ଭୁୁବନେଶ୍ୱର: ଉପରାଷ୍ଟ୍ରପତି ପ୍ରାର୍ଥୀ ସମର୍ଥନକୁ ନେଇ ମୁଖ୍ୟମନ୍ତ୍ରୀ ଏବେ ଦ୍ୱନ୍ଦ ଓ ଧର୍ମ ସଙ୍କଟରେ । ବିରୋଧୀ ଦଳ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେବେ ନା ଘୋଷଣା ଅପେକ୍ଷାରେ ଥିବା ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ସେଇ ଚିନ୍ତା ତାଙ୍କୁ ଘାରିଛି । ନିଜର ପୁରୁଣା ଘନିଷ୍ଠ ବନ୍ଧୁ ହିସାବରେ ଗାନ୍ଧୀଙ୍କୁ ସମର୍ଥନ ଦେବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏନଡିଏର ସମ୍ଭାବ୍ୟ ପ୍ରାର୍ଥୀ ନବୀନଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଦ୍ରୌପଦୀ ମୁର୍ମୁ କିମ୍ବା ଡ. ଏସ.ସି.ଜମିରଙ୍କୁ ଏନଡିଏ ଯଦି ପ୍ରାର୍ଥୀ କରେ ତେବେ ନବୀନ ଧର୍ମସଙ୍କଟରେ ପଡ଼ିବା ଏକଦମ୍ ଥୟ । କାରଣ ଓଡ଼ିଆ ଝିଅ ହିସାବରେ ଦ୍ରୌପଦୀଙ୍କୁ ସମର୍ଥନ ନକଲେ ଭୁଲ୍ ବାର୍ତ୍ତା ଯିବ । ତେଣେ ଜମିରଙ୍କ କ୍ଷେତ୍ରରେ ବି ଅନୁରୂପ ଆଶଙ୍କା । ଓଡ଼ିଶାର ରାଜ୍ୟପାଳ ହୋଇଥିବାରୁ ତାଙ୍କୁ ସମର୍ଥନ ନ କଲେ ଅସୁବିଧା ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଉପରାଷ୍ଟ୍ରପତି ନିର୍ବାଚନ ନବୀନଙ୍କ ପାଇଁ ଖାଲି ଏକ ଚାଲେଂଜ ନୁହେଁ ବରଂ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେଇ ନବୀନ ଯେଉଁ ରାଜନୈତିକ ଭ୍ରମ ସୃଷ୍ଟି କରିଛନ୍ତି ଉପରାଷ୍ଟ୍ରପତି ନିର୍ବାଚନରେ ତାହାକୁ ଦୂର କରିବାର ସୁଯୋଗ ରହିଛି । ଉଭୟ ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତା କଥା କହୁଥିବା ନବୀନ ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେଲେ ସେହି ଭ୍ରମ ଦୂର ହୋଇପାରିବ । ବିଜେପିର ଡରରେ କିମ୍ବା ଭିତିରିଆ ପ୍ରେମରେ ସେ ଯେ କୋବିନ୍ଦଙ୍କୁ ଆଖିବୁଜା ସମର୍ଥନ ଦେଇଛନ୍ତି ତାହା କେହି କହିପାରିବେନି । ବରଂ ରାଜନୈତିକ ବାଛବିଚାରର ଉଦ୍ଧ୍ୱର୍ରେ ନବୀନ ଯୋଗ୍ୟ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛନ୍ତି ବୋଲି ବାର୍ତ୍ତା ଯିବ ।
ଏହା ସତ ଯେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କୋବିନ୍ଦଙ୍କୁ ବିଜେଡ଼ିର ତରବରିଆ ସମର୍ଥନକୁ ଦଳର କିଛି ସାଂସଦ ପସନ୍ଦ କରିନାହାନ୍ତି । ବିଜେପି ପ୍ରତି ନବୀନଙ୍କ ଆଭିମୁଖ୍ୟକୁ ସେମାନେ ପରୋକ୍ଷରେ ପ୍ରଶ୍ନ କରିଛନ୍ତି । ଏମିତିରେ ରାଜନୈତିକ ଦରବାରରେ ଆଲୋଚନା ହେଉଛି, ମୋଦିଙ୍କ ଡରରେ ନବୀନ ତାଙ୍କ ରାଷ୍ଟ୍ରପତିଙ୍କ ପ୍ରାର୍ଥୀକୁ ସମର୍ଥନ ଦେବାକୁ ବାଧ୍ୟ ହୋଇଛନ୍ତି । କାରଣ ଏହା କରି ନ ଥିଲେ ବିଜେଡ଼ି ନେତାଙ୍କ ଉପରେ ଝୁଲୁଥିବା ଚିଟଫଣ୍ଡ ସିବିଆଇ ଖଣ୍ଡା ହୁଏତ ଚୋଟ ପକାଇଥାଆନ୍ତା । ତେଣୁ ବିଭିନ୍ନ ପ୍ରସଙ୍ଗରେ ବିଜେଡ଼ି ମୋଦି ସରକାରଙ୍କ ବିରୋଧରେ ସ୍ୱର କଠୋର କରୁଥିଲେ ମଧ୍ୟ ଅସଲ ରାଜନୈତିକ ଗଣିତ ବେଳକୁ ବିଜେଡ଼ିର ବିଜେପି ପ୍ରେମ ଏବେ ଆଉ ଅଛପା ନାହିଁ । ସମୟ ଆସିଛି ନବୀନ ଜନସାଧାରଣଙ୍କ ମନରୁ ଏହି ଧାରଣା ଦୂର କରିପାରିବା ସହ ନିଜର ପରମ ବନ୍ଧୁଙ୍କ ପ୍ରତି ସମର୍ଥନ ଦେଇ ନିଜ ମହତପଣିଆର ପରାକାଷ୍ଠା ଦେଖାଇପାରିବେ । ତେବେ ନବୀନଙ୍କ ରାଜନୈତିକ ବାଧ୍ୟବାଧକତା ଏବଂ ଏନଡିଏ ପ୍ରାର୍ଥୀ ଚୟନ ଏଥିପାଇଁ ପ୍ରତିବନ୍ଧକ ସୃଷ୍ଟି କରିବ ନା ନାହିଁ ତାହାକୁ ଅପେକ୍ଷା କରାଯାଇଛି ।