ଭୁବନେଶ୍ୱର: ସ୍ଥାନୀୟ ଜନତା ମଇଦାନରେ ଆରମ୍ଭ ହୋଇଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୨୨ । ଶିଳ୍ପପତିମାନଙ୍କ ଏହି ୫ ଦିନିଆ ମହାସମାବେଶକୁ ବୁଧବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ୫ ଦିନିଆ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ, ମହିଳା ଉଦ୍ୟୋଗ, ଷ୍ଟାର୍ଟଅପ୍, ସବୁଜ ଶକ୍ତି, ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ, ପ୍ରତିରକ୍ଷା ଏବଂ ବିମାନ ସେବା, ସ୍ୱାସ୍ଥ୍ୟସେବା ଓ ଫାର୍ମା, ରିଅଲ ଇଷ୍ଟେଟ, ଜୈବପ୍ରଯୁକ୍ତି, ପର୍ଯ୍ୟଟନ, ଲଜିଷ୍ଟିକ୍ସ ଆଦି ପ୍ରସଙ୍ଗ ଉପରେ ବିଶେଷଜ୍ଞମାନେ ଯୋଗଦେଇ ଆଲୋଚନା କରିବେ ।
ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବା ଲାଗି ଆୟୋଜିତ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ଆସିବା ନେଇ ସରକାର ଆଶା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଏଥିରେ ଯୋଗଦେଇ ଶିଳ୍ପପତିମାନଙ୍କ ସହ ମତ ବିନିମୟ କରିବେ । ଓଡ଼ିଶାର ସାମର୍ଥ୍ୟ, ଶକ୍ତି, ସମ୍ପାଦ ଏବଂ ଦକ୍ଷତା ବିଷୟରେ ଶିଳ୍ପପତିମାନଙ୍କୁ ଅବଗତ କରାଇବେ ।