ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନରେ ନିଜ ଦଳ ପକ୍ଷରୁ କ୍ରସ ଭୋଟିଂ ହୋଇନାହିଁ ବୋଲି ବିଜେଡ଼ି ନେତାମାନେ ଗଣମାଧ୍ୟମରେ ବାହାସ୍ଫୋଟ ମାରୁଥିଲେ ବି ତାହା ଗାଲୁଆମୀ ଛଡ଼ା କିଛି ନୁହେଁ । ବିଜେଡ଼ିର କିଛି ସାଂସଦଙ୍କ ହାବଭାବ ଓ ଉପରାଷ୍ଟ୍ରପତି ଫଳାଫଳ ଗଣିତ ତାହାକୁ ସମ୍ପୂର୍ଣ୍ଣ ଭୁଲ୍ ବୋଲି ପ୍ରମାଣିତ କରୁଛି । ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ବିଜେଡ଼ି ଓ ଜେଡ଼ି ସମର୍ଥନ ଘୋଷଣା କରିଥିଲେ । ବିଜେଡ଼ିର ୨୮ ଓ ଜେଡ଼ିୟୁର ୧୨ ସାଂସଦଙ୍କ ଭୋଟ ଗାନ୍ଧୀଙ୍କ ସପକ୍ଷରେ ଯାଇଥିଲେ ଗାନ୍ଧୀଙ୍କୁ ୨୬୫ ଭୋଟ ମିଳିଥାଆନ୍ତା । ମାତ୍ର ମିଳିଛି ୨୪୪ ଭୋଟ । ଅର୍ଥାତ୍ ହିସାବଠାରୁ ୨୧ଟି କମ୍ ଭୋଟ ପାଇଛନ୍ତି ଗାନ୍ଧୀ । ଧରାଯାଉ, ଜେଡ଼ିୟୁର ୧୨ଜଣ ଯାକ ସାଂସଦ କ୍ରସ ଭୋଟିଂ କରି ଏନଡିଏ ପ୍ରାର୍ଥୀ ଭେଙ୍କେୟାନାଇଡୁଙ୍କ ସପକ୍ଷରେ ଯାଇଛନ୍ତି । ଗାନ୍ଧୀଙ୍କ ପଟରୁ ଏହି ଭୋଟ କମିଲେ ତାଙ୍କୁ ୨୫୩ ଭୋଟ ମିଳିବା କଥା । କିନ୍ତୁ ୨୪୪ ଭୋଟ ମିଳିଥିବାରୁ କାହାରି ଭୋଟ ନାକଚ ହୋଇ ନ ଥିଲେ ବିଜେଡ଼ିର ୯ ସାଂସଦ କ୍ରସ ଭୋଟିଂ କରିଥିବା ସନ୍ଦେହ ହେଉଛି ।
ସନ୍ଦେହ ସତ ହୋଇଥିଲେ ବିଜେଡ଼ିର ଏହି ବିଭୀଷଣ କିଏ ତାହା ଏବେ ଚର୍ଚ୍ଚାରେ । ସନ୍ଦେହର ପ୍ରଥମକୁ ଆସିଛନ୍ତି ବୈଜୟନ୍ତ ପଣ୍ଡା । ଏନଡିଏ ଭେଙ୍କେୟାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରୁ କରୁ ବୈଜୟନ୍ତଙ୍କ ଟୁଇଟ୍ ଭେଙ୍କେୟାଙ୍କ ପ୍ରଶଂସାରେ ଭରିଥିଲା । ଭେଙ୍କେୟା ତାଙ୍କର ଜଣେ ଉତ୍ତମ ବନ୍ଧୁ ଓ ପୋଖତ ରାଜନୀତିଜ୍ଞ ବୋଲି ଟ୍ୱିଟ୍ କରିଥିଲେ ବୈଜୟନ୍ତ । ନିଜ ଦଳର ଆଭିମୁଖ୍ୟକୁ ଅପେକ୍ଷା ନ କରି ଭେଙ୍କେୟାଙ୍କ ସପକ୍ଷରେ ମାତିଯାଇଥିଲେ । ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ଦିନ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ୍ ହଲରେ ସାଂସଦଙ୍କ ହାବଭାବରୁ ବୈଜୟନ୍ତ କୁଆଡେ କ୍ରସ୍ ଭୋଟିଂର ବାତ୍ସ୍ନା ପାଇଥିଲେ । ବିଜେଡ଼ିରେ କ୍ରସ୍ ଭୋଟିଂ ଆଶଙ୍କାର ଇଙ୍ଗିତ ଛାଡ଼ିଥିଲେ । ରାଷ୍ଟ୍ରପତି ନିର୍ବାଚନରେ ତ ତାହା ହେଲାନି ମାତ୍ର ଉପରାଷ୍ଟ୍ରପତି ନିର୍ବାଚନରେ ସମ୍ଭବ ହୋଇଥିବାରୁ ସମସ୍ତଙ୍କ ସନ୍ଦେହ ବୈଜୟନ୍ତଙ୍କ ଉପରକୁ ଯାଇଛି । ଭେଙ୍କେୟାଙ୍କୁ ମୂଳରୁ ପ୍ରଶଂସାରେ ପୋତି ଦେଇଥିବା ବୈଜୟନ୍ତ ଯେ ଦଳ ସୁପ୍ରିମୋଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଗାନ୍ଧୀଙ୍କୁ ଭୋଟ ଦେଇଥିବେ ରାଜନୈତିକ ପଣ୍ଡିତମାନେ ଜମାରୁ ବିଶ୍ୱାସ କରୁନାହାନ୍ତି । ବୈଜୟନ୍ତ ଅଧ ଡର୍ଜନରୁ ଅଧିକ ସାଂସଦଙ୍କୁ ନିଜ ସପକ୍ଷରେ ମନାଇ ଦଳୀୟ ନିଷ୍ପତ୍ତି ବିରୋଧରେ କ୍ରସ୍ ଭୋଟିଂ କରିଥିବା ସନ୍ଦେହ କରାଯାଉଛି ।
ସୂଚନାଯୋଗ୍ୟ, ଗତମାସ ୨୬ ତାରିଖରେ ଦିଲ୍ଲୀରେ ଏକ ଡିନର ପାର୍ଟିର ଆୟୋଜନ କରିଥିଲେ ବୈଜୟନ୍ତ । ଓଡ଼ିଶାର ସମସ୍ତ ସାଂସଦ, କିଛି ବିଧାୟକ ଓ ସପକ୍ଷବାଦୀ ନେତାଙ୍କୁ ସେଠାକୁ ଆମନ୍ତ୍ରଣ କରିଥିଲେ । ତଥାଗତ ଶତପଥୀ ଓ ପିନାକୀ ମିଶ୍ରଙ୍କୁ ଛାଡ଼ି ଅନ୍ୟ ସାଂସଦମାନେ ବୈଜୟନ୍ତଙ୍କ ଡିନର୍ ପାର୍ଟିରେ ଯୋଗଦେଇଥିଲେ । ସେଥିରେ ନିର୍ଦ୍ଦିଷ୍ଟ ଭାବେ କେତେ ବିଧାୟକ ଯୋଗଦେଇଥିଲେ ତାହା ଜଣାପଡ଼ି ନ ଥିଲେ ମଧ୍ୟ ତଥାଗତଙ୍କ ଦୃଢ଼ ବିରୋଧୀ ଢ଼େଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ ଆଗୁଆ ହାଜିରା ପକାଇଥିଲେ । ଆମନ୍ତ୍ରିତ ନେତା ତାଲିକାର ଶୀର୍ଷରେ ଥିବା ନନ୍ଦ ମହାଶୟ ବୈଜୟନ୍ତଙ୍କ ଆମନ୍ତ୍ରଣରେ ନିଜକୁ ବେଶ୍ ଗୌରାବନ୍ୱିତ ମନେ କରିଥିଲେ । ଡିନର୍ ପାର୍ଟି ନାଁରେ ବୈଜୟନ୍ତଙ୍କ ଏହି ମେଳି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା ।
ଉପରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବୈଜୟନ୍ତଙ୍କ ଡିନର୍ ପାର୍ଟି ମେଳିର ରହସ୍ୟକୁ ନେଇ ନାନା କଥା ଆଲୋଚନା ହେଉଛି । ବିଜେଡ଼ିର ସମ୍ଭାବ୍ୟ କ୍ରସ୍ ଭୋଟିଂ ସହ ଏହି ମେଳିର ସଂଯୋଗ ରହିଥିବା କୁହାଯାଉଛି । ବୈଜୟନ୍ତଙ୍କ ନେତୃତ୍ୱରେ କ୍ରସ୍ ଭୋଟିଂ ହୋଇଥିବା ଦଳୀୟ ମହଲରେ ସନ୍ଦେହ ସୃଷ୍ଟି କରିଛି । ବୈଜୟନ୍ତଙ୍କ ଟିଭି କ୍ରସ୍ ଭୋଟିଂ ଖବରକୁ ହାଇଲାଇଟ୍ କରିବା ପଛରେ ବି ବଢ଼ିଆ ଗେମ୍ ପ୍ଲାନ୍ ଥିବା କୁହାଯାଉଛି । ଜନମାନସରେ ଏହି ଖବର ଛାଡ଼ି ବିଜେଡ଼ିକୁ ବଦନାମ କରିବା ସହ ଦଳରେ ବିଭାଜନ ଓ ଅସ୍ଥିରତା ସୃଷ୍ଟି କରିବାର ଯୋଜନା କରାଯାଇଥିବା ନିଜ ନାଁ ଗୋପନ ରଖିବା ସର୍ତ୍ତରେ ଦଳର ଜଣେ ବରିଷ୍ଠ ନେତା ଆଶଙ୍କା ପ୍ରକାଶ କରିଛନ୍ତି ।