ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ଟ୍ରେନିଂ ରିଜର୍ଭ ଅଫିସର ଭାବେ କାର୍ଯ୍ୟ କରୁଥିବା ୨୩୮ ଓଏଏସ୍ ପ୍ରୋବେସନରଙ୍କୁ ରାଜ୍ୟ ସରକାର ଇତିମଧ୍ୟରେ ବିଭିନ୍ନ ପଦବୀରେ ନିଯୁକ୍ତି ଦେଇଛନ୍ତି । ଡିସେମ୍ବର ୨୯ରେ ଏହାର ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ତେବେ ତାଲିକାରେ ଦୁଇଜଣଙ୍କ ନାଁ ନାହିଁ । ଟ୍ରେନିଂ ରିଜର୍ଭ ଅଫିସର ଭାବେ କାର୍ଯ୍ୟ କରୁଥିବା ୨୪୦ ଓଏଏସ୍ ପ୍ରୋବେସନରଙ୍କ ମଧ୍ୟରୁ ୨୩୮ ଜଣଙ୍କୁ ନିଯୁକ୍ତି ମିଳିଥିବା ବେଳେ ଦୁଇଜଣ କାହିଁକି ବାଦ୍ ପଡ଼ିଛନ୍ତି ତାହା ଅନେକଙ୍କୁ ଅବୁଝା ରହିଛି । ମନପସନ୍ଦର ପୋଷ୍ଟିଂକୁ ନେଇ କିଛି ଗଡ଼ବଡ଼ ଥିବା ଶୁଣିବାକୁ ମିଳୁଥିଲେ ମଧ୍ୟ ଏଥିରୁ ରାଜନୀତିର ଗନ୍ଧ ବାରିଛନ୍ତି ରାଜନୈତିକ ବିଶାରଦ ।
ଓପିଏସ୍ ଦ୍ୱାରା ପ୍ରସ୍ତୁତ ମେଧା ତାଲିକା ଆଧାରରେ ଓଏଏସ୍ ଚୟନ ଏବଂ ନିଯୁକ୍ତି ତାଲିକା ପ୍ରସ୍ତୁତ ହୋଇଥାଏ । ଏହି ହିସାବରେ ୨୪୦ ଜଣ ଓଏଏସ୍ ପଦବୀ ପାଇଁ ଚୟନ ହୋଇଥିଲେ । ଟ୍ରେନିଂ କାଳରେ ପ୍ରୋବେସନ୍ ରେ ଟ୍ରେନିଂ ରିଜର୍ଭ ଅଫିସର ଥିଲେ । ନିଯୁକ୍ତି ପୂର୍ବରୁ ଡିସେମ୍ବର ୧୮ ତାରିଖରେ ସେମାନଙ୍କର କାଉନସେଲିଂ ହୋଇଥିଲା । ଏଥିରେ ସମସ୍ତ ୨୪୦ ଜଣ ପ୍ରୋବେସନର୍ ଭାଗ ନେଇଥିଲେ । ମାତ୍ର ୨୯ ତାରିଖରେ ପ୍ରକାଶିତ ନିଯୁକ୍ତି ତାଲିକାରେ ଦୁଇଜଣଙ୍କ ନାଁ ନରହିବା ଭୁକ୍ରୁଞ୍ଚନ ସୃଷ୍ଟି କରିଛି ।
ଗୁରୁତ୍ୱପୂର୍ଣ୍ଣ କଥା, ତାଲିକାରୁ ବାଦ୍ ପଡ଼ିଥିବା ଏହି ଦୁଇଜଣ ହେଉଛନ୍ତି ମହିଳା ଏବଂ ଜଣେ ହେଉଛନ୍ତି ଉପକୂଳିଆ ବିଧାୟକଙ୍କ ପତ୍ନୀ । ଓପିଏସସି ମେଧା ତାଲିକାର ବିଧାୟକଙ୍କ ପତ୍ନୀଙ୍କର ୫୪ ରାଙ୍କ ଥିଲା ବେଳେ ଅନ୍ୟ ମହିଳାଙ୍କର ରାଙ୍କ ଥିଲା ୧୭୦ । ନିଯୁକ୍ତି ପ୍ରକ୍ରିୟାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ ସହକାରୀ ପ୍ରଶାସକ ପଦବୀକୁ ପସନ୍ଦ ବାଛିଥିଲେ ବିଧାୟକଙ୍କ ପତ୍ନୀ । ଅନ୍ୟ ମହିଳାଙ୍କ ପସନ୍ଦର ପୋଷ୍ଟିଂ ଥିଲା ପୁରୀଜିଲ୍ଲା କୃଷ୍ଣପ୍ରସାଦ ତହସିଲଦାର । ଅନ୍ୟମାନଙ୍କ ଭଳି ଫର୍ମ-ଏ ରେ ଥିବା ଏକ୍ସରସାଇଜିଂ ଅପସନ୍ ଫର ପ୍ଲେସ୍ ଅଫ ପୋଷ୍ଟିଂ ରେ ସେମାନଙ୍କର ପସନ୍ଦର ଜାଗା ଉଲ୍ଲେଖ କରିଥିଲେ ।
ଗୋଟିଏ ମହଲର ଚର୍ଚ୍ଚା ଅନୁଯାୟୀ, ମନପସନ୍ଦର ପୋଷ୍ଟିଂ ଜାଗାକୁ ନେଇ ଏହି ଦୁଇ ମହିଳା ଓଏଏସ୍ ପ୍ରୋବେସନରଙ୍କ କ୍ଷେତ୍ରରେ କିଛି କେଁ ପଶିଛି । ଭାଗ ବଣ୍ଟରାରେ ସମସ୍ୟା ହେବାରୁ ଗଡ଼ବଡ଼ ହୋଇଯାଇଛି ।
ଅନ୍ୟ ଯେଉଁ ଚର୍ଚ୍ଚାଟି ହେଉଛି ତାହା କିନ୍ତୁ ସାଂଘାତିକ । ତାହା ହେଲା- ନିକଟରେ ରାଉରକେଲାରେ କେନ୍ଦ୍ରମନ୍ତ୍ରୀଙ୍କ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ସହର ସାରା ଛାଇ ହୋଇଥିବା ପୋଷ୍ଟର ଓ ବ୍ୟାନରରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଉପକୂଳିଆ ବିଧାୟକଙ୍କର ଫଟୋ ରହିଥିଲା । କୌଣସି ବ୍ୟାନରରେ ମୁଖ୍ୟମନ୍ତ୍ରୀ କି ରାଜ୍ୟ ସଭାପତିଙ୍କର ଫଟୋ ନ ଥିଲା । ଯାହା ବି ହେଉ, କେନ୍ଦ୍ରମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମ ଜବରଦସ୍ତ ସଫଳତା ହାସଲ କରିଥିଲା । ଏହାକୁ ସଫଳ କରାଇବାରେ ସଂପୃକ୍ତ ବିଧାୟକଙ୍କ ଭୂମିକା ସମସ୍ତଙ୍କ ନଜରକୁ ଆସିଥିଲା । ତାଙ୍କ(ବିଧାୟକ) ପତ୍ନୀଙ୍କର ପୋଷ୍ଟିଂ ଅଟକିବାରେ ଏହା କୁଆଡ଼େ କାରଣ । ଅବଶ୍ୟ ଅନ୍ୟ ମହିଳାଙ୍କ ପୋଷ୍ଟିଂ ଅଟକିବା ପଛର କାରଣ କେହି କହିପାରୁନାହାନ୍ତି ।
ଚର୍ଚ୍ଚା ପଛର ସତ ଜଣାପଡ଼ି ନ ଥିେଲେ ମଧ୍ୟ ଏହି ଗମ୍ଭୀର ପ୍ରସଙ୍ଗଟି ପ୍ରଶାସନ ମହଲରେ କୌତୁହଳ ସୃଷ୍ଟି କରିଛି ।