରମେଶ ଚନ୍ଦ୍ର ବସ୍ତିଆ ଏକ ଗ୍ୟାରେଜ୍ ରେ କାମ କରନ୍ତି । ସେ ମଧ୍ୟ ଜଣେ ହୃଦରୋଗୀ । ପୁଅର ସ୍କୁଲ ବକେୟା ଫି’ ଦେବା ପାଇଁ ସେ ସମ୍ପୂର୍ଣ୍ଣ ଅକ୍ଷମ ଥିଲେ । ଉପାୟଶୂନ୍ୟ ରମେଶ ଜଗତସିଂହପୁରର ଏରାଡ଼ ଗ୍ରାମରେ ଥିବା ତାଙ୍କର ଛୋଟ ପୈତୃକ ଜାଗାକୁ ବନ୍ଧକ ରଖି କୌଣସି ମତେ ୨୫ ହଜାର ଟଙ୍କା ଯୋଗାଡ଼ କରିଥିଲେ । କିନ୍ତୁ ଆଉ ୧୫ ହଜାର ଟଙ୍କା ସେ ଯୋଗାଡ଼ କରିପାରୁ ନ ଥିଲେ ।
ଏହି ଖବର ଶୁଣିଲା ପରେ ପିଲାଟିକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ ରାଉତ ଏବଂ ‘ଓଡ଼ିଶା ମୋ ପରିବାର’ ଯୁଗ୍ମ ସମ୍ପାଦକ ସମୀର ପ୍ରଧାନ । ଶ୍ରୀ ରାଉତ ୧୦ ହଜାର ଟଙ୍କା ଏବଂ ଶ୍ରୀ ପ୍ରଧାନ ୫ ହଜାର ଏହିପରି ୧୫ ହଜାର ଟଙ୍କା ଆଦାୟ କରି ଆଶୀର୍ବାଦକୁ ପ୍ରଦାନ କରିଛନ୍ତି । ଫଳରେ ଆଶୀର୍ବାଦ ସ୍କୁଲ ବକେୟା ଫି’ ପୈଠ କରି ତା’ର ସାର୍ଟିଫିକେଟ୍ ସବୁ ଆଣିପାରିଛନ୍ତି ।