ଭୁୁବନେଶ୍ୱର: ହୋ ହଲ୍ଲା, ହଟ୍ଟଗୋଳ । ବିରୋଧୀଙ୍କ ନାରାବାଜିରେ ଫାଟିଲା ଗୃହ । ଚାଲି ପାରିଲାନି ବିଧାନସଭା । ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭା ମୌସୁମୀ ଅଧିବେଶନର ଏ ଥିଲା ପ୍ରଥମ ଦିନର ଦୃଶ୍ୟ ।
ଆଜି ଦିନ ୧୧ଟାରେ ଶୋକ ପ୍ରସ୍ତାବରୁ ଆରମ୍ଭ ହୋଇଥିଲା ଅଧିବେଶନ । ଗୃହର ଦିବଙ୍ଗତ ସଦସ୍ୟ ସ୍ୱର୍ଗତଃ ଡମ୍ବରୁଧର ମାଝୀ, ସ୍ୱର୍ଗତଃ ସୁଶାନ୍ତ ସିଂହ, ସ୍ୱର୍ଗତଃ ସତ୍ୟଭୂଷଣ ସାହୁ, ସ୍ୱର୍ଗତଃ ରାମମୂର୍ତ୍ତି ଗମାଙ୍ଗୋ, ସ୍ୱର୍ଗତଃ ହାଜି ମହମ୍ମଦ ଆୟୁବ ଖାନ୍, ସ୍ୱର୍ଗତ ଶିବାଜୀ ମାଝୀ ଏବଂ ନେପାଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ବିପତ୍ତିରେ ପ୍ରାଣ ହରାଇଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକପ୍ରସ୍ତାବ ଆଗତ କରିଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଦିବଙ୍ଗତମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ପ୍ରସ୍ତାବକୁ ଗୃହରେ ପାରିତ କରାଇଥିଲେ ।
ଶୋକପ୍ରସ୍ତାବ ଆଲୋଚନା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପାଇଁ ବାଚସ୍ପତି ଡାକିବା କ୍ଷଣି ଗୃହରେ ଆରମ୍ଭ ହୋଇଗଲା ହୋ ହଲ୍ଲା ହଟ୍ଟଗୋଳ । ବିରୋଧୀ ଦଳର ବିଧାୟକମାନଙ୍କ ହାତରେ ଥିଲା ବ୍ୟାନର, ପ୍ଲାକାର୍ଡ । ପିଲାଙ୍କ ପାଠ୍ୟପୁସ୍ତକ ତ୍ରୁଟି ପାଇଁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ବିଜେଡି ଧରିଥିବା ବେଳେ କଂଗ୍ରେସ ହାତରେ ଥିଲା ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ଦାବି । ବିଜେଡି ବିଧାୟକମାନେ ନିଜ ଆସନ ଉପରେ ଛିଡ଼ା ହୋଇ ନାରାବାଜି କରୁଥିବା ବେଳେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ । ଏଭଳି ଅବସ୍ଥାରେ ଗୃହକୁ ଚଲାଇବା ବାଚସ୍ପତିଙ୍କ ପକ୍ଷରେ ସମ୍ଭବ ହୋଇ ନ ଥିଲା । ଦିନ ୧ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
ଏହା ପରେ ବିଜେଡି ବିଧାୟକମାନେ ସିଧା ଚାଲିଥିଲେ ଲୋୟର ପିଏମଜି । ପାଠ୍ୟପୁସ୍ତକ ତ୍ରୁଟି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଚାଲିଥିବା ଧାରଣାରେ ସାମିଲ ହୋଇଥିଲେ । ଅପରାହ୍ନରେ ଗୃହରେ ପୂର୍ବାବସ୍ଥା ଜାରି ରହିବାରୁ ବାଚସ୍ପତି ପୁଣି ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଭୁଲ୍ ପାଠ୍ୟପୁସ୍ତକ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ସରକାର ବାଧ୍ୟ କରୁଛନ୍ତି । ସରକାର ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳିଛନ୍ତି । ବର୍ଷର ଅଧା ସରିବାକୁ ବସିଥିବା ବେଳେ ପିଲାଙ୍କୁ ସଂଶୋଧିତ ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ଦିଆଯାଇପାରିଲାନି । ଆଜି ବିଧାନସଭା ଆରମ୍ଭ ହୋଇଥିବାରୁ ଅଳ୍ପ ବହି ଛପାଯାଇ ପିଲାଙ୍କୁ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସରକାର ଜାଣିଶୁଣି ନଷ୍ଟ କରୁଛନ୍ତି । ବିଜେଡି ତାହାର ପ୍ରତିବାଦ କରୁଛି ଏବଂ ଆଗକୁ ଜାରି ରହିବ ।
ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ଏମଏମଡିଆର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ଶାସକ ଦଳର ବିଧାନସଭା ଏଜେଣ୍ଡାରେ ନ ରହିବା ଦୁର୍ଭାଗ୍ୟଜନକ । ଏହା ଉପରେ ଆଲୋଚନା ପାଇଁ କଂଗ୍ରେସ ପକ୍ଷରୁ ମୋସନ୍ ଦିଆଯାଇଛି । ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ପାଇଁ ବିଧାନସଭା ଭିତରେ ଓ ବାହାରେ କଂଗ୍ରେସର ଲଢ଼େଇ ଜାରି ରହିବ ।
ତେବେ ବିରୋଧୀ ଦଳର ଆଚରଣକୁ ବିଜେପି ସମାଲୋଚନା କରିଛି । ବିଧାନସଭାରେ ସବୁ ପ୍ରସଙ୍ଗରେ ବିରୋଧୀ ଦଳର ଉତ୍ତର ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ମାତ୍ର ବିରୋଧୀ ଦଳ ବିରୋଧୀ ନାଁରେ ବିରୋଧ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି ।