ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍ ସୋ ଚାଲିଥିବା ବେଳେ ଇସ୍ପାତସହର ରାଉରକେଲାରେ ଆଜି ସଂଧ୍ୟାରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ ରୋଡ୍ ସୋ କରିଥିଲେ । ତାଙ୍କର ରୋଡ଼୍ ସୋ ୭ଟି ଛକ ଅତିକ୍ରମ କରିଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ବିଜେଡି କର୍ମୀ ଓ ସାଧାରଣ ଜନତା ପାଣ୍ଡିଆନଙ୍କୁ ସ୍ୱାଗତ ଜଣାଇଥିଲେ । ପାଣ୍ଡିଆନଙ୍କ ରୋଡ୍ ସୋ କର୍ମୀ ମହଲରେ ପ୍ରବଳ ଉତ୍ସାହ ଭରିଥିଲା ।
ଏହା ପୂର୍ବରୁ ଆଜି ଦିନବେଳେ ଶ୍ରୀ ପାଣ୍ଡିଆନ୍ ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଧୂଆଁଧାର ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ।
ବ୍ରଜରାଜନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଚ୍ୟାଲେଞ୍ଜ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ବହୁତ ବଡ଼ ବଡ଼ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ସାମାନ୍ୟ ଜାତୀୟ ରାଜପଥକୁ ୧୦ ବର୍ଷରେ ଠିକ୍ କରିପାରିଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରିବାକୁ ତାଙ୍କର ସାହସ ଆସିଲା କୋଉଠୁ ? ମୋତେ ଚାମ୍ଚା, ଗୁମାସ୍ତା ବୋଲି କହୁଛନ୍ତି । ମୋତେ ଯାହାବି କହିଲେ କିଛି ଅସୁବିଧା ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କଲେ ମୁଁ ସହିବି ନାହିଁ ।
ସେମାନେ କହୁଛନ୍ତି ଯେ ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି । ମୁଁ ତାଙ୍କୁ ଆଜି ଚ୍ୟାଲେଞ୍ଜ କରୁଛି ଯଦି ନବୀନ ପଟ୍ଟନାୟକ ତିନି-ଚତୁର୍ଥାଂଶ ବହୁମତରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି, ଜୁନ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନିଅନ୍ତି, ତା’ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି ।
ସେ ପୁଣି କହିଲେ ଯେ କେନ୍ଦ୍ରମନ୍ତ୍ରୀ ଏମିତି ଚ୍ୟାଲେଞ୍ଜ ଦେଇପାରିବେ କି ? ତାଙ୍କ ଦଳ ସରକାର ନ କଲେ ସେ ରାଜନୀତିରୁ ସନ୍ୟାସ ନେବେ କି ? କେନ୍ଦ୍ରମନ୍ତ୍ରୀ ପ୍ରଥମେ ଢେଙ୍କାନାଳରୁ ପ୍ରାର୍ଥୀ ହେବା ପାଇଁ ୧୦ ବର୍ଷ କାଳ ଉଦ୍ୟମ କଲେ କିନ୍ତୁ ନାମାଙ୍କନ ବେଳକୁ ଡର ପଶିଲା, ସେ ସମ୍ୱଲପୁରରୁ ଆସି ଛିଡ଼ା ହେଲେ ।
ସେ କହିଲେ ଯେ ନିର୍ବାଚନ ଆସିଲା, ତେଣୁ ବିରୋଧୀ ନେତାମାନେ ଆସି ମିଛକଥା କହିବା ଆରମ୍ଭ କଲେଣି । ଆପଣଙ୍କ ଭୋଟ ନେଇଯିବେ, ତା’ପରେ ଖୋଜିଲେ ମିଳିବେନି । ସେମାନେ କେବେ ଆପଣମାନଙ୍କୁ ହିସାବ ଦେବେନାହିଁ । ପୂର୍ବ ନିର୍ବାଚନରେ ଦରଦାମ୍ କମିବ ବୋଲି ସେମାନେ କହିଥିଲେ । ଏଲ୍.ପି.ଜି, ପେଟ୍ରୋଲ, ଡିଜେଲ ଦାମ୍ କମିଲା କି ? ମୁଁ କିନ୍ତୁ ଆପଣମାନଙ୍କୁ ହିସାବ ଦେବି । ମୁଖ୍ୟମନ୍ତ୍ରୀ ଆମକୁ କାମର ହିସାବ ଦେବାପାଇଁ ସବୁବେଳେ ନିର୍ଦ୍ଦେଶ ଦେଇଥାନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ ।