ଭୁବନେଶ୍ୱର: ଏପ୍ରିଲ୍ ୩ ତାରିଖରେ ବମିଖାଲର ୩ ଭାଇଙ୍କର କରୋନା ପଜିଟିଭ୍ ବାହାରିଥିଲା । ୫ ତାରିଖ ଅପରାହ୍ନରେ ସେହି ବମିଖାଲର ଆଉ ଜଣେ ୨୯ ବର୍ଷ ଯୁବକଙ୍କର କରୋନା ପଜିଟିଭ୍ ଆସିଲା । ରାତିରେ ଆଉ ୧୬ ପଜିଟିଭ୍ ଙ୍କ ମଧ୍ୟରେ କେବଳ ବମିଖାଲର ୧୫ ଜଣ ଥିଲେ । ମୋଟାମୋଟି ଜଣାପଡ଼ିଲାଣି, ବମିଖାଲର ଏହି ୧୯ ଜଣ ଯାକ କରୋନା ଆକ୍ରାନ୍ତ ଗୋଟିଏ ପରିବାରର ସଦସ୍ୟ । ପ୍ରଥମ ଚିହ୍ନଟ ତିନିଭାଇଙ୍କ ବାପା ଭୋପାଳରେ ରହୁଛନ୍ତି ଏବଂ ତାଙ୍କଠାରୁ ସଂକ୍ରମଣ ଆସିଥିବା ବି ସ୍ପଷ୍ଟ ହୋଇଛି ।
ବମିଖାଲର ଏତେ ସଂଖ୍ୟକ ଆକ୍ରାନ୍ତଙ୍କ ପରିଚୟ ଜାଣିବାକୁ ସାଧାରଣରେ ବ୍ୟଗ୍ରତା ସୃଷ୍ଟି ହୋଇଥିବା ବେଳେ ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କିଛିଟା ଆଭାସ ଦେଇଥିଲେ । ଆଜି ସକାଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସେମାନେ ସମସ୍ତେ ଗୋଟିଏ ପରିବାରର ବୋଲି ସ୍ପଷ୍ଟ କରାଯାଇଛି । ସେହିଭଳି ସୂର୍ଯ୍ୟନଗରର ଗୋଟିଏ ପରିବାର(ପ୍ରଦୀପ୍ତ ଦଳବେହେରା) ଓ ଘରୁ(ଭଡ଼ାଟିଆ) ସମୁଦାୟ ୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ଦୁଇଟି ଯାକ କେସ୍ ରେ ଗୋଟିଏ ଘରୁ ସଂକ୍ରମଣର ଶିକାର ହୋଇଛନ୍ତି ପରିବାର ସଦସ୍ୟ ।
ଉଭୟ ସୂର୍ଯ୍ୟନଗର ଓ ବମିଖାଲ୍ କ୍ଲଷ୍ଟର୍ କୁ ସିଲ୍ କରାଯାଇଛି ଏବଂ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଘର ଘର ବୁଲି ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା କରୁଛନ୍ତି । ଉଭୟ ଅଞ୍ଚଳ ଆକ୍ଟିଭ୍ ସର୍ଭେଲାନ୍ସ ରେ ଥିବାରୁ ଲୋକମାନେ ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ବିଭାଗ ଆଶ୍ୱାସନା ଦେଇଛି । ଭୁବନେଶ୍ୱରରୁ ଏତେ ସଂଖ୍ୟକ କରୋନା ପଜିଟିଭ୍ ବାହାରିବା ପରେ ଜନସାଧାରଣ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ଛାନିଆଁ ହେଉଥିବାରୁ ସମ୍ଭବତଃ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ସହ ଏହି ଆଶ୍ୱାସନା ଦେଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କୁ ପରାମର୍ଶ ଦେଇ ଆତଙ୍କିତ ନ ହେବାକୁ କହିଛନ୍ତି । ପଜିଟିଭ୍ କେସ୍ ଗୁଡ଼ିକ କଣ୍ଟେଣ୍ଡ୍ ଏରିଆରୁ ଆସିଛି ଏବଂ ସଂକ୍ରମଣର ଉତ୍ସ ଜଣାପଡ଼ିଛି । ତେଣୁ ଭୟଭୀତ ନ ହୋଇ ସମସ୍ତେ ସତର୍କରେ ରୁଅନ୍ତୁ ଏବଂ ଲକ୍ ଡାଉନ୍ କୁ କଡ଼ାକଡ଼ି ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଅନ୍ୟପକ୍ଷରେ ନିୟମ ଖିଲାପକାରୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ସାମାଜିକ ଦୂରତ୍ୱ କଟକଣା ଉଲ୍ଲଂଘନକାରୀଙ୍କ ପ୍ରତି ସରକାର ଜିରୋ ଟଲେରାନ୍ସ ହେବେ । ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇ କଠୋର ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଲୋକମାନେ ଘରେ ରୁହନ୍ତୁ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର ନିବେଦନ କରୁଛନ୍ତି ।