କଟକ: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ସର୍ବବୃହତ୍ତ କ୍ରୀଡ଼ା ମହାକୁମ୍ଭ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଜି କଟକର ଜବାହାରଲାଲ୍ ନେହରୁ ଇନଡୋର୍ ଷ୍ଟାଡିୟମ୍ ରେ ଉଦଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି । ଓଡ଼ିଶାରେ ଏକ ନୂଆ ଇତିହାସ ସୃଷ୍ଟି କରିଥିବା ଏହି ଇଭେଣ୍ଟ ଦେଶର କ୍ରୀଡ଼ା ଇତିହାସରେ ବଡ଼ ମୁହୁର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରିବା ସହ କ୍ରୀଡ଼ା ବିପ୍ଲବରେ ଏହା ଦେଶକୁ ଆଗକୁ ନେବ ବୋଲି କହିଛନ୍ତି ।
ଉଦଘାଟନୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ କ୍ରୀଡ଼ା ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଓଡ଼ିଶା ପାଇଁ ଏହି ଗୌରବମୟ ମୁହୁର୍ତ୍ତରେ ଆପଣମାନେ ଖୁସି ତ କି ବୋଲି ଉପସ୍ଥିତ ଦର୍ଶକଙ୍କୁ ପଚାରିଥିଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତ ବେହେରା, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ, ଆୟୋଜକ ‘କିଟ୍’ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ସମ୍ବୋଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, କେନ୍ଦ୍ର କ୍ରୀଡ଼ା ସଚିବ ରାଧେଶ୍ୟାମ ଜୁଲାନିୟା, ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଆର.ବିନିଲ୍ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କ୍ରୀଡ଼ା ପ୍ରଥମ କରି ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବା ଓଡ଼ିଶା ପାଇଁ ଖୁସି ଓ ଗୌରବ ଆଣିଦେଇଛି । ‘କିଟ୍’ କୁ ଆୟୋଜକ ବିଶ୍ୱବିଦ୍ୟାଳୟ ଭାବେ ଦାୟିତ୍ୱ ମିଳିଛି । ଓଡ଼ିଶାର ୫ଟି ବିଶ୍ୱବିଦ୍ୟାଳୟରୁ ମୋଟ ୧୪୮ ଜଣ ଖେଳାଳୀଙ୍କ ସମତେ ସମୁଦାୟ ୧୫୯ ବିଶ୍ୱବିଦ୍ୟାଳୟରୁ ୩୪୦୦ ଖେଳାଳୀ ଏଥିରେ ଭାଗ ନେଇଛନ୍ତି । ୧୭ଟି ଇଭେଣ୍ଟରେ ପ୍ରତିଯୋଗିତା ହେଉଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଦେଶର ଏକ ନମ୍ବର ଧାବିକା ଦୂତି ଚାନ୍ଦ, ବ୍ୟାଡମିଣ୍ଟନ୍ ଯୁବରାଣୀ ଋତୁପର୍ଣ୍ଣା ପଣ୍ଡା, ମାଙ୍ଗଲୋର ବିଶ୍ୱବିଦ୍ୟାଳୟର ଟ୍ରିପଲ୍ ଜମ୍ପର୍ ଜୟ ଶାହା, ଧାବକ ନରେନ୍ଦ୍ର ପ୍ରତାପ ସିଂ, କୋମଲ ଜଗଦାଲେ, ୱାଇ. ଜ୍ୟୋତି ପ୍ରମୁଖ ।
ପ୍ରତିଯୋଗିତା ଲାଗି କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିକୁ ‘କିଟ୍’ ମାଗଣାରେ ଦେଇଛି । ରାଜ୍ୟ ସରକାର ମଧ୍ୟ ଆନୁସଙ୍ଗିକ ସହଯୋଗ କରୁଛନ୍ତି । ‘କିଟ୍’ ଓ ‘କିସ୍’ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପ୍ରତ୍ୟକ୍ଷ ଭାବେ ଏହାର ତତ୍ତ୍ୱାବଧାନ କରୁଛନ୍ତି । ପ୍ରତି ଖେଳାଳି ପିଛା ଦୈନିକ ୭୦୦ ଟଙ୍କା ଖର୍ଚ୍ଚ ସହ ମୋଟ ୫.୪୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ‘କିଟ୍’ ଭିତ୍ତଭୂମି ମାଗଣାରେ ଦେଇଥିବାରୁ ଖର୍ଚ୍ଚ ବହୁ ହାରରେ କମିଯାଇଛି । ଗୌହାଟୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଖର୍ଚ୍ଚ ତୁଳନାରେ ଏଠାରେ ଏକ ଚତୁର୍ଥାଂଶ ଖର୍ଚ୍ଚରେ ପ୍ରତିଯୋଗିତା ସମ୍ଭବ ହେବ ।