ଭୁବନେଶ୍ୱର: ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି । ହାଇକୋର୍ଟ ବେଞ୍ଚ ଅନାବଶ୍ୟକ, ହୋଇପାରିବନି । ସୁପ୍ରିମକୋର୍ଟ ଆଜି ରୋକଠୋକ ଏହା ଶୁଣାଇଛନ୍ତି । ଏଥିସହ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ସମ୍ବଲପୁରରେ ଓକିଲମାନେ କୋର୍ଟ ଭିତରେ ବ୍ୟାପକ ଭଙ୍ଗାରୁଜା ଘଟଣା ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି ।
ଆଜି ଓକିଲ ଆନ୍ଦୋଳନର ଶୁଣାଣି ବେଳେ ସୁପ୍ରିମକୋର୍ଟ ବେଞ୍ଚ କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ । ଆଉ ବେଞ୍ଚ ପ୍ରତିଷ୍ଠାର କୌଣସି ଆଶା ନାହିଁ । ଯାହା ଟିକେ ବି ଆଶା ଥିଲା, ଏଭଳି ଆଚରଣ ପରେ ସମ୍ପୂର୍ଣ୍ଣ ମଉଳିଗଲା ଗଲା ବୋଲି କହିଥିଲେ । ଭୌଗୋଳିକ ସ୍ଥିତି ଏବଂ ଟେକ୍ନୋଲୋଜି ଦୃଷ୍ଟିରୁ ଏହାର ଆବଶ୍ୟକତା ନାହିଁ ବୋଲି କହିଥିଲେ । ଏଥିସହ ଓକିଲ ସଂଘଠାରୁ ବିସ୍ତୃତ ରିଜୋଲ୍ୟୁସନ୍ ମାଗିଥିଲେ ସୁପ୍ରିମକୋର୍ଟ । ଆନ୍ଦୋଳନ ବନ୍ଦ ନେଇ ଓକିଲ ସଂଘ ବିସ୍ତୃତ ରିଜୋଲ୍ୟୁସନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଭିସି ଜରିଆରେ ହୋଇଥିବା ଶୁଣାଣିରେ ପୁଲିସ ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ହାଜର ହୋଇଥିଲେ । ସୁପ୍ରିମକୋର୍ଟ ସେମାନଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ । କହିଥିଲେ, ଏହା ପୁଲିସର ଚରମ ବିଫଳତା । ଆଇନଶୃଙ୍ଖଳା ରକ୍ଷା କରିବା ପୁଲିସର ଦାୟିତ୍ୱ । ୧୫ ପ୍ଲାଟୁନ୍ ଫୋର୍ସ ଥିବା ସତ୍ତ୍ୱେ ଏଭଳି କାହିଁକି ଘଟିଲା? ତୁମେ ଯଦି ପାରୁନ, ତେବେ ଆମେ ପାରା ମିଲିଟାରି ଫୋର୍ସ ଦେବୁ ବୋଲି କହିଥିଲେ ।