ବିଜେଡ଼ିରୁ ବିଦା ହେଲେ
ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁପ ସାଏଙ୍କୁ ଛତିଶଗଡ଼ ପୁଲିସ ଗିରଫ କରିଛି । ଗତକାଲି ରାତିରେ ବ୍ରଜରାଜନଗର ଅନ୍ତର୍ଗତ ନିଜ ଗାଁ ପାଖ ସାଇମନ୍ଦିରରେ ଥିବା ବେଳେ ପୁଲିସ ତାଙ୍କୁ ଉଠାଇ ନେଇଥିଲା । ୪ ବର୍ଷ ତଳେ ଘଟିଥିବା ଏକ ଡବଲ୍ ମର୍ଡର ମାମଲାରେ ଅନୁପଙ୍କ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି । ତେବେ ଏ ସମ୍ପର୍କରେ କୌଣସି ଠୋସ୍ ସୂଚନା ମିଳିନାହିଁ ।
ଘଟଣାରୁ ଜଣାପଡ଼ିଛି, ୨୦୧୬ ମସିହା ଏପ୍ରିଲ୍ ମାସରେ ଝାରସୁଗୁଡ଼ା-ଛତିଶଗଡ଼ ସୀମାନ୍ତରୁ ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାସ(୩୨) ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ(୧୪)ଙ୍କର ଗଳିତ ଶବ ଉଦ୍ଧାର କରାଯାଇଥିଲା । କେହି ସେମାନଙ୍କୁ ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିଲା । ପୁଲିସ ହତ୍ୟାକାଣ୍ଡର ରହସ୍ୟ ଖୋଜିବା ସହ ହତ୍ୟାକାରୀଙ୍କୁ ଧରିବା ପାଇଁ ପ୍ରବଳ ଖୋଳତାଡ଼ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇ ନ ଥିଲା । ତେବେ ଘଟଣାକୁ ୪ ବର୍ଷ ପୂରିବାକୁ ଯାଉଥିବା ବେଳେ ପୁଲିସକୁ କିଛି ସୁରାକ୍ ମିଳିଛି । କଂଗ୍ରେସର ପୂର୍ବତନ ଟାଣୁଆ ବିଧାୟକ ତଥା ଏବେକାର ବିଜେଡ଼ି ନେତାଙ୍କୁ ପୁଲିସ ଉଠାଇ ନେଇଥିବାରୁ ମାମଲାର ଗମ୍ଭୀରତା ବାରି ହୋଇଯାଉଛି ।
ରାୟଗଡ଼ ଜିଲ୍ଲା ଚକ୍ରଧରପୁର ଥାନା ପୁଲିସ ଅନୁପଙ୍କୁ ଅଟକ ରଖି ପଚରାଉଚୁରା ପରେ ଗୁରୁବାର ରାତିରେ ଗିରଫ କରିଛି । ତେବେ ଏହି ଘଟଣାରେ ଅନୁପଙ୍କର କେଉଁଭଳି ସଂପୃକ୍ତି ତାହାର କୌଣସି ସ୍ପଷ୍ଟ ସୂଚନା ଏ ପର୍ଯ୍ୟନ୍ତ ମିଳିପାରିନାହିଁ ।
ସୂଚନାଯୋଗ୍ୟ, ବ୍ରଜରାଜନଗରରୁ କଂଗ୍ରେସ ଟିକେଟରେ ତିନି ଥର ବିଧାୟକ ନିର୍ବାଚିତ ହୋଇଥିଲେ ଅନୁପ । ୨୦୧୪ ନିର୍ବାଚନ ପୂର୍ବରୁ ସେ ବିଜେଡ଼ିରେ ମିଶିଥିଲେ ଏବଂ ବିଜେଡ଼ି ଟିକେଟରେ ବ୍ରଜରାଜନଗରରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଚଳିତଥର ସେ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିଲେ । ତାଙ୍କୁ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରେ ସନ୍ତୁଷ୍ଟ କରାଯାଇଥିଲା ।
ତେବେ ଡବଲ୍ ମର୍ଡର ମାମଲାରେ ଅନୁପଙ୍କ ପୁଲିସ ଧରିବା ପରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ହଟାଇ ଦେବା ସହ ଦଳରୁ ବହିଷ୍କୃତ କରିଛନ୍ତି । ତତକ୍ଷଣାତ୍ ଏହାକୁ କାର୍ଯ୍ୟକାରୀ କରାଯାଇଛି ।