ସୁଟଆଉଟ୍ ରେ ନେଦରଲାଣ୍ଡକୁ ହରାଇଲା
ଭୁବନେଶ୍ୱର: ପେନାଲଟି ସୁଟ୍ ଆଉଟ୍ ରେ ନେଦରଲାଣ୍ଡକୁ ପରାସ୍ତ କରି ହକି ବିଶ୍ୱ ବିଜେତା ହୋଇଛି ବେଲଜିୟମ୍ । ଆଜି କଳିଙ୍ଗ ଷ୍ଟାଡିୟମ୍ ରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ ରେ ବେଶ୍ ରୋମାଞ୍ଚକର ସ୍ଥିତିରେ ବେଲିଜିୟମ୍ ହୋଇଛି ବିଶ୍ୱ ବିଜୟୀ । ଆରମ୍ଭରୁ ହିଁ ମ୍ୟାଚ୍ ବେଶ୍ ରୋମାଞ୍ଚ ଓ ସଂଘର୍ଷପୂର୍ଣ୍ଣ ଥିଲା । ଉଭୟ ଦଳ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିଥିଲେ । ଫଳରେ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ୍ ଦେଇପାରି ନ ଥିଲେ । ମ୍ୟାଚ୍ ବରାବର ରହିଥିଲା ।
ଶେଷରେ ପେନାଲଟି ସୁଟ୍ ଆଉଟ୍ ର ଆଶ୍ରୟ ନିଆଯାଇଥିଲା । ଆଉ ପ୍ରଥମ ଗୋଲ୍ କରିଥିଲା ନେଦରଲାଣ୍ଡ । ତେବେ ପ୍ରଥମ ସୁଟ୍ ରେ ନେଦରଲାଣ୍ଡ ବିରୋଧରେ ବେଲଜିୟମ୍ ଗୋଲ୍ ହାତଛଡ଼ା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସ୍ଥିତି ବରାବରକୁ ଆଣିଥିଲା । ସୁଟ୍ ଆଉଟ୍ ରେ ୨-୨ ସ୍ଥିତିରେ ଉଭୟ ଦଳ ରହିଥିଲେ । ଫଳାଫଳ ପାଇଁ ସଡନ୍ ଡେଥ୍ ର ସାହାଯ୍ୟ ନିଆଯାଇଥିଲା । ସେଥିରେ ବେଲିଜୟମ୍ ପ୍ରଥମ ଗୋଲ ଦେଇ ସ୍ଥିତି ୩-୨ କୁ ଆଣିଥିଲା । ତେବେ ନେଦରଲାଣ୍ଡ ତାଙ୍କର ଗୋଲ୍ ସୁଯୋଗ ହାତଛଡ଼ା କରିବାରୁ ବେଲଜିୟମ୍ ବିଜୟୀ ହୋଇଥିଲା । ନେଦରଲାଣ୍ଡ ଖେଳାଳୀଙ୍କ ଘନ ଘନ ଆକ୍ରମଣକୁ ଚମକ୍ରାର ମୁକାବିଲା କରିଥିବା ବେଲଜିୟମ୍ ଗୋଲକିପର୍ ଭିନସେଣ୍ଟ ୱାନାସ୍କ ପ୍ଲେୟାର୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।
କ୍ୱାଟର ଫାଇନାଲ୍ ରୁ ଭାରତ ବିଦାୟ ନେଇସାରିଥିବାରୁ ଆଜିର ଫାଇନାଲ୍ ଖେଳ ପ୍ରତି ଘରୋଇ ଦର୍ଶକଙ୍କ ଉତ୍ସାହ ନ ଥିବା କୁହାଯାଉଥିଲା । ମାତ୍ର ଆଜି କଳିଙ୍ଗ ଷ୍ଟାଡିୟମ୍ ରେ ଏହା ଭୁଲ୍ ପ୍ରମାଣିତ ହୋଇଥିଲା । ଷ୍ଟାଡିୟମ୍ ପୂରା ଖଚାଖଚ ଥିଲା । ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ବି ଥିଲା । ମାଷ୍ଟର ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକରଙ୍କ ଉପସ୍ଥିତି ଦର୍ଶକଙ୍କୁ ଅଧିକ ଉତ୍ସାହିତ କରିଥିଲା । ହାଫ୍ ଟାଇମ୍ ବେଳେ ତେନ୍ଦୁଲକର ପଡ଼ିଆକୁ ପ୍ରବେଶ କରି ଦର୍ଶକଙ୍କୁ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ବସି ଖେଳ ଦେଖିଥିଲେ । ପାଖରେ ବସିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବିଶ୍ୱକପ୍ ଟ୍ରଫି ପ୍ରଦାନ ସମାରୋହ ବି ବେଶ୍ ଜାକଜମକ ହୋଇଥିଲା । ଆତସବାଜିରେ ଫାଟି ପଡ଼ିଥିଲା ଷ୍ଟାଡିୟମ୍ । ଅତିଥି ଭାବେ ମଞ୍ଚରେ ଉପସ୍ଥିତ ଥିଲେ ସଚିନ୍ ତେନ୍ଦୁଲକର, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା । ବିଭିନ୍ନ ବର୍ଗରେ କୃତୀ ଖେଳାଳୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ବିଜେତା ବେଲଜିୟମ୍ ଦଳକୁ ବିଶ୍ୱକପ୍ ହକି ଟ୍ରଫି ପ୍ରଦାନ କରିଥିଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ।
Continue Reading