ଭୁବନେଶ୍ୱର: କଟକ ତାଳଦଣ୍ଡା କେନାଲ ସମ୍ପ୍ରସାରଣ ଏବଂ ନେତାଜୀ ବସ୍ ଟର୍ମିନାଲ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ସେଠାରେ ପହଞ୍ଚି ପ୍ରକଳ୍ପ ଅଞ୍ଚଳ ବୁଲିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ । ଜାତୀୟ ରାଜପଥ ପାଶ୍ୱର୍କୁ ତାଳଦଣ୍ଡା କେନାଲ୍ ସମ୍ପ୍ରସାରଣ କାର୍ଯ୍ୟ ତ୍ୱରିତ ବେଗରେ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବସ୍ ଟିର୍ମନାଲ୍ ପ୍ରକଳ୍ପରେ ରହିଥିବା ପ୍ରତିବନ୍ଧକ ଦୂର ପାଇଁ ସେ ସମୟଧାର୍ଯ୍ୟ କରିଛନ୍ତି ।
ଆଜି ଭୋର୍ ୫ଟା ବେଳେ ତାଳଦଣ୍ଡା କେନାଲ୍ ପ୍ରକଳ୍ପ ଜାଗାରେ ପହଞ୍ଚିଥିଲେ ଶ୍ରୀ ପାଣ୍ଡିଆନ୍ । ସାଙ୍ଗରେ ଥିଲେ ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ୍ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନୀଲ୍ କ୍ରିଷ୍ଣା, ଆରଡିସି ଅନୀଲ କୁମାର ସାମଲ, ଜିଲ୍ଲାପାଳ ବି.ଏସ୍.ଚଇନି ଏବଂ କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ।
ତାଳଦଣ୍ଡା କେନାଲ୍ ପୁନରୁଦ୍ଧାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୧.୫୫ କିମି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଉପରେ । ଇତିମଧ୍ୟରେ ଏହି କାର୍ଯ୍ୟ ଜାତୀୟ ରାଜପଥ ପାଶ୍ୱର୍କୁ ସମ୍ପ୍ରସାରଣ କରିବା ପାଇଁ ନିଷ୍ପତ୍ତି ହୋଇଥିବାରୁ ଉଭୟ ପାଶ୍ୱର୍ରେ ଏହାର ମୋଟ ଲମ୍ବ ହେବ ୩.୫୫ କିମି । ଏଥିପାଇଁ ଆବଶ୍ୟକୀୟ ସ୍ଥାନାନ୍ତର କରାଯାଇ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ ।
ସେହିଭଳି ଖାନନଗରଠାରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ୍ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ ଶ୍ରୀ ପାଣ୍ଡିଆନ୍ । ସମୁଦାୟ ୧୭.୯୧ ଏକର ଜମି ଉପରେ ଏହି ପ୍ରକଳ୍ପ ନିର୍ମାଣ ହେବ । ସହରରେ ବସ୍ ଚଳାଚଳ ଓ ଟ୍ରାଫିକ୍ ନିୟନ୍ତ୍ରଣକୁ ସହଜ କରିବା ପାଇଁ ଏହା ସାହାଯ୍ୟ କରିବ । ପ୍ରସ୍ତାବିତ ଟର୍ମିନାଲ୍ ରେ ଯାତ୍ରୀମାନଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଉଛି ।
ସମୀକ୍ଷା ବେଳେ, ପ୍ରକଳ୍ପ ଅଞ୍ଚଳରେ ଥିବା ଲାଇବ୍ରେରୀ ସ୍ଥାନାନ୍ତର ସମସ୍ୟା ଉଠିଥିଲା । ୧୦ ଦିନ ଭିତରେ ଲାଇବ୍ରେରୀ ବିକଳ୍ପ ଜାଗା ନିରୂପଣ କରି ରିପୋର୍ଟ ଦେବାକୁ ଶ୍ରୀ ପାଣ୍ଡିଆନ୍ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବସ୍ ଟର୍ମିନାଲ୍ ପ୍ରକଳ୍ପଟି ୨୦୨୨ ଅଗଷ୍ଟ ସୁଦ୍ଧା ଶେଷ ପାଇଁ ସମୟଧାର୍ଯ୍ୟ ହୋଇଥିବାରୁ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ର ବିଶ୍ୱସ୍ତରୀୟ ରୂପାନ୍ତର କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଥିଲା ।