ଭୁୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି । ଆଉ ନାହାନ୍ତି କାଳଜୟୀ ଗାୟକ ପ୍ରଣବ କିଶୋର ପଟ୍ଟନାୟକ । ୮୮ ବର୍ଷ ବୟସରେ ଆଜି ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ରେ ସେ ଆଖି ବୁଜିଦେଇଛନ୍ତି । ଓଡ଼ିଆ ସଙ୍ଗୀତ ଜଗତର ଏହି କିମ୍ବଦନ୍ତୀ ପୁରୁଷଙ୍କ ମୃତ୍ୟୁରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶେଷ ଦର୍ଶନ ପାଇଁ ଲୁଇସ୍ ରୋଡ୍ ସ୍ଥିତି ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି, କଳାକାର, ଗାୟକ ଏବଂ ସଙ୍ଗୀତପ୍ରେମୀଙ୍କର ଭିଡ଼ ହୋଇଛି ।
୧୯୩୮ ମସିହା ଜାନୁଆରୀ ୨୦ ତାରିଖରେ ପ୍ରଣବ ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତ ଲାଲମୋହନ ପଟ୍ଟନାୟକଙ୍କର ସେ ଥିଲେ ସନ୍ତାନ । ପିଲାଦିନୁ ଭଲ ପାଠ ପଢ଼ୁଥିଲେ ମଧ୍ୟ ବାପାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସଙ୍ଗୀତ ସାଧନା ଆରମ୍ଭ କରିଥିଲେ । ତାଙ୍କର ସଙ୍ଗୀତ ଗୁରୁ ଥିଲେ କୁନାଲ ଆଦିନାରାୟଣ । ୧୯୫୮ ମସିହାରେ ମାତ୍ର ୨୦ ବର୍ଷ ବୟସରେ ତାଙ୍କୁ ଓଡ଼ିଆ ଚଳଚିତ୍ର ‘ମା’ ରେ ଗୀତ ଗାଇବାର ସୁଯୋଗ ମିଳିଥିଲା । ତା’ ପରଠୁ ସେ ଆଉ ପଛକୁ ଫେରିନାହାନ୍ତି । ତାଙ୍କର ଗୁରୁଗମ୍ଭୀର କଣ୍ଠ ଏବଂ ନିଆରା ଗାୟନୀ ଶୈଳୀ ତାଙ୍କୁ ଏକ ସ୍ୱତନ୍ତ୍ର ଗାୟକ ଭାବରେ ଗଢ଼ି ତୋଳିଥିଲା । ଓଡ଼ିଆ ସଙ୍ଗୀତରେ ଗଜଲର ପରୀକ୍ଷଣ ସେ ଆରମ୍ଭ କରି ସଫଳତା ହାସଲ କରିଥିଲେ । ତାଙ୍କୁ ମାତ୍ର ୩୦ ବର୍ଷ ବୟସ ବେଳକୁ ସେ ସଙ୍ଗୀତ ଜଗତରେ ପ୍ରସିଦ୍ଧି ହାସଲ କରିସାରିଥିଲେ । ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୁର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା ଏବଂ ବତୀଘର ଚଳଚିତ୍ର ତାଙ୍କୁ ଲୋକପ୍ରିୟତାର ଶୀର୍ଷକୁ ନେଇଯାଇଥିଲା । ଦୀର୍ଘ ୬ ଦଶନ୍ଧି ଧରି ସଙ୍ଗୀତ ଜଗତରେ ସେ ତାଙ୍କର ସ୍ୱତନ୍ତ୍ରତା ଓ ଲୋକପ୍ରିୟତା ବଜାୟ ରଖିଥିଲେ । ୨୦୦ରୁ ଅଧିକ ଚଳଚିତ୍ରରେ ସେ ଗୀତ ଗାଇଛନ୍ତି ।
ତାଙ୍କର ଲୋକପ୍ରିୟ ଗୀ ମଧ୍ୟରେ ଅଛି- ଯାରେ ମାଝି ଯା.., ସୀମାହୀନ ଦରିଆ, କେଉଁ ନାମ ଧରି ଡାକିବି ତୁମକୁ, ରେ ଆତ୍ମନ୍, ଜୀବନ ଏକ ନାଟକ ପ୍ରଭୃତି । ଆଜି ବି ତାଙ୍କର ଏହି ଗୀତ ସମସ୍ତେ ଗୁଣୁ ଗୁଣୋଉଛନ୍ତି । ଶ୍ରେଷ୍ଠ ଗାୟକ ଭାବେ ସେ ୭ ଥର ରାଜ୍ୟ ଫିଲ୍ମ ପୁରସ୍କାର ପାଇଛନ୍ତି । ସେଥିମଧ୍ୟରେ ଅଛି- ସିନ୍ଦୁର ବିନ୍ଦୁ(୧୯୭୬), ଅସ୍ତରାଗ(୧୯୮୨), ଝିଅଟି ସୀତା ପରି(୧୯୮୩), କନ୍ୟାଦାନ(୧୯୮୮), ପ୍ରତିଶୋଧ ଅପରାଧ ନୁହେଁ(୧୯୮୯) ଏବଂ ଆଶା(୧୯୯୩) ।
କେବଳ ଓଡ଼ିଆ ଚଳଚିତ୍ରରେ ତାଙ୍କର ଗାୟନୀ ସୀମାବଦ୍ଧ ନ ଥିଲା । ଓଡ଼ିଶୀ, ଚମ୍ପୁ, ଛାନ୍ଦ, ଜଣାଣ, ପାରମ୍ପରିକ ଗୀତ, ହିନ୍ଦୀ ଗୀତ ଏବଂ ଗଜଲରେ ମଧ୍ୟ ତାଙ୍କର ସ୍ୱତନ୍ତ୍ରତା ଛାଡ଼ି ଯାଇଛନ୍ତି । ଆକାଶବାଣୀରେ ତାଙ୍କ ଗୀତଗୁଡ଼ିକ ବହୁତ ଲୋକପ୍ରିୟତା ହାସଲ କରିଥିଲା ।
ଜୀବନବ୍ୟାପୀ ସଙ୍ଗୀତ ସାଧନ ପାଇଁ ପ୍ରଣବଙ୍କୁ ମିଳିଛି ୧୯୯୭-୯୮ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ବିଗ୍ ଓଡ଼ିଆ ଏଣ୍ଟରଟେନମେଣ୍ଟ ଆୱାର୍ଡ(୨୦୧୦), ପ୍ରଫୁଲ୍ଲ କର ସମ୍ମାନ(୨୦୧୧), ଗଙ୍ଗାଧର ରଥ ମେମୋରିଆଲ୍ ଆୱାର୍ଡ(୨୦୧୭), ଜୟଦେବ ସମ୍ମାନ(୨୦୧୬), ବାଳକୃଷ୍ଣ ଦାସ ମେମୋରିଆଲ୍ ଆୱାର୍ଡ(୨୦୨୩) ।
ରାଜ୍ୟପାଳ ହରିବାବୁ କମ୍ବମପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରିଛନ୍ତି । ପ୍ରଣବ ପଟ୍ଟନାୟକଙ୍କ ବିୟୋଗ ଓଡ଼ିଶା କଳା ଓ ସଂସ୍କୃତି ଜଗତ ପାଇଁ ଅପୂରଣରୀୟ କ୍ଷତି ବୋଲି ଶୋକବାର୍ତ୍ତାରେ କହିଛନ୍ତି । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।