ଭୁବନେଶ୍ୱର: ଆସନ୍ତା ୧୫ ତାରିଖରୁ ଓଡ଼ିଶାରେ ଆଉ ୩ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ । ସେଗୁଡ଼ିକ ହେଲା: ଟାଟା-ବ୍ରହ୍ମପୁର ବନ୍ଦେ ଭାରତ, ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏବଂ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ । ଓଡ଼ିଶାରେ ଏହି ତିନୋଟିକୁ ମିଶାଇ ଦେଶରେ ୧୦ଟି ନୂଆ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ସମାରୋହରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ଏଥିନିମନ୍ତେ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ଓ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି । ବ୍ରହ୍ମପୁର ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।
ସୂଚନାଥାଉକି, ବର୍ତ୍ତମାନ ଓଡ଼ିଶା ମଧ୍ୟରେ ୩ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ କରୁଛି । ନୂତନ ୩ଟି ଟ୍ରେନ ମିଶିଲେ ସମୁଦାୟ ୬ଟି ବନ୍ଦେନେ୍ଦ ଭାରତ ଟ୍ରେନ ଓଡ଼ିଶାବାସୀଙ୍କୁ ସେବା ଯୋଗାଇବ । ଚଳିତବର୍ଷ ବଜେଟରେ ଓଡ଼ିଶା ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୧୦, ୫୮୬ କୋଟି ଟଙ୍କା ଦିଆଯାଇଛି ।







