ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ସୁଶାନ୍ତ ସିଂହ ପୁଣି ମନ୍ତ୍ରିମଣ୍ଡଳକୁ ଫେରିବେ ବୋଲି ତାଙ୍କ ସମର୍ଥକମାନେ ଆଶା ବାନ୍ଧିଥିଲେ । ସମ୍ଭାବ୍ୟ ମନ୍ତ୍ରୀ ଭାବେ ତାଙ୍କ ନାଁ ଗଣମାଧ୍ୟମରେ ଚର୍ଚ୍ଚା ଦେଖି ସମର୍ଥକମାନେ ଖୁସିରେ ଡେଇଁଥିଲେ । କିଛି ସମର୍ଥକ ଆଗୁଆ ମିଠା ବି ବାଣ୍ଟିଦେଇଥିଲେ । ବିଭିନ୍ନ ହ୍ୱାଟସ୍ ଆପ୍ ଗ୍ରୁପ୍ ରେ ପରଷ୍ପରକୁ ଆଗୁଆ ଶୁଭେଚ୍ଛା ବାର୍ତ୍ତା ଦେଇ ଚାଲିଥିଲେ । ମାତ୍ର ସେମାନଙ୍କର ଏହି ଖୁସି ପାଣି ଫୋଟକା ଭଳି ମିଳେଇ ଯାଇଛି । ନୂଆ ମନ୍ତ୍ରୀ ତାଲିକାରେ ସୁଶାନ୍ତଙ୍କ ନାଁ ନ ଦେଖି ସମର୍ଥକମାନେ ଖପ୍ପା ହୋଇଛନ୍ତି । ଆଗକୁ ସମୂହ ଇସ୍ତଫା ଦେବୁ ବୋଲି ଡ଼ରାଇଛନ୍ତି ।
ସୁଶାନ୍ତଙ୍କୁ ମନ୍ତ୍ରିପଦ ନ ମିଳିବାର କ୍ଷୋଭକୁ ଗଣମାଧ୍ୟମରେ ଖୋଲିଛନ୍ତି ବରଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ଏବଂ ଛାତ୍ର ବିଜେଡି ସଭାପତି କରନ୍ ସିକନ୍ଦର । ସୁଶାନ୍ତ ମନ୍ତ୍ରୀ ପଦ ପାଇବେ ବୋଲି ଆମେ ପଶ୍ଚିମ ଓଡ଼ିଶାବାସୀ ଆଶାବାଦୀ ଥିଲୁ । ମାତ୍ର ଆମେ ସମସ୍ତେ ନିରାଶ ହୋଇଛୁ । ଆଗାମୀ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ବୋଲି ସେମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି ।
ସେପଟେ ସୁଶାନ୍ତ ଏହା ଉପରେ ମୁହଁ ଖୋଲି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଓ ଦଳୀୟ ଶୃଙ୍ଖଳାକୁ ସମ୍ମାନ ଦେଇଛନ୍ତି । ବ୍ୟକ୍ତିଗତ ଭାବେ ତାଙ୍କର କିଛି ଅସନ୍ତୋଷ ନାହିଁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଆମ ଉପରେ ସବୁବେଳେ ରହିଛି । କିଏ କେଉଁଠି ଅସନ୍ତୁଷ୍ଟ ଥିବ, ମୁଁ ଜାଣିନି । ଯିଏ ମୋ ପାଖକୁ ଆସୁଥିଲେ ତାଙ୍କୁ ବୁଝାଇ ଦେଇଛି । ଆମର କାମ ଦରକାର । ମୁଖ୍ୟମନ୍ତ୍ରୀ ଆମ କାମ କରିଦେଉଛନ୍ତି ବୋଲି ସେମାନଙ୍କୁ ବୁଝାଇଥିବା ସୁଶାନ୍ତ ସଫେଇ ଦେଇଛନ୍ତି ।
ସୂଚନାଯୋଗ୍ୟ, ଭଟଲିରୁ ପ୍ରତିନିଧିତ୍ୱ କରୁଥିବା ସୁଶାନ୍ତ ସିଂହ ବିଜେଡିର ଜଣେ ଟାଣୁଆ ସଂଗଠକ । କେବଳ ବରଗଡ଼ ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶାରେ ତାଙ୍କର ଦବଦବା ରହିଛି । ସାଂଗଠନିକ ଦକ୍ଷତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁରସ୍କୃତ ମଧ୍ୟ କରି ଆସିଛନ୍ତି । ବିଜେଡି ସରକାରର ଚତୁର୍ଥ ପାଳି ଓ ପଞ୍ଚମ ପାଳିର ପ୍ରଥମ ତିନିବର୍ଷ ସୁଶାନ୍ତ ସିଂହ ମନ୍ତ୍ରୀ ଥିଲେ । ପଞ୍ଚମ ପାଳିରେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯାଇ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯାଇଥିଲା । ଏଥିସହ ଦୁଇ ଦୁଇଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ପାଇଥିଲେ ।
ଉପରକୁ ସବୁ ଠିକଠାକ୍ ଥିଲା ବେଳେ ଗତ ଜୁନ୍ ମାସରେ ମନ୍ତ୍ରିମଣ୍ଡଳ ନବକଳେବରରେ ସୁଶାନ୍ତ ବାଦ୍ ପଡ଼ିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଅନ୍ୟ ମନ୍ତ୍ରୀମାନଙ୍କ ବାଦ୍ ପଛରେ ଯଥେଷ୍ଟ କାରଣ ଥିଲେ ମଧ୍ୟ ସୁଶାନ୍ତଙ୍କ କ୍ଷେତ୍ରରେ ସେଭଳି ଯଥାର୍ଥ କାରଣ ଜଣାପଡ଼ି ନ ଥିଲା । ଅପରପକ୍ଷରେ, ଜିଲ୍ଲାରେ ତାଙ୍କ ବିରୋଧୀ ରୀତା ସାହୁଙ୍କୁ ମନ୍ତ୍ରୀ କରାଯାଇଥିଲା । ସୁଶାନ୍ତ ସେଥିରେ କ୍ଷୁବ୍ଧ ହୋଇଥିବା ଚର୍ଚ୍ଚା ହୋଇଥିଲେ ମଧ୍ୟ ମନ ବୁଝେଇ ଦେଇଥିଲେ । ସାଂଗଠନିକ କାର୍ଯ୍ୟରେ ଏହାର ପ୍ରଭାବ ପଡ଼ିବାକୁ ଦେଇ ନ ଥିଲେ ।
ତେବେ ମନ୍ତ୍ରିମଣ୍ଡଳର ଦ୍ୱିତୀୟ ସମ୍ପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଚାନକ ନିଷ୍ପତ୍ତି ପରେ ସୁଶାନ୍ତ ସିଂହ ପୁଣି ମନ୍ତ୍ରିମଣ୍ଡଳକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ବିଭିନ୍ନ ଗଣମାଧ୍ୟମ ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଥିଲେ । ଖାସ୍ କରି କିଶୋର ମହାନ୍ତି ଓ ନବ ଦାସଙ୍କ ବିୟୋଗ ଯୋଗୁଁ ସମଗ୍ର ପଶ୍ଚିମ ଓଡ଼ିଶାରେ ସୃଷ୍ଟି ହୋଇଥିବା ସାଂଗଠନିକ ନେତୃତ୍ୱର ଶୂନ୍ୟସ୍ଥାନ ସୁଶାନ୍ତ ହିଁ ପୂରଣ କରିପାରିବେ ଏବଂ ତାଙ୍କୁ ମନ୍ତ୍ରୀ ପଦ ଫେରାଇ ଦିଆଯିବ ବୋଲି ସମର୍ଥକମାନଙ୍କ ମଧ୍ୟରେ ଦୃଢ଼ ଧାରଣା ସୃଷ୍ଟି ହୋଇଥିଲା ।
ମାତ୍ର ତାହା ହେଲା ନାହିଁ । ପଶ୍ଚିମ ଓଡ଼ିଶାରୁ ସାରଦା ନାୟକଙ୍କୁ ମନ୍ତ୍ରୀ କରାଯାଇ ଭିନ୍ନ ବାର୍ତ୍ତା ଦିଆଯାଇଛି । ସେହିଭଳି ରୀତା ସାହୁଙ୍କ ମନ୍ତ୍ରୀ ପଦ ବଜାୟ ରହିବା ସୁଶାନ୍ତ ସମର୍ଥକମାନଙ୍କ ରାଗକୁ ଆହୁରି ବଢ଼ାଇ ଦେଇଛି । ସାରଦାଙ୍କୁ ମନ୍ତ୍ରୀ କରି ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶାରେ ବିଜେଡିକୁ ଅଧିକ ସଶକ୍ତ କରିବାକୁ ଦଳ ଯୋଜନା କରିଥିବା ବେଳେ ସୁଶାନ୍ତ ସମର୍ଥକଙ୍କ କ୍ଷୋଭ ଓ ଅସନ୍ତୋଷ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଯେଉଁ ନ୍ୟାୟରେ ସୁଦାମ ମାର୍ଣ୍ଡିଙ୍କୁ ଫେରାଇ ଅଣାଗଲା, ସୁଶାନ୍ତଙ୍କ ପାଇଁ ସେହି ନ୍ୟାୟ କାହିଁକି ଲାଗୁ ହେଲାନି ବୋଲି ସମର୍ଥକମାନେ ପ୍ରଶ୍ନ କରି ଅସନ୍ତୋଷ ଝାଡ଼ିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ହାଇକମାଣ୍ଡ ଏହି ଅସନ୍ତୋଷକୁ କେମିତି ପ୍ରଶମିତ କରୁଛନ୍ତି ତାହା ଆଗକୁ ଜଣାପଡ଼ିବ ।