କଟକ: ଓଡ଼ିଶା ପୁଲିସର ମଙ୍ଗ ଧରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସୁନୀଲ୍ ବଂଶଲ । ଆଜି କଟକ ପୁଲିସ ମୁଖ୍ୟାଳୟରେ ବିଦାୟୀ ଡିଜି ଶ୍ରୀ ଅଭୟଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶା ପୁଲିସ ଉପରେ ଲୋକଙ୍କ ଆସ୍ଥା ଅତୁଟ ରଖିବା ସହ ସୁରକ୍ଷା ଓ ସେବାକୁ ଗୁରୁତ୍ୱ ଦେବେ ବୋଲି ନୂଆ ଡିଜିପି ଗଣମାଧ୍ୟମକୁ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ।
୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇପିଏସ୍ ହେଉଛନ୍ତି ସୁନୀଲ ବଂଶଲ । ତାଳଚେର ଏସଡ଼ିପିଓ, ସମ୍ବଲପୁର ଅତିରିକ୍ତ ଏସପି, ରାଉରକେଲା ଚତୁର୍ଥ ବାଟାଲିୟନ୍ କମାଣ୍ଡାଂଟ୍, ମୟୁରଭଞ୍ଜ ଏସପି ଏବଂ ସମ୍ବଲପୁର ଭିଜିଲାନସ୍ ଏସପି ଭାବେ କାର୍ଯ୍ୟ କରିବା ପରେ ୧୯୯୪ ମସିହାରେ ସେ କେନ୍ଦ୍ରୀୟ ଡେପୁଟେସନ୍ ରେ ଯାଇଥିଲେ । ସେବେଠାରୁ ଦୀର୍ଘ ୨୭ ବର୍ଷ ହେଲା ଆଉ ଓଡ଼ିଶା ଫେରି ନ ଥିଲେ । ମୁମ୍ବାଇ ଗୁଇନ୍ଦା ବ୍ୟୁରୋର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ରାଜ୍ୟ ସରକାର ଗତ ୧୫ ତାରିଖରେ ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭରସାକୁୁ ଧରି ଓଡ଼ିଶା ପୁଲିସକୁ ଆଗକୁ ନେବେ ବୋଲି କହିଛନ୍ତି ନୂଆ ଡିଜିପି । ମୋ ସରକାର ଓ ୫-ଟି କାର୍ଯ୍ୟକ୍ରମ ପୁଲିସର କାର୍ଯ୍ୟଦକ୍ଷତାକୁ କ୍ରିୟାଶୀଳ କରିଛି । ନକ୍ସଲ ଦମନ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଆଦି କ୍ଷେତ୍ରରେ ଓଡ଼ିଶା ପୁଲିସର ସୁନାମ ଓ ପ୍ରଶଂସା ଆଗକୁ ନେବାକୁ ଚେଷ୍ଟା କରିବି । ମହିଳା ଓ ବରିଷ୍ଠ ନାଗରିକମାନଙ୍କ ସହ ବନ୍ଧୁଭାବାପନ୍ନ ବ୍ୟବହାର ଉପରେ ଗୁରୁତ୍ୱ ଦେବି । ସାଇବର୍ କ୍ରାଇମ୍ ଉପରେ ଅଧିକ ଧ୍ୟାନ ଦେବି । ଏକ ଦୁର୍ନୀତିମୁକ୍ତ ପୁଲିସ ପ୍ରଶାସନ ସହ ସୁରକ୍ଷା ଓ ସେବାକୁ ପ୍ରାଥମିକ ଗୁରୁତ୍ୱ ଦେବି ବୋଲି କହିଛନ୍ତି ନୂଆ ଡିଜିପି ଶ୍ରୀ ବଂଶଲ ।
ନୀତି ଶେଖର ଅତିରିକ୍ତ କମିଶନର: କମିଶନରେଟ୍ ପୁଲିସର ଅତିରିକ୍ତ କମିଶନର ଭାବେ ୨୦୦୭ ବ୍ୟାଚ୍ ଆଇପିଏସ୍ ନୀତି ଶେଖରଙ୍କୁ ନିଯୁକ୍ତି ଦିଆଯାଇଛି । ସେହି ଜାଗାରେ ଥିବା ୧୯୯୭ ବ୍ୟାଚ୍ ଆଇପିଏସ୍ ରେଖା ଲୋହାନୀଙ୍କର ପଦୋନ୍ନତି ହୋଇଥିବାରୁ ତାଙ୍କୁ ମହିଳା ଓ ଶିଶୁ ଆଇନ ୱିଙ୍ଗ୍ ର ଏଡିଜି ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି ।