ଭୁବନେଶ୍ୱର: କୋଟି କୋଟି ଟଙ୍କା ମହାଠକେଇ ଅଭିଯୋଗରେ ଗିରଫ ଜ୍ୟୋତିରଞ୍ଜନ ବେଉରା ଓରଫ୍ ଗୋଲଡେନ୍ ବାବାର ପଲିଟିକାଲ୍ ଲିଙ୍କ୍ ନେଇ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଲାଣି । ଶାସକ ଦଳର ନେତାଙ୍କ ଶରଣରେ ରହି ସେ ନିଜର ପ୍ରତିପତ୍ତି ବଢ଼େଇ ଥିଲା ଏବଂ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ବିଧାୟକ ହେବାର ସ୍ୱପ୍ନ ଦେଖୁଥିଲା । ବିଭିନ୍ନ ସମୟରେ ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ଅନନ୍ତ ନାରାୟଣ(ବୁନୁ) ଜେନା, କିଛି ପ୍ରଭାବଶାଳୀ ଯୁବ/ଛାତ୍ର ନେତା, କର୍ପୋରେଟରଙ୍କ ମେଳରେ ତାର ଫଟୋଚିତ୍ର ଭୁବନେଶ୍ୱରର କାନ୍ଥବାଡ଼ ଓ ସୋସିଆଲ୍ ମିଡ଼ିଆରେ ଶୋଭା ପାଉଥିଲା । ଏପରିକି ବିଜେଡ଼ିର କିଛି ରାଲି, ସଭାସମିତିରେ ତାକୁ ଆଗରେ ଦେଖିବାକୁ ମିଳୁଥିଲା । ନିକଟରେ ଇଷ୍ଟ କୋଷ୍ଟ୍ ରେଲୱେ ଅଫିସ ସାମନାରେ ଅନୁଷ୍ଠିତ ବିଜେଡ଼ିର ବିକ୍ଷୋଭ ସଭାରେ ମେୟର ତାକୁ ବିଶିଷ୍ଟ ଯୁବନେତା, ଯୁବ ସଂଗଠକ, ଯୁବ ସମାଜସେବୀ ଏବଂ ଆଗାମୀ ପୀଢ଼ିର ଭବିଷ୍ୟତ ବୋଲି ପରିଚିତ କରାଇଥିଲେ ।

ଅନୁସନ୍ଧାନରୁ ଜଣାପଡ଼ିଛି, ବର୍ଷେ ତଳେ ଭୁବନେଶ୍ୱରରେ ଅପରିଚିତ ଥିବା ଏହି ଗୋଲଡେନ୍ ବାବା ଜଣେ ଯୁବ ସଂଗଠକ ଭାବେ ଅଚାନକ ଆର୍ବିଭୂତ ହୋଇଥିଲେ । କିଛି ବିଜେଡ଼ି ନେତା, ଛାମୁଆ ନେତାଙ୍କ ପାଖକୁ ତାର ଯାଆ ଆସ ହୋଇଥିଲା । ଖାଲି ସେତିକି ନୁହେଁ, ଜଣେ ପୂର୍ବତନ ମନ୍ତ୍ରୀ ତାକୁ ଯୁବ ବିଜେଡ଼ିରେ ସାମିଲ କରାଇବାକୁ ବହୁ ଉଦ୍ୟମ କରିଥିଲେ । ସେଥିପାଇଁ ୨୦ ଲକ୍ଷ ବଟି କାରବାର ହୋଇଥିବା ବି ଚର୍ଚ୍ଚା ହୋଇଥିଲା । ତେବେ କୌଣସି କାରଣରୁ ପୂର୍ବତନ ମନ୍ତ୍ରୀ ଜଣଙ୍କ ତାଙ୍କ ଉଦ୍ୟମରେ ସଫଳ ହୋଇପାରି ନ ଥିଲେ । ଯୁବ ବିଜେଡ଼ିରେ ସାମିଲ ହୋଇପାରି ନ ଥିଲେ ମଧ୍ୟ ଗୋଲଡେନ୍ ବାବାକୁ ମେୟରଙ୍କ ଶିବିରରେ ସଦାସର୍ବଦା ଦେଖିବାକୁ ମିଳୁଥିଲା । ମେୟରଙ୍କୁ ସାଙ୍ଗରେ ରଖି ସେ ନିଜର ସାମାଜିକ କାର୍ଯ୍ୟକ୍ରମ ଚଳାଇଥିଲା । ଜଣେ ସାମାଜିକ ସଂଗଠକର ପରିଚୟରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲା । ନିକଟରେ ମେୟରଙ୍କ ଉପସ୍ଥିତିରେ ସାଲିଆ ସାହିରେ ସେ ଗରିବ ଲୋକଙ୍କୁ ୧୨୦୦ କମ୍ବଳ ବାଣ୍ଟିଥିଲା । ଯାହାର ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଖାଲି ମେୟର ନୁହଁନ୍ତି, ମନ୍ତ୍ରୀ ଅଶୋକ ପଣ୍ଡା ଓ କିଛି ବିଜେଡ଼ି କର୍ପୋରେଟରଙ୍କ ସହ ତାର ସମ୍ପର୍କର ପ୍ରମାଣ ଛାଡ଼ିଛି ନିଜ ଫେସବୁକ ଆକାଉଣ୍ଟରେ ।
ଗୋଲଡେନ ବାବା ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ଟିକେଟରେ ବିଧାୟକ ପ୍ରାର୍ଥୀ ହେବାକୁ ଲକ୍ଷ୍ୟ ରଖିଥିଲା । ବିଭିନ୍ନ ସଭାସମିତି ଜରିଆରେ ସେ ନିଜର ଏହି ଇଚ୍ଛାକୁ ଖୋଲାଖୋଲି ପ୍ରକାଶ କରୁଥିଲା । ଖାଲି ଇଚ୍ଛା ନୁହେଁ, ସେଥିପାଇଁ ବିଭିନ୍ନ ରକମର କାର୍ଯ୍ୟକ୍ରମ କରି ବିପୁଳ ଟଙ୍କା ଖର୍ଚ୍ଚ କରୁଥିଲା । ମେୟର ଓ କର୍ପୋରେଟରଙ୍କୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ କରାଇ ସେ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ଚେଷ୍ଟା କରୁଥିଲା । ନିଜର ପ୍ରଚାର ପାଇଁ ହାତଗଣତି ସାମ୍ବାଦିକଙ୍କୁ ବି ହାତରେ ରଖିଥିଲା ଗୋଲଡେନ ବାବା । ତାର ଦାମି ସୌଖୀନ ଗାଡ଼ିରେ ସମସ୍ତଙ୍କୁ ବୁଲାଉଥିଲା, ଭୋଜିଭାତ କରି ଆପ୍ୟାୟିତ କରୁଥିଲା ।






